ଚାଷୀଙ୍କ ନିକଟରେ ପହଂଚିପାରୁନି ସରକାରୀ ଯୋଜନା, ନିରାକାରପୁର ଚାଷୀ କମିଟିର ଦାବିପତ୍ର

ଖୋର୍ଦ୍ଧା: ଖୋର୍ଦ୍ଧାରେ ଚାଷ ଓ ଚାଷୀଙ୍କ ନିକଟରେ ସରକାରୀ ଯୋଜନା ପହଂଚିପାରୁନାହିଁ। ଜିଲ୍ଲାରେ କୃଷି ବିଭାଗ ସ୍ଥାଣୁ ପାଲଟିଯାଇଛି। ରାଜ୍ୟ ସରକାର ଭାଗ ଚାଷୀଙ୍କ ପାଇଁ ଘୋଷଣା କରିଥିବା ଯୋଜନା କାର୍ଯ୍ୟକାରୀ ହେଉନାହିଁ। ଏଭଳି ୮ ଦଫା ଅଭିଯୋଗ ଫର୍ଦ୍ଦ ନେଇ ଆଜି ନିରାକାରପୁର ଅଂଚଳର ଚାଷୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି। ଚାଷୀ କମିଟିର ବିପିନ ଜୟସିଂହ କହିଛନ୍ତି ଯେ ନିରାକାରପୁର ଅଂଚଳରେ ଚାଷୀମାନଙ୍କୁ ଉଠାଜଳସେଚନ ସୁବିଧା ପ୍ରଦାନ କରାଯାଉନାହିଁ। ଯେଉଁ କେନାଲ୍ ରହିଛି ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇଗଲାଣି। କେବଳ ବର୍ଷାଋତୁରେ ୩-୪ମାସ ହିଁ କେନାଲ୍ରେ ପାଣି ଆସୁଛି। ବଳକା ମାସ ଶୁଖିଲା ରହୁଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ବିଜିଆର୍ଆଇଇ, ଜାତୀୟ ଡାଲିମିଶନରେ କେବେଳ କେତେକ ନିର୍ଦ୍ଦିଷ୍ଟ ଅଂଚଳକୁ ଫୋକସ କରାଯାଉଛି।

ଏହି ଯୋଜନାରେ ଅଧିକାଂଶ ଚାଷୀ ବର୍ତମାନ ସୁଦ୍ଧା ବଂଚିତ ହୋଇଛନ୍ତି। ସେହିଭଳି କମିଟିର ସଭ୍ୟ କପିଳ ବେହେରା କହିଛନ୍ତି ଯେ ନିରାକାରପୁର ଠାରୁ ଯାଜପୁର ପର୍ଯ୍ୟନ୍ତ ଯାଇଥିବା କେନାଲ୍ ଅଧିକାଂଶ ସ୍ଥାନରେ ପୋତି ହୋଇଯାଇଛି। ମଳୁଖ ଆଡ଼ିଆରେ ଚେକ୍ ଡ୍ୟାମ୍ ନିର୍ମାଣ ହୋଇଥିଲେ ମଧ୍ୟ ଏଥିରୁ ଚାଷୀ ଜଳ ପାଇପାରୁନାହିଁ। ନିଜ ଜମିରେ ପୋଖରୀ ଖୋଲାଇବାକୁ ସରକାର ଅନୁଦାନ ଦେଉଥିବା ବେଳେ ଜିଲ୍ଲାରେ କୃଷି ବିଭାଗ ଅଧିକାରୀ ଓ କର୍ମଚାରୀ ଏନେଇ ଚାଷୀଙ୍କ ଆବେଦନକୁ ଏଡ଼ାଇ ଦେଉଛନ୍ତି। କେବଳ ଏହାନୁହେଁ ନିରାକାରପୁରରେ ଥିବା ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ନାହାନ୍ତି।

ଏହି କାର୍ଯ୍ୟାଳୟର ଅଧିକାରୀ ଟାଙ୍ଗୀ କାର୍ଯ୍ୟାଳୟରେ ରହୁଛନ୍ତି। ସେହିଭଳି ରାଜ୍ୟ ସରକାରଙ୍କ ବଳରାମ ଯୋଜନାରେ ଅଂଚଳର କୌଣସି ଭାଗଚାଷୀଙ୍କୁ ସାମିଲ କରାଯାଇନାହିଁ ବୋଲି କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ ସମୟରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ସଭ୍ୟ ଭାସ୍କର ପ୍ରଧାନ, ପରୀକ୍ଷିତ ବେହେରା, ଗଣେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର