କୋଇଡ଼ା: ପ୍ରାକୃତିକ ସମ୍ପଦଭରା ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ଅବାଧ ଖଣି ଖନନ ଯୋଗୁ ମରୁଭୂମି ପାଲଯିବ। ଏହି ଦୁଇ ଜିଲ୍ଲାର ମାଟିତଳେ ଭରି ରହିଛି ବହୁ ଅମୂଲ୍ୟ ଖଣିଜ ସମ୍ପଦ। ସ୍ୱାଧୀନତା ପରେ ପରେ ଭୂ-ଗର୍ଭରେ ଥିବା ବହୁ ଅମୂଲ୍ୟ ସମ୍ପଦକୁ ରାଷ୍ଟ୍ର ବିକାଶ ପାଇଁ ଖନନ ପ୍ରାରମ୍ଭ ହେଲା। ସମୟାନୁସାରେ ଖଣି ଖନନ ବଢ଼ିଲା। ପଚାଶ ବର୍ଷ ପରେ ବହୁ ଖଣିରେ ଖଣିଜ ପଦାର୍ଥ ମଧ୍ୟ ଶେଷ ହୋଇଗଲା। କିନ୍ତୁ ଖଣି ଖନନ ଆଳରେ ହଜାର ହଜାର ହେକ୍ଟର ସଂରକ୍ଷିତ ଜଙ୍ଗଲ ନଣ୍ଡା ହୋଇଗଲା ଓ ନଦୀ ଝରଣା ସବୁ ମାଟିରେ ମିଶି ଯାଇ ଏବେ ଶେଷଶଯ୍ୟାରେ। ଏମିତିକି ପ୍ରଦୂଷଣର ମାତ୍ରା ବଢ଼ି ବଢ଼ି ଚାଲିଲା। ଏକଦା କୋଇଡ଼ା ଖଣି ମଣ୍ତଳରେ ୭୦ରୁ ଅଧିକ ଖଣି ଥିବା ବେଳେ ମାତ୍ର ୨୫ଟି ଖଣି କାର୍ଯ୍ୟକ୍ଷମ ଅବସ୍ଥାରେ।
ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ଆର୍ଥିକ ଓ ପରିବେଶୀୟ ନୀତିରେ ଆବଶ୍ୟକ ପରିବର୍ତ୍ତନ ପାଇଁ ଶାସକ ଓ ମୁଖ୍ୟସ୍ରୋତର ବିରୋଧୀ ଦଳଗୁଡ଼ିକ ପ୍ରସ୍ତୁତ ନୁହନ୍ତି। ବରଂ ଚାଲୁଥିବା ନୀତିକୁ ଅଧିକ ଆକ୍ରମଣାତ୍ମକ କରାଯାଇ ଜୀବାଶ୍ମ ଜାଳେଣି ତଥା ପ୍ରଦୂଷଣକାରୀ ଓ ବିନାଶକାରୀ ନୂଆ ପ୍ରକଳ୍ପ ବୃଦ୍ଧି କରାଯାଉଛି। ଗତ ୬୦ ବର୍ଷରେ ଏହି ଅଞ୍ଚଳ ସଂଘାତିକ ପ୍ରଦୂଷଣର ଶିକାର ହୋଇଛି। ଖଣି ଖନନ ଦ୍ବାରା ଅଞ୍ଚଳର ୪୦ ହଜାର ହେକ୍ଟର କୃଷିଜମି ଓ ଜଙ୍ଗଲ ବିଲୋପ ହେବ। ବଳି ପଡ଼ିବ ହଜାର ହଜାର ବର୍ଷର ଘଞ୍ଚ ଜଙ୍ଗଲ। କୋଇଡ଼ା ଖଣି ସର୍କଲରେ ବନ୍ଦଥିବା ୪୦ରୁ ଅଧିକ ଲୁହାପଥର ଏବଂ ମାଙ୍ଗାନିଜ ଖଣିଗୁଡ଼ିକ ନ ଖୋଲି ଶହ ଶହ ହେକ୍ଟରର ସଂରକ୍ଷିତ ଜଙ୍ଗଲ ସମେତ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବା ଘଞ୍ଚ ଜଙ୍ଗଲକୁ ମଧ୍ୟ ଖଣି ଲିଜ୍ଧାରୀଙ୍କ ହାତକୁ ଟେକିଦେବେ।
ସରକାରଙ୍କ ଏଭଳି କାର୍ଯ୍ୟକୁ କେହି ଏ ଯାବତ ବିରୋଧ କରିନାହାନ୍ତି। ରାଜ୍ୟ ସରକାର ଯଦି ନୂତନ ଖଣିଗୁଡ଼ିକୁ ଲିଜ୍ ଆବଣ୍ଟନ ବନ୍ଦ ନ କରନ୍ତି ତେବେ ହାତୀମାନଙ୍କ ଯାତାୟାତ ପଥ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହେବା ସମେତ ଏ ଅଞ୍ଚଳରୁ ହାତୀଙ୍କ ସତ୍ତା ଲୋପ ପାଇଯିବ। ତେବେ ୨୦୨୦ ମସିହାରେ କୋଇଡ଼ା ରେଞ୍ଜର ସର୍ଗିଗଡ଼ ଏବଂ ଶଗଡ଼ଭଙ୍ଗା ଠାରେ ୨ଟି ହାତୀ ଓ ବରସୁଆଁ ରେଞ୍ଜର ରଜାବସାଠାରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ବନବିଭାଗ ପକ୍ଷରୁ କିନ୍ତୁ ଏ ହାତୀମାନଙ୍କ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ। କଠମାଳରୁ ମେଣ୍ଢାମାରୁଣି ସଂରକ୍ଷିତ ଜଙ୍ଗଲ ବାଟ ଦେଇ ଖାଜୁରଡିହି ସଂରକ୍ଷିତ ଜଙ୍ଗଲ ପରେ ଭବାନୀ ପାହାଡ଼ରୁ ମାଙ୍କଡନଚା ବାଟ ଦେଇ ସାରକୁଣ୍ଡା ସଂରକ୍ଷିତ ପରେ ତୋଡା ସଂରକ୍ଷିତ ଜଙ୍ଗଲ ଦେଇ ହାତୀଙ୍କ ସମେତ ଅନ୍ୟ ବନ୍ୟପ୍ରାଣୀ ମାନେ ବିଚରଣ କରିଥାନ୍ତି। ତେବେ କିଛିବର୍ଷ ହେବ ବନ୍ୟପ୍ରାଣୀଙ୍କ ବିଚରଣ ଅଞ୍ଚଳ ସଙ୍କୁଚିତ ହେବାକୁ ଲାଗିଛି। ଯାହାଫଳରେ ଜୀବଜନ୍ତୁ ସହରମୁହାଁ ହେବା ସହ ବିଭିନ୍ନ ଦୁର୍ଘଟଣାର ଶିକାର ହେଉଛନ୍ତି। ସଂରକ୍ଷିତ ଜଙ୍ଗଲ ସବୁ ଖଣି ଖନନ ନାମରେ ଖଣି କମ୍ପାନି ହାତକୁ ଚାଲିଯାଉଛି। ଯାହା ଫଳରେ କୋଇଡ଼ା ଖଣି ମଣ୍ଡଳ କେବଳ ଯେ ମରୁଭୂମିରେ ପରିଣତ ହେବ ତାହା ନୁହେଁ, ହାତୀମାନଙ୍କ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେବ ଏବଂ ଆଗାମୀଦିନରେ ଚିନ୍ତାର ବିଷୟ ପାଲଟିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/f68a383b-78e2-4c58-967c-5f171d36f02e.jpg)