ଜୟପୁର: ନିଜେ ଦେଇଥିବା ନିର୍ଦ୍ଦେଶନାମାକୁ ନିଜେ ସରକାର ହିଁ ମାନୁ ନାହାନ୍ତି। ଏଭଳି ବିଚିତ୍ର ବ୍ୟବସ୍ଥା ଜୟପୁର ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏଠାରେ ପୂର୍ବରୁ ରହି ଆସିଥିବା ହାୟରସେକଣ୍ଡରୀ ସ୍କୁଲ ବା ଯୁକ୍ତଦୁଇ ‌ବିଶ୍ବବିଦ୍ୟାଳୟ ଆରମ୍ଭ ହେବା ପୂର୍ବରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କରାଯିବାକୁ ରାଜ୍ୟ ଉଚ୍ଚଶିକ୍ଷାବିଭାଗ ନିର୍ଦ୍ଦେଶ ଦେଇଥିଲା। ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ। ସୂଚନା ଅନୁଯାୟୀ, ଜୁନ ପହିଲାରୁ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଭାବେ ପରିବର୍ତ୍ତନ ହୋଇଛି। ଏହା ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଠାରେ ପୂର୍ବରୁ ଚାଲି ଆସିଥିବା ହାୟରସେକଣ୍ଡରୀ ସ୍କୁଲକୁ ସରକାରୀ ଉଚ୍ଚବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଆସିଥିଲା। ତେବେ ତାହା ଏ ଯାଏଁ କାର୍ଯ୍ୟକାରୀ ହୋଇ ପାରିନି। ଅପରପକ୍ଷରେ ବିଶ୍ବବିଦ୍ୟାଳୟ ପରିସରରେ ହିଁ ସ୍ନାତକୋତ୍ତର(ପିଜି), ସ୍ନାତକ(ୟୁଜି), ଓ ଯୁକ୍ତଦୁଇ ବା ହାୟରସେକଣ୍ଡରୀ ସବୁ ମିଳିତ ଭାବେ ଚାଲିଛି। ଯୁକ୍ତଦୁଇକୁ ପୂର୍ବରୁ ହିଁ ରାଜ୍ୟସରକାର ଅଲଗା କରିଥିଲେ ହେଁ କିଛି ମହାବିଦ୍ୟାଳୟରେ କରି ନଥିଲେ। ସେହିକ୍ରମରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟରେ ହୋଇ ନଥିଲା।

Advertisment

ହାୟରସେକଣ୍ଡରୀର ପରିଚାଳନା ପାଇଁ ଭିନ୍ନ ଜଣେ ଅଧ୍ୟକ୍ଷ ଏବଂ କର୍ମଚାରୀ ରହିବା କଥା। ତେବେ ପୂର୍ବରୁ ଏଭଳି ନଥିଲେ। ତେବେ ନୂଆରେ ଅଧ୍ୟକ୍ଷ, ଅଧ୍ୟାପକ ନିଯୁକ୍ତି ବି ଦେବା କଥା। ତେବେ ତାହା ଏ ଯାଏଁ ହୋଇନି। ଅପରପକ୍ଷରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଭାରପ୍ରାପ୍ତ ରେଜିଷ୍ଟ୍ରାର ଭାବେ ଦାୟିତ୍ବରେ ରହିଛନ୍ତି।‌ ସେ ବିଶ୍ବବିଦ୍ୟାଳୟର ଦାୟିତ୍ବ ସମ୍ଭାଳିବା ସହ ହାୟରସେକଣ୍ଡରୀ ଦାୟିତ୍ବରେ ବି ରହିଛନ୍ତି। ହାୟରସେକଣ୍ଡରୀର ଚିଠି ଦେଣ ନେଣରେ ସେ ହିଁ ଦସ୍ତଖତ କରୁଛନ୍ତି। ଯଦିଓ ପୂର୍ବରୁ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପଢ଼ାଇବା ପାଇଁ ନିୟମିତ ଅଧ୍ୟାପକ ନଥିଲେ ହେଁ ୧୨ଜଣ ଅତିଥି ଅଧ୍ୟାପକଙ୍କ ଦୟାରେ ଏହା ଚାଲିଥିଲା। ବିଶ୍ବବିଦ୍ୟାଳୟ ପରିସରରେ ଏଭଳି ଏକାସ୍ଥାନରେ ସ୍ନାତକୋତ୍ତର, ସ୍ନାତକ ଓ ଯୁକ୍ତଦୁଇ (ହାୟରସେକଣ୍ଡରୀ) ଚାଳୁଥିବା ଓଡିଶାରେ ପ୍ରଥମ ବୋଲି ଶିକ୍ଷାବିତ୍ ମାନେ କହୁଛନ୍ତି। ଯଦିଓ ବିଶ୍ବବିଦ୍ୟାଳୟର ନିଯୁକ୍ତିକୁ ନେଇ ହାଇକୋର୍ଟରେ ମାମଲା ଚାଲିଥିଲେ ହେଁ ନିର୍ବାଚନକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ ଘୋଷଣା କରିଥିଲେ ହେଁ ୪ ବୈଧାନିକ ଅଧିକାରୀ ପଦବୀ ବି ଆଡଜେ‌ଷ୍ଟମ୍ୟାଣ୍ଟରେ ଚାଳିଛି। ବିଶ୍ବବିଦ୍ୟାଳୟର ନାଁ ୱେବସାଇଟରେ ଦିଶୁ ନଥିବା ବେଳେ ୩ ମାସ ପରେ ବି ସମ୍ମୁଖ ଗେଟରେ ଗୋଟିଏ ଛୋଟିଆ ପ୍ଲେକ୍ସକୁ ବାଦ୍ ଦେଇ ବିଶ୍ବବିଦ୍ୟାଳୟର ବୋର୍ଡ ଖଣ୍ଡିକ ବି ଲାଗି ପାରିନି।