ବାଲେଶ୍ୱର: ଗୋପୀନାଥପୁର ପଞ୍ଚାୟତ ଜଳବନ୍ଦୀ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ବାଲେଶ୍ୱର: ଲଘୁଚାପ ବର୍ଷା ଫଳରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ବର୍ତ୍ତମାନ ପାଣି ଘେରରେ ରହିଛନ୍ତି । ମହମାରୀ କରୋନା ସମୟରେ ବନ୍ୟା ବୋଝ ଉପରେ ନଳିତା ବିଡା ସଦୃଶ । ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ପରିଦର୍ଶନ କରି ସ୍ଥିତି ପରଖିଲେ।

ଗୋପୀନାଥପୁର ପଞ୍ଚାୟତର ସମସ୍ତ ଗ୍ରାମ ନିଳିଦା, ବାହାର୍ଦା, ନଲକୂଳି, ଅନାଳିଆ, ଟିଆଖିଆ, ଚକ ଜଗନ୍ନାଥପୁର ପ୍ରଭୃତି ଗ୍ରାମର ୧୫୦୦ ରୁୁ ଊର୍ଦ୍ଧ୍ବ  ପରିବାର ବର୍ତ୍ତମାନ ପାଣିଘେରରେ । ଆଜିବି ପଞ୍ଚାୟତରେ ଆଣ୍ଠୁଏ ପାଣି। ବନ୍ୟା ଯୋଗୁଁ ଲୋକଙ୍କ ଘରେ ପାଣି ପଶିବା ଦ୍ୱାରା ଆସବାବପତ୍ର ସହ ଅନେକ ଶସ୍ୟଜାତୀୟ ଖାଦ୍ୟ ନଷ୍ଟ ହୋଇଯାଇଛି। ଲୋକଙ୍କ ଜୀବନ ଜୀବିକା ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। କିନ୍ତୁ ଅତ୍ୟନ୍ତ ଦୁଖର ବିଷୟ ଯେ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚିପାରିନାହିଁ । ୧୫୦୦ରୁ ଉର୍ଦ୍ଧ୍ବ ପରିବାରକୁ ପ୍ରଶାସନ ମାତ୍ର ୭ କ୍ୱିଣ୍ଟାଲ ଚୁଡା ପ୍ରଦାନ ସମୁଦ୍ରକୁ ଶଙ୍ଖେ ସଦୃଶ ।

ଏହାଛଡା ପଞ୍ଚାୟତକୁ ଲାଇଫ ବୋଟ ମଧ୍ୟ ଦିଆଯାଇନାହିଁ ଫଳରେ ଜନସାଧାରଣ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରଶାସନକୁ ଶ୍ରୀ ଦତ୍ତ ଅନୁରୋଧ କରିବା ସହିତ ବନ୍ୟାର ସଫଳ ମୁକାବିଲା କରିବା ପାଇଁ ଭାରତୀୟ ଜନତା ପାର୍ଟି ସବୁ ପ୍ରକାର ସାହାଯ୍ୟ ଯୋଗଇଦେବ ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସଭାପତି ବୃନ୍ଦାବନ ରାଉତ, ବରିଷ୍ଠ ନେତା ବିଜୁ ପ୍ରଧାନ, ଯୁବ ନେତା ମାୟାଧର ପ୍ରଧାନ, ଯୁବମୋର୍ଚ୍ଚା ପଞ୍ଚାୟତ ସଭାପତି ଯୋଗେନ୍ଦ୍ର ପ୍ରଧାନ, ବାଦଲ ଦାସ, ସୁର ରାଉତ, ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପବନ କମିଳା ସମେତ ଅନେକ କାର୍ଯ୍ୟକର୍ତ୍ତା ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର