ଅଣ୍ତା ଦେଇଛି ଦେଶର ପ୍ରଥମ ଧଳା କୁମ୍ଭୀର ‘ଗୋରୀ’

୪୭ ବର୍ଷରେ ବି ମା’ ହେବା ଆଶା; ୧୬ ବର୍ଷରେ ୮ଥର ଅଣ୍ତା ଦେଲାଣି

ରାଜନଗର: ଭାରତର ପ୍ରଥମ ଧଳା ବଉଳା କୁମ୍ଭୀର ଗୋରୀ ମା’ ହେବାକୁ ଆଶା ରଖିଛି। ୪୭ ବର୍ଷିୟା ଗୋରୀ ମା’ ହେବା ପାଇଁ ବସା କରି ଅଣ୍ତା ଦେଇଛି। ବସା ନିକଟରେ ଅଣ୍ତାକୁ ଜଗି ରହିଛି। ୨୦୦୭ ମସିହାରୁ ଗୋରୀ ଅଣ୍ତା ଦେଉଥିଲେ ମଧ୍ୟ ସେଥିରୁ ଛୁଆ ଫୁଟୁନି। ସାଥୀ କୁମ୍ଭୀର ବିନା ଗୋରୀ ଅଣ୍ତା ଦେଉଥିବାରୁ ସେଥିରୁ ଛୁଆ ଫୁଟୁନି ବୋଲି କୁହାଯାଉଛି। ଗତ ୧୬ ବର୍ଷ ଭିତରେ ଗୋରୀ ୮ଥର ଅଣ୍ତା ଦେଇସାରିଲାଣି। ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବାରୁ ଓ ମିଳନ ପ୍ରକ୍ରିୟାରେ ସାମିଲ ହେଉ ନ ଥିବାରୁ ଗୋରୀ ଦେଇଥିବା ଅଣ୍ତାରୁ ଏଥର ଛୁଆ ଫୁଟିବ ନା ସେଗୁଡିକ ‘ବା’ ଅଣ୍ତା ହେବ, ତାହା ଆଉ କିଛି ଦିନ ପରେ ସ୍ପଷ୍ଟ ହେବ।
ଗୋରୀକୁ ୪୬ ପୂରି ୪୭ ଚାଲିଲାଣି। ୨୦୦୭ ମସିହାରେ ଗୋରୀ ପ୍ରଥମେ ୩୧ଟି ଅଣ୍ତା ଦେଇଥିଲା। ପ୍ରଥମଥର ଗୋରୀ ଅଣ୍ତା ଦେଇଥିବାରୁ ସବୁ ମହଲରେ ଉତ୍ସୁକତା ରହିଥିଲା। ମାତ୍ର ସାଥୀ ସହ ମିଳନ ବିନା ଦେଇଥିବା ଅଣ୍ତାରୁ ଛୁଆ ବାହାରି ନ ଥିଲା। ପରବର୍ତୀ ଅବସ୍ଥାରେ ୨୦୦୯ରେ ୨୨ଟି, ୨୦୧୧ରେ ୧୮ଟି, ୨୦୧୩ରେ ୨୨ଟି, ୨୦୧୫ରେ ୩୨ଟି, ୨୦୧୬ରେ ୨୭ଟି, ୨୦୧୯ରେ ୩୦ଟି ‘ବା’ ଅଣ୍ତା ଦେଇଥିଲା। ୨ବର୍ଷ ପରେ ଏ ବର୍ଷ ଗୋରୀ ଅଣ୍ତା ଦେଇଛି। ଗୋରୀ ରହୁଥିବା ଆବଦ୍ଧ ଅଂଚଳ ମଧ୍ୟରେ ପୋଖରୀରୁ ୧୦ଫୁଟ ଉପରେ ବସା ବାନ୍ଧି ଅଣ୍ତା ଦେଇଛି। କୁମ୍ଭୀର ପ୍ରଜନନ ଋତୁରେ ମା’ କୁମ୍ଭୀରମାନେ ନିରାପଦ ସ୍ଥାନରେ ବସା ବାନ୍ଧି ଅଣ୍ତା ଦେବା ସହ ବସା ନିକଟରେ ଜଗି ରହିଥାନ୍ତି। ଗୋରୀ ମଧ୍ୟ ଅନ୍ୟ କୁମ୍ଭୀରଙ୍କ ଭଳି ଅଣ୍ତା ଦେଇ ବସାକୁ ଜଗି ରହୁଛି। ଗୋରୀ ବସା ନିକଟରେ ଜଗି ରହୁଥିବାରୁ କେତୋଟି ଅଣ୍ତା ଦେଇଛି, ତାର ଗଣନା କରାଯାଇନି। ଉଲ୍ଲେଖଯୋଗ୍ୟ ଯେ, ୧୯୭୫ ଏପ୍ରିଲ ୨୨ ତାରିଖରେ ଡାଙ୍ଗମାଳଠାରେ ଦେଶର ପ୍ରଥମ ବଉଳା କୁମ୍ଭୀର ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବା ବର୍ଷ ପ୍ରଥମଥର ପାଇଁ ୨୫ଟି ଅଣ୍ତା ସଂଗ୍ରହ କରାଯାଇ କୃତ୍ରିମ ଉପାୟରେ ଛୁଆ ଫୁଟା ଯାଇଥିଲା।

