ଡାଙ୍ଗରା ଅସହାୟ ପରିବାର ନିକଟରେ ପହଚିଂଲା ପ୍ରଶାସନ

ଜୟପୁର: ମହାମାରୀ କରୋନାର ଦ୍ବିତୀୟ ପର୍ଯ୍ୟାୟର ପ୍ରଭାବରେ ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତର ଡାଙ୍ଗରା ଗାଁର ଗୋଟିଏ ପରିବାରର ବାପା ଓ ୨ ପୁଅଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଏହି ପରିବାର ଅସହାୟ ହୋଇପଡ଼ିଥିଲା। ‘କରୋନା ଉଜାଡ଼ିଦେଲା ପରିବାର’ ଶୀର୍ଷକ ଏକ ଖବର ଆଜି ସମ୍ବାଦରେ ପ୍ରକାଶିତ ହୋଇଥିଲା।

ସୂଚନାଯୋଗ୍ୟ, ଗତ ୧୮ତାରିଖ ଦିନ ପରିବାରର ବଡ଼ ପୁଅ କୌଳାସ ଚନ୍ଦ୍ର ନାୟକ, ୧୯ତାରିଖ ଦିନ ସାନ ପୁଅ ଖଗେଶ୍ବରଙ୍କର କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଉଭୟଙ୍କର ମୃତ୍ୟୁ ପରେ ପରିବାରବର୍ଗ ଦୁଃଖରେ ଭାଙ୍ଗିପଡ଼ିଥିବା ବେଳେ ଏହି ପରିବାରର ମୁଖିଆ ହରିହର ନାୟକଙ୍କର ୨୦ତାରିଖ ଦିନ ମୃତ୍ୟୁ ହୋଇଥିଲା। ଏହା ପରେ ଏହି ପରିବାରର ୩ଜଣ ମହିଳା ବିଧବା ଏବଂ ୨ପିଲା ଅନାଥ ହୋଇଥିଲେ।

ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଆଜି ଜୟପୁର ବିଡ଼ିଓ ସୂରଜ ପଟ୍ଟନାୟକ, ଡିସିପିଓ ରାଜଶ୍ରୀ ଦାଶ, କୁମୁଲିପୁଟ ସରପଂଚ ଆଦି ଡାଙ୍ଗରା ଗାଁକୁ ଯାଇ ଉକ୍ତ ପରିବାରବର୍ଗଙ୍କ ସହ ଭେଟିଥିଲେ। ଜୟପୁର କୋଭିଡ୍ ହସ୍ପିଟାଲରେ ୨ଜଣଙ୍କର ମୃତ୍ୟୁ ହୋଇଥିବାରୁ ଜୟପୁର ପୌରପାଳିକାରୁ ୨ଜଣଙ୍କର ଏବଂ ରାବଣାଗୁଡ଼ା ସିଏଚସିରୁ ଜଣଙ୍କର ମୃତ୍ୟୁ ପ୍ରମାଣପତ୍ର ଅଣାଯିବ ବୋଲି କହିଛନ୍ତି ବିଡିଓ। ସଂପ୍ରତି ରାଜ୍ୟ ସରକାର ଘୋଷଣା କରିଥିବା ଆର୍ଶିବାଦ ଯୋଜନା ସହ ପିଏମ୍ କେୟାର ରିଲିଫ ପଣ୍ଡରେ ବି ୨ ଅନାଥ ପିଲାଙ୍କୁ ସାମିଲ୍ କରାଯିବ।

ଏହା ସହ ଅନ୍ୟ ସରକାରୀ ଯୋଜନା, ଭତ୍ତା, ରାସନ୍ ଆଦି ପ୍ରଦାନ ଦିଗରେ ବି ପ୍ରଶାସନ ସଂପୁର୍ଣ୍ଣ ସହଯୋଗ କରିବ ବୋଲି କହିଛନ୍ତି ବିଡିଓ। ସେଭଳି ଜୟପୁର ବ୍ଲକର ବାଙ୍କବିଜାରେ ମା ୫ବର୍ଷ ତଳେ ଏବଂ ବାପା କୋଭିଡରେ ମୃତ୍ୟୁ ଘଟଣାରେ ବି ପ୍ରଶାସନ ସଂପୁର୍ଣ୍ଣ ସହଯୋଗ କରିବ ବୋଲି କହିଛନ୍ତି ବିଡିଓ। ୨ ଅନାଥ ପିଲାମାନଙ୍କୁ ଆର୍ଶିବାଦ ଯୋଜନା ଓ ପିଏମ୍ କେୟାର ରିଲିଫ ପଣ୍ଡରେ ସାମିଲ କରାଯିବା ସହ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ହଜାର ବି ପ୍ରଦାନ କରାଯିବ। ଏବାବଦରେ ରହିଥିବା ସବୁ ସରକାରୀ ଯୋଜନାରେ ବି ସାମିଲ କରାଯିବ ବୋଲି ବିଡିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର