ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ସିକୁଆଁ ପଞ୍ଚାୟତ ବାଞ୍ଜିବାହାଲି ଗାଁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ କୋଠରି ନିର୍ମାଣରେ ନିଆଯାଇଥିବା ଶିକ୍ଷା ବିଭାଗର ଭୁଲ ନିଷ୍ପତ୍ତି ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିବା କୋଠା ବର୍ତ୍ତମାନ ଜମି ମାଲିକଙ୍କ ନିକଟକୁ ଚାଲିଯିବା ଆଶଙ୍କା କରାଯାଉଛି।
ବାଞ୍ଜିବାହାଲି ଗାଁର ଚୈତନ୍ୟ ପଟେଲ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଅଜା ତଥା ଏହି ମୌଜାର ସ୍ବର୍ଗତ ମହାଦେବ ପଟେଲଙ୍କ ନାରେ ଥିବା ଖାତା ନମ୍ବର ୧୮ର ପ୍ଲଟ ନମ୍ବର ୧୦୨,୧୦୩ ଏକ ଏକର ସ୍ଥାନରେ ସ୍କୁଲ କୋଠା ନିର୍ମାଣ କରାଯାଇଛି। ୧୯୯୭ ମସିହାରେ ତାଙ୍କ ପିତାଙ୍କୁ କିଛି ବ୍ୟକ୍ତି ଚକ୍ରାନ୍ତ କରି ସାଧା ଷ୍ଟାମ୍ପ ପେପରରେ ଦସ୍ତଖତ କରାଇ ନେଇ ସ୍କୁଲ ଜମି ବାବଦକୁ ନେଇ ୭ହଜାର ଟଙ୍କା ନେଇଥିବା ଦର୍ଶାଇଛନ୍ତି। ହେଲେ ତାଙ୍କ ଜାଣତରେ ତାଙ୍କ ପିତା ସ୍କୁଲ ପାଇଁ ଟଙ୍କା ନେଇ ନାହାନ୍ତି। ବର୍ତ୍ତମାନ ତାଙ୍କ ଉତ୍ତରାଧିକାରୀ ଭାବେ ସେହି ସ୍ଥାନ ଦରକାର ପଡ଼ୁଛି। ତେଣୁ ତୁରନ୍ତ ଏହି ସ୍ଥାନ ଦେବାକୁ ବ୍ଲକ୍ ଶିକ୍ଷା ଅଧିକାରୀ ଓ ବଲାଙ୍ଗୀର ଜିଳ୍ଲାପାଳଙ୍କ ନିକଟରେ ଦାବି କରି ଆସୁଛନ୍ତି। ବର୍ତ୍ତମାନ ସ୍କୁଲ ଜାଗାକୁ ନେଇ ଶିକ୍ଷା ବିଭାଗ ପାଟି ଖୋଳୁ ନାହିଁ। କେଉଁ ପରିସ୍ଥିତିରେ ରୟତି ଜମିରେ ଲକ୍ଷ ଲକ୍ଷ ଟଙ୍କା ସ୍କୁଲ କୋଠା ନିର୍ମାଣ କରାଗଲା? କିଏ ନିର୍ଦେଶ ଦେଲା? କେଉଁ ଯନ୍ତ୍ରୀ ଜମିର ଦଲିଲ ନ ଦେଖି ଲେ-ଆଉଟ ଦେଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବର୍ତ୍ତମାନ ପରିସ୍ଥିତିରେ ଏହି କୋଠାରେ ସ୍କୁଲ ଚାଲୁ ନ ଥିବାରୁ ସରକାରୀ ଅନୁଷ୍ଠାନ ଭାବେ ରହିବ ନା ପ୍ରକୃତ ଜମି ମାଲିକ ହାତକୁ କୋଠା ଚାଲି ଯିବ ତାହା ଚର୍ଚ୍ଚାର ବିଷୟ ହେଉଛି। ଦେଓଗାଁ ବିଇଓ ନେପାଲ ବାଗଙ୍କୁ ପଚାରିବାରୁ, ବର୍ତ୍ତମାନ ପଞ୍ଚାୟତରାଜ ବିଭାଗକୁ ସ୍କୁଲ କୋଠା ଦାୟିତ୍ବ ଦିଆଯାଇଛି। ସେ ଏହି ବିଷୟରେ କହି ପାରିବେ। ମୁଁ ମଧ୍ୟ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଛନ୍ତି।