ଭଦ୍ରକ: କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପାଇଁ ହିତାଧିକାରୀଙ୍କର ମାନ ନିର୍ଦ୍ଧାରଣ କରିବା ପରେ ଏବେ ସବୁଠି ଚାଲିଛି ଆବାସ ଯୋଜନା କଳି। ଥିଲାବାଲାଙ୍କ ନାଁ ଆବାସ ଯୋଜନାରେ ରହିଥିବା ବେଳେ ନଥିଲା ବାଲାଙ୍କ ନାମ କେଉଁ ପରିସ୍ଥିତିରେ କଟିଲା। ତାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହି ବିବାଦ ଏବେ ମଧ୍ୟ ତୁଟି ପାରୁ ନାହିଁ। ପ୍ରକୃତ ହିତାଧିକାରୀ ଚୟନ କରିବା ପ୍ରକ୍ରିୟା ଏବେ ମଧ୍ୟ ସରକାରୀ କର୍ମଚାରୀଙ୍କୁ ଅଡୁଆ ପରିସ୍ଥିତିରେ ରଖିଛି। ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଚୟନ କରିବା ପାଇଁ ଏହା ଭିତରେ ୧୫ ଦିନ ସମୟ ବିତିଗଲା। ତଥାପି ଏହି କଳି ତୁଟି ପାରି ନାହିଁ। ଯେଉଁମାନଙ୍କ ନାମ ପୂର୍ବରୁ ଥିଲା। ସେମାନଙ୍କ ନାମ ଏବେ ଅଯୋଗ୍ୟ ତାଲିକାରେ ରହିବା ପରେ ପ୍ରତି ଗାଁରେ ଆରମ୍ଭ ହୋଇଛି ବିବାଦ। ଭଦ୍ରକ ଜିଲ୍ଲାର ୭ ଟି ବ୍ଲୁ ଓ ୨୧୮ ଟି ପଞ୍ଚାୟତରେ ଏହି ପ୍ରଧାନମନ୍ତ୍ରୀ ଆବାସ କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି।
ପ୍ରକାଶ ଥାଉକି, ଭଦ୍ରକ ଜିଲ୍ଲାରେ ୩୬ ହଜାର ୮୨୮ ଆବାସ ଘର ମଧ୍ୟରୁ ୧୬ ହଜାର ୬୪୭ ଅଭିଯୋଗ ଆସିଥିଲା। ଏହି ଅଭିଯୋଗରୁ ଯୋଗ୍ୟ ଅଯୋଗ୍ୟ ବାହାର କରିବା ଘଟଣାକୁ ନେଇ ପ୍ରତି ପଞ୍ଚାୟତରେ ବିବଦର ବିଷ ମଞ୍ଜି ବୁଣାଯାଇଛି। ରାଜନେତା ଓ ବିଭିନ୍ନ ଦଳର ନିର୍ବାଚନ ସରପଞ୍ଚ, ସମିତି ସଭ୍ୟ ଏପରିକି କିଛ ବରିଷ୍ଠ ରାଜାନେତା ତାଙ୍କ ସମର୍ଥକଙ୍କ ନାମ ଯେଭଳି ଆବାସ ତାଲିକାରୁ କଟା ନଯିବ ସେ ଦିଗ ପ୍ରତି ଦୃଷ୍ଟି ଦେବାକୁ ସରକାରୀ କର୍ମଚାରୀଙ୍କୁ ତାଗିଦ୍ କରିଥିବା ବେଳେ ବିଚରା ସରକାରୀ କର୍ମଚାରୀ ଜଣଙ୍କ କଣ କରିବ। କାହା କଥା ଶୁଣିବ। ଏପରି ଅଡୁଆ ପରିସ୍ଥିତିରେ ରହିଛନ୍ତି ଭଦ୍ରକର ଅନେକ ସରକାରୀ ବାବୁ। କାହାକୁ କାଟିବେ, କାହାକୁ ଜୋଡିବେ ଏହି ଚିନ୍ତାରେ ରହିଛନ୍ତି। ଜିଲ୍ଲାର ମୋଟ ୩୬ ହଜାର ୮୨୮ ଜଣ ଜଣଙ୍କର ନାମ ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକା ପ୍ରକାଶ ପାଇବା ପରେ ସେମାନଙ୍କ ମଧ୍ୟରେ ଅନେକ ଅଯୋଗ୍ୟ ହିତାଧିକାରୀ ରହିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଅଯୋଗ୍ୟ ଓ ଯୋଗ୍ୟଙ୍କୁ ନେଇ ଚାଲିଛି ଟଣା ଓଟରା। ଅଭିଯୋଗରୁ ପ୍ରକାଶ ଯେ, ବନ୍ତ ବ୍ଲକର ଚାରିଗାଁ ପଞ୍ଚାୟତରେ ବହୁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଚାରିଗାଁ ପଞ୍ଚାୟତର ବିଧବା ମହିଳା ବାସନ୍ତୀ କଟୁଆଳ ଯାହାଙ୍କ ସ୍ବାମୀ ଗତ ୩ମାସ ତଳେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ। ସ୍ବାମୀ ଆରପାରିକୁ ଯିବା ପରେ ବାସନ୍ତୀ ଅସହାୟ ହୋଇପଡିଛନ୍ତି।
ଅସହାୟ ବାସନ୍ତୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ। ସେହିପରି ଏହି ପଞ୍ଚାୟତର ଗଙ୍ଗାଧର ଜଣେ ଗରିବ ଶ୍ରେଣୀର ଲୋକ ଅଟନି। ଦୁଇ ଝିଅ ବାହା ଘର ପାଇଁ ଯାହା ଜମି ଥିଲା ତାକୁ ବିକ୍ରି କରି ଦେଇଛନ୍ତି। ଏବେ ସେ ଅସୁସ୍ଥ ରହିଥିବା ବେଳେ ତାଙ୍କର ଭିନ୍ନକ୍ଷମ ପୁଅ ଓ ରୋଗାଗ୍ରସ୍ତ ପତ୍ନୀକୁ ନେଇ ବହୁ କଷ୍ଟରେ ପରିବାର ଚଳାଉଛନ୍ତି। ନିଜର ଚାଳ ଛପର ଘର ରହିଥିବା ବେଳେ ତାଙ୍କୁ ମଧ୍ୟ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ। ସେହିପରି ଯମୁନା ବେହେରା, ଗୋବିନ୍ଦ ବେହେରା, ଇନ୍ଦୁମତି ବେହେରା, କନକ ସାହୁ, ସରସ୍ବତୀ ସାହୁ, ପଦ୍ମାବତୀ ସାହୟୁ, ମିନତୀ କଟୁଆଳ, କଳ୍ପନା କଟୁଆଳ, ମଲ୍ଲି ସାହୁ, ସୁମିତ୍ରା ବେହେରା, ଲିଜା କଟୁଆଳ, ଭାରତୀ ପୃଷ୍ଟି, ଗୟାଧର କଟୁଆଳ, ମୁମିତ୍ରା କଟୁଆଳଙ୍କ ନାମ ଅବାସ ତାଲିକାରୁ ବାଦ ଦିଆଯାଇଛି। ଏମାନେ ଅର୍ଥନୈତିକ ସ୍ତରରେ ଅନଗ୍ରସର ହୋଇଥିବା ବେଳେ ଏମାନଙ୍କୁ କାହିଁକି ଅବାସ ଯୋଜନାରେ ସାମିଲ କରାଯିବ ନାହିଁ ବୋଲି ପ୍ରଶ୍ନ ଉଠିଛି। ଆବାସ ଯୋଜନାରେ ସାମିଲ ହେବା ପାଇଁ ଏଇ ଲୋକମାନେ ବାରମ୍ବାର ପ୍ରଶାସନିକ ଅଧିୀକାରୀଙ୍କ ନିକଟକୁ ଦୌଡି ଦୌଡି ନୟାନ୍ତ ହୋଇଛନ୍ତି। ମାତ୍ର ଏମାନଙ୍କୁ ଆବାସ ତାଲିକାରୁ ବଞ୍ଚିତ କରାଯିବା ପଛରେ କେଉଁ ରାଜନୈତିକ ଶକ୍ତି କାମ କରୁଛି। ତାକୁ ନେଇ ପ୍ରଶ୍ନ ଉଠିଛି। ହିତାଧିକାର ଚୟନ ବେଳେ ଅଯଥା ରାଜନୀତି ସବୁ କିଛି ଅଡୁଆ କରିଛି ବୋଲି ଜୈନିକ ଅଧିକାରୀ ପ୍ରକାଶ କରିଛନ୍ତି। ରାଜନୀତିରୁ ଉର୍ଦ୍ଧ୍ବରେ ରହି ଆବାସ ଚୟନ କଲେ ଏଭଳି ସମସ୍ୟା ଦେଖା ଦେବ ନାହିଁ ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରକାଶ କରିଛନ୍ତି। ରାଜନୀତି ଆବାସ ଚୟନ ପ୍ରକ୍ରିୟାକୁ ବିଭ୍ରାଟ କରୁଛି।