ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପାଳିକାର ୧୦ ନଂ ୱାର୍ଡ଼ ଅଁଳାଡୁବାରେ ଥିବା ଗୋଶାଳା କମିଟିକୁ ମିଳିଲା ୫ ଏକର ଜାଗା। ଓଡ଼ିଶା ସରକାର ଦେଲେ ଏହି ୫ ଏକର ଜାଗା। ଗତ ୨ ତାରିଖ ଓଡ଼ିଶା ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ରାଇରଙ୍ଗପୁର ଉପଖଣ୍ଡ ଗସ୍ତରେ ଆସିଥିଲେ। ସେହି ଅବସରରେ ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ରାଇରଙ୍ଗପୁର ସହରର ଅଁଳାଡୁବା ସ୍ଥିତ ଗୋଶାଳା ମଧ୍ୟ ପରିଦର୍ଶନ କରିଥିଲେ ୫-ଟି ସଚିବ। ସେହି ସମୟରେ ଗୋଶାଳା କମିଟିର ସଦସ୍ୟଙ୍କ ସହିତ ମହିଳା, ପୁରୁଷ ଓ ଗୋମାତା ପ୍ରେମୀ ଦୀର୍ଘ ୭୦ ବର୍ଷ ହେବ ଗୋଶାଳା କମିଟିକୁ ଜମି ପ୍ରଦାନ ହୋଇ ନଥିବା ନେଇ ୫-ଟି ସଚିବଙ୍କୁ ଗୋଶାଳା ପାଇଁ ଜମି ହସ୍ତାନ୍ତର ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେହି ସମୟରେ ଗୋଶାଳା କମିଟି ଓ ଉପସ୍ଥିତ ଜନତାଙ୍କୁ ୭ ଦିନ ମଧ୍ୟରେ ଉକ୍ତ ଜମିକୁ ଗୋଶାଳାକୁ ହସ୍ତାନ୍ତର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ୫-ଟି ସଚିବ ଭି.କେ. ପାଣ୍ଡିଆନ। ତେବେ ଗତକାଲି ସନ୍ଧ୍ୟା ସମୟରେ ରାଜ୍ୟ କେବିନେଟରେ ଉକ୍ତ ଜମି ହସ୍ତାନ୍ତର ନେଇ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହର ମାରିଥିଲେ।
ଉକ୍ତ ଖବର ପ୍ରଚାରିତ ହେବା କ୍ଷଣି ଗୋଶାଳା କମିଟିର ସଦସ୍ୟ, ଗୋ-ପ୍ରେମୀ, ବିଜୁ ଜନତା ଦଳର ନେତା ଓ କର୍ମୀ ମିଠା ବାଣ୍ଟି, ଅଭିର ଲଗାଇ ନାଚ ଗୀତ କରି ବାଣ ଫୁଟେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଅଁଳାଡୁବା ଗୋଶାଳାରୁ ଏକ ସ୍ବତନ୍ତ୍ର ବାଇକ ଶୋଭାଯାତ୍ରା ଯୋଗେ ହୋଇ ସହର ପରିକ୍ରମା କରାଯାଇଥିଲା। ସୂଚନାଯୋଗ୍ୟ ଯେ, ୧୯୫୪ ମସିହାରେ ଅଁଳାଡୁବା ଠାରେ ରାଇରଙ୍ଗପୁର ମାରୱାଡି ସଂଘ ତରଫରୁ କିଛି ଗୋ-ମାତାଙ୍କୁ ନେଇ ଏକ ଗୋଶାଳା ଅନୁଷ୍ଠିତ ହୋଇଥିଲା। ବହୁ ବାଧା ବିଘ୍ନ ସହି ବର୍ତ୍ତମାନ ଉକ୍ତ ଗୋଶାଳାରେ ୩୦୦ରୁ ଉର୍ଦ୍ଧ୍ବ ଗୋମାତା ରହିଥିବା ବେଳେ ୨୪ରୁ ଉର୍ଦ୍ଧ୍ବ ଗୋ ସେବକ ରହି ଗୋ ମାତାଙ୍କ ସେବା କରି ଆସୁଛନ୍ତି। ଗୋଶାଳା ଗଢି ଉଠିଥିବା ଜାଗାଟି ଉକ୍ତ ଅଁଳାଡୁବା ମୌଜାର ଗୋଚର କିସମ ହୋଇ ଥିବାରୁ ଗୋଶାଳାକୁ ହସ୍ତାନ୍ତର କରିବା ସମ୍ଭବପର ହୋଇ ପାରୁନଥିଲା। ଏନେଇ କୋର୍ଟ କଚେରୀ ସହିତ ବିଭିନ୍ନ ରାଜନୈତିକ ଦଳ ହସ୍ତକ୍ଷେପ କରିଥିଲେ ମଧ୍ୟ ଜମି ହସ୍ତାନ୍ତର ନେଇ ବିଫଳ ହୋଇଥିଲେ। ଯାହା ଫଳରେ ଶହ ଶହ ଗୋମାତା ରହୁଥିବା ଆଶ୍ରୟସ୍ଥଳୀ ସହିତ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ହୋଇ ପାରୁ ନଥିଲା। ଏନେଇ ଗୋ-ସେବକ ସହ ଗୋ-ପ୍ରେମୀ ସମସ୍ତେ ଚିନ୍ତିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/IMG20230309184722.jpg)