ତାପମାତ୍ରା କମ୍‌ ହୋଇଯିବାରୁ ଅଧିକାଂଶ ଅଣ୍ତିରା ଶାବକ ଜନ୍ମ ହୋଇଥିବା ବେଳେ ମାତ୍ର ୨ଟି ମାଈ ଶାବକ ଜନ୍ମ ହୋଇଥିଲେ। ସେଥିମଧ୍ୟରୁ ଗୋଟିଏ ଛୁଆ ସମସ୍ତଙ୍କଠାରୁ ଭିନ୍ନ ଓ ଧଳା ରଙ୍ଗର ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଶଙ୍ଖ ମଲମଲ ପରି ଚକଚକ ଦେହକୁ ଦେଖି ବିଭାଗୀୟ କର୍ମଚାରୀମାନେ ଏହି କୁମ୍ଭୀରର ନାମ ‘ଗୋରୀ’ ଦେଇଥିଲେ। ଏହି ବିରଳ ପ୍ରଜାତିର ଶଙ୍ଖୁଆ କୁମ୍ଭୀରର ଲାଳନପାଳନ ଅତି ଯତ୍ନର ସହ କରାଯାଇଥିଲା। ଗୋରୀକୁ ଦେଖିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ ଜମୁଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଭୁବନେଶ୍ବର ଆସିଥିବା ବେଳେ ସ୍ବତନ୍ତ୍ର ବ୍ୟବସ୍ଥା କରି ଗୋରୀକୁ ଭୁବନେଶ୍ବର ନିଆଯାଇଥିଲା। ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଗୋରୀକୁ ମାସ୍କଟ କରାଯାଇଥିଲା। ଯୌବନପ୍ରାପ୍ତ ହେବା ପରେ ୧୯୮୭ ମସିହାରେ ହାଇଦ୍ରାବାଦରୁ ଏକ ଅଣ୍ତିରା କୁମ୍ଭୀର ଅଣାଯାଇ ଗୋରୀ ସହ ମିଳନ ପାଇଁ ଉଦ୍ୟମ କରାଯାଇଥିଲା। ଲଗାତର ୩ ବର୍ଷ କାଳ ଗୋରୀ ସହ ଏହି କୁମ୍ଭୀରର ମିଳନ ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର ଶେଷରେ ଗୋରୀର ଆକ୍ରମଣରେ ଉକ୍ତ ଅଣ୍ତିରା କୁମ୍ଭୀରର ମୃତ୍ୟୁ ଘଟିଥିଲା। ୧୯୯୦ ମସିହାରେ ‘କାଣୀ’ ଓ ୧୯୯୨ରେ ଅଷ୍ଟ୍ରେଲିଆର ‘ରଏଟର’ ନାମକ ଅନ୍ୟ ଏକ ଅଣ୍ତିରା କୁମ୍ଭୀର ଅଣାଯାଇ ଗୋରୀ ସହ ଏକତ୍ର ବସବାସ କରିବା ପାଇଁ ସୁଯୋଗ ଦିଆଯାଇଥିଲା। ଗୋରୀ ବିଦେଶୀ ବରକୁ ସାଥୀ ଭାବେ ଗ୍ରହଣ କରି ନଥିଲା। ଏହାପରେ ଦୀର୍ଘ ୩୦ ବର୍ଷ ହେଲା ଗୋରୀ ପାଇଁ ବନବିଭାଗ ଆଉ ସାଥୀ ଖୋଜିନି। ଫଳରେ ଗୋରୀ ଆଜିଯାଏ ମା’ ହୋଇପାରିନି। ଗୋରୀ ପାଇଁ ସାଥୀ ଖୋଜିବାକୁ ବିଭିନ୍ନ ସ୍ତରରୁ ଦାବି ହେଉଥିଲେ ମଧ୍ୟ ବନବିଭାଗର ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର