ଖୋର୍ଦ୍ଧା ଜିଲ୍ଲାରେ ପ୍ରତି ୨୧ ହଜାର ଜନସଂଖ୍ୟାରେ ଗୋଟିଏ ସରକାରୀ ଚିକିତ୍ସାଳୟ

ପ୍ରତି୧୧ହଜାର ଜନସଂଖ୍ୟାରେ ଗୋଟିଏ ସରକାରୀ ଡାକ୍ତର, ପ୍ରତି ୪ଲକ୍ଷ ୫୦ହଜାର ଜନସଂଖ୍ୟାରେ ଗୋଟିଏ ରକ୍ତଭଣ୍ଡାର

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା। ଏଠାରେ ଅନ୍ୟ ଜିଲ୍ଲା ଠାରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ଉନ୍ନତମାନର ଓ ବ୍ୟାପକ ଭିତ୍ତିଭୂମି ଥିବା ଅନୁମାନ କରାଯାଏ, କିନ୍ତୁ ବାସ୍ତବରେ ଏହାର ସ୍ଥିତି ବିଶେଷତଃ ଗ୍ରାମାଞ୍ଚଳରେ ଏହାର ସ୍ଥିତି ସୁଦୂର ମାଲକାନଗିରି କିମ୍ବା କନ୍ଧମାଳ ଠାରୁ ଉନ୍ନତ ନୁହେଁ। ସ୍ୱାସ୍ଥ୍ୟ ବିଭାଗର ପରିସଂଖ୍ୟାନ ଅନୁସାରେ, ଜିଲ୍ଲାରେ ପ୍ରତି ୨୧ହଜାର ଜନସଂଖ୍ୟାରେ ଗୋଟିଏ ସରକାରୀ ଚିକିତ୍ସାଳୟ ରହିଥିବା ବେଳେ ପ୍ରତି ୧୦ହଜାର ଜନସଂଖ୍ୟାରେ ଗୋଟିଏ ଡାକ୍ତର ଅଛନ୍ତି। ୨୦୧୧ ଜନଗଣନା ଅନୁସାରେ ଖୋର୍ଦ୍ଧା ଜିଲ୍ଳାର ମୋଟ ଜନସଂଖ୍ୟା ୨୨ଲକ୍ଷ ୫୧ହଜାର ୭୬୩। ଯଦି ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଓ ମାନବସମ୍ବଳ ସହ ତୁଳନା କରାଯାଏ ତେବେ, ଜିଲ୍ଲାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ଭୁବନେଶ୍ୱର କ୍ୟାପିଟାଲ୍ ଚିକିତ୍ସାଳୟ ଏଭଳି ୨ଟି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍ ରହିଛି। ଏହାର ୧୩ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୪୪ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୨୧ଟି ଆର୍ୟୁବେଦ ଡିସ୍ପେନ୍ସରି ଓ ଚିକିତ୍ସାଳୟ, ୨୬ଟି ହୋମିଓପାଥି ଡିସପେନ୍ସରି ଓ ଚିକିତ୍ସାଳୟ ଏବଂ ୨୦୨ଟି ହେଲ୍ଥ ସବ୍ସେଂଟର ରହିଛି। ହେଲ୍ ସବ୍ସେଂଟରକୁ ବାଦ ଦେଲେ ଜିଲ୍ଲାରେ ମୋଟ ୧୦୬ଟି ସରକାରୀ ଚିକିତ୍ସାଳୟ ରହିଛି।

ପରିସଂଖ୍ୟାନ ଅନୁସାରେ, ଜିଲ୍ଲାରେ ପ୍ରତି ୨୧୨୪୩ଜଣଙ୍କ ପିଛା ଗୋଟିଏ ସରକାରୀ ଚିକିତ୍ସାଳୟ ରହିଛି। ସେହିଭଳି ଜିଲ୍ଲାରେ ୨୦୮ଟି ଘରୋଇ ଚିକିତ୍ସାଳୟ ରହିଥିବା ବେଳେ ଅଧିକାଂଶ ଚିକିତ୍ସାଳୟ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହିଁ ରହିଛି। ଗ୍ରାମାଞ୍ଚଳରେ ଘରୋଇ ହସ୍ପିଟାଲ୍‌ରେ ସଂଖ୍ୟା ଅତି ନଗଣ୍ୟ ଅଟେ। ଏହା ସତ୍ୱେ ଘରୋଇ ଓ ସରକାରୀ ଚିକିତ୍ସାଳୟର ସଂଖ୍ୟାକୁ ମିଶାଯାଏ ତେବେ ଜିଲ୍ଲାରେ ୭୧୭୧ଜଣଙ୍କ ପିଛା ଗୋଟିଏ ଚିକିତ୍ସାଳୟ। ଜିଲ୍ଳାରେ ବର୍ତ୍ତମାନ ଆପତ୍ତକାଳୀନ ପରିସ୍ଥିତିରେ ରୋଗୀଙ୍କୁ ଚିକିତ୍ସାଳୟ ଆଣିବା ପାଇଁ କେବଳ ୪୮ଟି ସରକାରୀ ଆମ୍ବୁଲାନ୍ସ ରହିଛି। ଏହାମଧ୍ୟରେ ୨୨ଟି ୧୦୮ ଆମ୍ବୁଲାନ୍ସ ଓ ୨୬ଟି ୧୦୨ ଆମ୍ବୁଲାନ୍ସ ଅଟେ। ଏହି ଆକଳନରେ, ପ୍ରତି ୪୬ହଜାର ୯୧୧ଜଣଙ୍କ ପିଛା ଗୋଟିଏ ସରକାରୀ ଆମ୍ବୁଲାନ୍ସ ରହିଛି।

Sambad

ସେହିଭଳି ରକ୍ତଭଣ୍ଡାର ସଂଖ୍ୟାକୁ ହିସାବ କରାଗଲେ ଜିଲ୍ଲାରେ, ଜଟଣୀ, ଖୋର୍ଦ୍ଧା, ଟାଙ୍ଗୀ, ବାଣପୁର ଓ ଭୁବନେଶ୍ୱର ମହାନଗରରେ ଗୋଟିଏ ଲେଖାଏଁ ଏଭଳି ମୋଟ ୫ଟି ରକ୍ତଭଣ୍ଡାର ରହିଛି। ଅଧିକାଂଶ ରକ୍ତଭଣ୍ଡାରରେ କର୍ମଚାରୀ ଏପରିକି ରକ୍ତ ସଂରକ୍ଷିତ ରଖିବା ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି। ଏହି ଆକଳନରେ, ଜିଲ୍ଲାରେ ପ୍ରତି ୪ଲକ୍ଷ ୫୦ହଜାର ୩୫୫୨ଜଣଙ୍କ ପାଇଁ ଗୋଟିଏ ରକ୍ତଭଣ୍ଡାର ରହିଛି। ସରକାରୀ ଚିକିତ୍ସାଳୟରେ ମାନବସମ୍ବଳ କଥା ବିଚାରକୁ ନେଲେ, ଏହା ଭିତ୍ତିଭୂମି ଠାରୁ ଦୟନୀୟ ଅବସ୍ଥରେ ରହିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ୨୦୨୧ ସୂଚନାନୁସାରେ, ଜିଲ୍ଲାରେ ମୋଟ ୨୧୨ଜଣ ଡାକ୍ତର, ୪୧୬ଜଣ ପାରାମେଡିକାଲ୍ କର୍ମଚାରୀ, ୨୧୨ଜଣ ଏଏନ୍ଏମ୍ ଓ ୧୧୯୧ଜଣ ଆଶାକର୍ମୀ ଅଛନ୍ତି। ଏହାମଧ୍ୟରୁ ଭୁବନେଶ୍ୱର ସିଏଚ୍ସି ଅଧୀନରେ ୧୨ଜଣ ଡାକ୍ତର, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬୪, ବାଲିପାଟଣା ସିଏଚ୍ସି ଅଧୀନରେ ୧୪, ବାଲିଅନ୍ତାରେ ୧୪, ବାଲୁଗାଁରେ ୯, ବାଣପୁରରେ ୧୨, ଟାଙ୍ଗୀରେ ୧୪, ବେଗୁନିଆରେ ୨୦, ବୋଲଗଡ଼ରେ ୨୩, ଖୋର୍ଦ୍ଧା ସିଏଚ୍ସି ଅଧୀନରେ ୧୪ ଓ ଜଟଣୀରେ ୧୬ଜଣ ଡାକ୍ତର ଅଛନ୍ତି।

୨୦୨୧ ରୁ ୨୦୨୨ ମଧ୍ୟରେ ଅନେକ ଡାକ୍ତର ଖାନାରେ ନିୟୋଜିତ ଡାକ୍ତର ପଦବୀ ଖାଲି ହୋଇଛି। କେବଳ ଏହାନୁହେଁ, ଅନେକ ସ୍ଥାନରେ ଡାକ୍ତର ନରହି ଭୁବନେଶ୍ୱରରେ ରହି ଘରୋଇ ଚିକିତ୍ସା କରୁଛନ୍ତି। ତଥାପି ମୋଟ ସରକାରୀ ଡାକ୍ତର ସଂଖ୍ୟାକୁ ଆକଳନ କରାଗଲେ, ଜିଲ୍ଲାରେ ପ୍ରତି ୧୦୬୨୧ଜଣଙ୍କ ପିଛା ଜଣେ ଡାକ୍ତର ରହିଛି। ସରକାରଙ୍କ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଏଭଳି ଦୟନୀୟ ସ୍ଥିତି ଯୋଗୁଁ ଗ୍ରାମାଞ୍ଚଳରେ ବେଆଇନ ନର୍ସିଂହୋମ୍, ଘରୋଇ ଆମ୍ବୁଲାନ୍ସ ମାଲିକ ଆଦିଙ୍କ ପ୍ରାଦୃର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରିକି ଆବଶ୍ୟକ ରକ୍ତଭଣ୍ଡାର ନଥିବା ଓ ରକ୍ତଭଣ୍ଡାର ଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମିର ଅଭାବରେ ଅନେକ ସମୟରେ ରକ୍ତପାଇଁ ଦଲାଲଙ୍କ ହାତରେ ନିରୀହ ରୋଗୀ ଶୋଷଣର ଶିକାର ହେଉଛନ୍ତି। ଜିଲ୍ଲାରେ ଗ୍ରାମାଞ୍ଚଳରେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର