ଖୋର୍ଦ୍ଧା: ୫୭ ନମ୍ବର ଜାତୀୟ ରାଜପଥ କଡ଼ ପୁବୁସାହି ଠାରେ ଜିଲ୍ଲାର ଗ୍ରାମାଞ୍ଚଳର ସବୁଠାରୁ ବଡ଼ ଶିଶୁ ଉଦ୍ୟାନ ନିର୍ମାଣ କରିବାକୁ ଯୋଜନା କରାଯାଇ ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅଧାପନ୍ତରିଆ ଥିବା ଶିଶୁ ପାର୍କଟିକୁ ଉଦଘାଟନ କରାଯାଇଥିଲା। ବର୍ତ୍ତମାନ ଏହି ପାର୍କଟି ଆବଶ୍ୟକ ରକ୍ଷଣାବେକ୍ଷଣ ଓ ପରିଚାଳନା ଅବ୍ୟବସ୍ଥାରୁ ନଷ୍ଟ ହେବାକୁ ବସିଛି। ଓଳସିଂହ ମୌଜାର ପୁବୁସାହି ପଞ୍ଚାୟତର ପୁବୁସାହି ଠାରେ ୧୭ ଏକର ପରିମିତ ସରକାରୀ ଜମିରେ ଏକ ବୃହତ ଶିଶୁ ଉଦ୍ୟାନ ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ଖୋର୍ଦ୍ଧା ପଞ୍ଚାୟତ ସମିତି ପକ୍ଷରୁ ୨୦୧୯ରେ ପ୍ରାୟ ୮୦ଲକ୍ଷ ଟଙ୍କା ବ୍ୟୟରେ ୫ ଏକର ଜମିରେ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୩ ବର୍ଷ ପରେ ମଧ୍ୟ ଏହି ପାର୍କର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନଥିଲା। ଶେଷରେ ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତରବରିଆ ଭାବେ ଅର୍ଦ୍ଧନିର୍ମିତ ପାର୍କକୁ ସେହିବର୍ଷ ଜାନୁଆରୀ ମାସରେ ଉଦଘାଟନ କରାଯାଇଥିଲା।
ଏହାପରେ ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ପରେ ଶିଶୁ ଉଦ୍ୟାନ ପରିଚାଳନା କମିଟି ହାତକୁ ଦିଆଗଲା। ଏହାର ପରିଚାଳନା ପାଇଁ ଆବଶ୍ୟକ ଅର୍ଥ ପାର୍କକୁ ଆସୁଥିବା ଦର୍ଶକଙ୍କ ଠାରୁ ଆଦାୟ ଫିଜ୍ ଓ ପରିଚାଳନା କମିଟିର ସଦସ୍ୟଙ୍କ ଦାନରୁ ଭରଣା କରାଯାଉଥିଲା। ବର୍ତ୍ତମାନ ଏହି ପାର୍କରେ ପାନୀୟ ଜଳ କିମ୍ବା ବିଦ୍ୟୁତ୍ର ବ୍ୟବସ୍ଥା ନାହିଁ। ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ଅର୍ଥର ଅଭାବରୁ ପାର୍କଟି ନଷ୍ଟ ହେବାକୁ ବସିଛି। ଏନେଇ ପାର୍କ ପରିଚାଳନା କମିଟିର ସଭାପତି ନାରାୟଣ ମହାରଣା କହିଛନ୍ତି ଯେ ପ୍ରତି ମାସକୁ ୨୫ରୁ ୩୦ ହଜାର ଟଙ୍କା ପରିଚାଳନା ପାଇଁ ଖର୍ଚ୍ଚ ହେଉଛି। ଏହି ଅର୍ଥ ଅନେକ ସମସ୍ୟା ମଧ୍ୟରେ ସଂଗ୍ରହ କରାଯାଉଛି। ପାର୍କର ବଳକା ଜମିରେ ନିର୍ମାଣ ହୋଇଥିବା କଲ୍ୟାଣମଣ୍ଡପ ଓ ଓଳସିଂହ ମାର୍କେଟ୍ କମ୍ପ୍ଲେକ୍ସରୁ ଆଦାୟ ଅର୍ଥ ପାର୍କ ପାଇଁ ଖର୍ଚ୍ଚ ହୋଇ ପାରୁନାହିଁ। ଏନେଇ ବିଡିଓଙ୍କୁ ପୂର୍ବରୁ ଜଣାଇଦିଆଯାଇଥିଲା, ପଞ୍ଚାୟତ ସମିତି ବୈଠକରେ ଅନେକ ଥର ଆଲୋଚନା ମଧ୍ୟ ହୋଇଛି, କିନ୍ତୁ ଫଳ କିଛି ହୋଇନାହିଁ। ଆଜି ଜିଲ୍ଲାପାଳଙ୍କୁ ଏନେଇ ଏକ ସ୍ମାରକପତ୍ର ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Pubusahi-park-File-photo1.jpg)