ତାଳବରଡ଼ା, ଛିଣ୍ଡା ଅଖା-ପଲିଥିନ୍‌ ଟାଙ୍ଗି ମୁଣ୍ଡ ଗୁଞ୍ଜିଛନ୍ତି

ଅସହାୟ ସୁଧିରଙ୍କୁ ପକ୍କାଘର କେବେ?

ନିଶ୍ଚିନ୍ତକୋଇଲି: ଗରିବ, ଅସହାୟ ଓ ଭିନ୍ନକ୍ଷମଙ୍କୁ ଆବାସ ଯୋଜନାରେ ସାମିଲ କରି ପକ୍କାଘର ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ହେଲେ, ପ୍ରଶାସନର ଆନ୍ତରିକତା ଅଭାବରୁ ଅନେକ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହୋଇ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ଅଭିଯୋଗ ହେଉଛି। ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅନ୍ତର୍ଗତ ସରପଡ଼ା ପଞ୍ଚାୟତରେ। ଏହି ପଞ୍ଚାୟତର ସରପଡ଼ା ଗ୍ରାମରେ ରହୁଛନ୍ତି ଦଳିତ ସୁଧିର କୁମାର ସାମଲ (୫୧)। ସୁଧିରଙ୍କର ଜମିବାଡ଼ି କହିଲେ ୨ରୁ ୩ ଗୁଣ୍ଠ ସମ୍ପତ୍ତି। ବହୁଦିନ ହେଲା ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗ ଯୋଗୁଁ କାମଧନ୍ଦା କରିବାକୁ ଯାଇପାରୁ ନାହାନ୍ତି ସେ। ବର୍ତ୍ତମାନ ଖାଦ୍ୟ ସୁରକ୍ଷା ‌ଯୋଜନାରେ ମାସକୁ କେବଳ ୫ କିଲୋ ଚାଉଳ ନେଇ ସୁଧିର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଭଙ୍ଗା କୁଡ଼ିଆରେ କାଳାତିପାତ କରୁଛନ୍ତି।

ସୁଧିର ରହୁଥିବା ଘରେ କାନ୍ଥ ନାହିଁ। ଘର ଚାରିପଟେ ତାଳବରଡ଼ା, ଛିଣ୍ଡା ଅଖା ଓ ଛିଣ୍ଡା ପଲିଥିନ୍‌ ଟଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଆର୍ଥିକ ଦୁରବସ୍ଥା ଯୋଗୁଁ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କାଘର ଦୂରେ ଥାଉ, ଘର ମରାମତି ବି’ କରିପାରୁ ନାହାନ୍ତି ସୁଧିର। ସରକାରଙ୍କ ଆବାସ ଯୋଜନାରେ ପକ୍କାଘର ଖଣ୍ଡିଏ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍‌ ପ୍ରଶାସନ ପର୍ଯ୍ୟନ୍ତ ବହୁଥର ଲିଖିତ ଭାବେ ଗୁହାରି କରିଛନ୍ତି। ହେଲେ, ଏଥିପ୍ରତି କେହି କର୍ଣ୍ଣପାତ କରି ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ ଅସହାୟ ସୁଧିରଙ୍କୁ ପ୍ରଶାସନ ଆବାସ ଯୋଜନାରେ ସାମିଲ କରି ପକ୍କାଘର ଯୋଗାଇଦେବା ସହ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କର ଚିକିତ୍ସା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର