ଜଣେ ବ୍ୟକ୍ତି ଦୁଇଟି ସ୍ଥାନରେ କରୁଛନ୍ତି ସରକାରୀ ଚାକିରି

ବାରିପଦା: ବ୍ୟକ୍ତି ଜଣେ; ମାତ୍ର ଏକ ସମୟରେ ଦୁଇଟି ଅଲଗା ଅଲଗା ସ୍ଥାନ ଓ କାର୍ଯ୍ୟାଳୟରେ ସମସ୍ତ ସରକାରୀ ନୀତି ନିୟମ ଓ ଆଇନ କାନୁନକୁ ଫୁ କରି ଚାକିରି କରୁଥିବାର ସୂଚନା ମିଳିଛି । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଥିରେ ଶତ ପ୍ରତିଶତ ସତ୍ୟତା ରହିଛି । ବର୍ତମାନ ସମୟରେ ରାଜ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ଯୁବତୀ କୌଣସି କାମଧନ୍ଦା ନପାଇ ବେକାର ହୋଇ ବୁଲୁଛନ୍ତି । ସରକାରୀ ଚାକିରି ସେମାନଙ୍କ ପାଇଁ ସାତ ସପନ ହୋଇଥିବା ସମୟରେ ଜଣେ ବ୍ୟକ୍ତି ଦୁଇ ଦୁଇଟି ଅଲଗା ଅଲଗା କାର୍ଯ୍ୟାଳୟରେ ବର୍ଷ ଧରି ସରକାରୀ ଚାକିରି କରି ଦରମା ନେଇଚାଲିଛନ୍ତି । ତାହାପୁଣି ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ । ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ ।

ଜିଲ୍ଲାର ବେତନଟୀ ବ୍ଲକ୍ ଅଞ୍ଚଳର ଦୀଲ୍ଲିପ କୁମାର ମହାନ୍ତ ନାମକ ବ୍ୟକ୍ତି ଏକକାଳୀନ ଦୁଇ ଦୁଇଟି ସରକାରୀ ଚାକିରି ପାଇବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ବେତନଟୀ ବ୍ଲକର କୃର୍ଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା କରଞ୍ଜିଆ ସବ୍ସେଣ୍ଟରରେ ସ୍ୱାସ୍ଥ୍ୟ କର୍ମୀ ଭାବେ ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ୭ ବର୍ଷ ଧରି ଖୁଣ୍ଟା ଜୁନିଅର ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଗଣିତରେ ରେଗୁଲାର ପୋଷ୍ଟରେ କାର୍ଯ୍ୟ କରିଆସୁଛନ୍ତି । ଏହାର ତଥ୍ୟ ଆମର ହସ୍ତଗତ ହୋଇଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ବ୍ୟକ୍ତି ଜଣଙ୍କ ସ୍ୱାସ୍ଥ୍ୟ ବିଭାଗରେ ସ୍ୱାସ୍ଥ୍ୟକର୍ମୀ ଭାବରେ କାର୍ଯ୍ୟ କରୁଥିବା ବେଳେ ଖୁଣ୍ଟା ଜୁନିୟର ମହାବିଦ୍ୟାଳୟରେ ଗଣିତ ଅଧ୍ୟାପକ ଭାବରେ ନିଯୁକ୍ତି କିପରି ପାଇଲେ ଓ ସରକାରୀ ନିୟମ ଅନୁସାରେ ସରକାରୀ କାର୍ଯ୍ୟ ଦିବସଗୁଡ଼ିକରେ ପ୍ରତ୍ୟେକ ଦିନ ନିଜର ଉପସ୍ଥାନ କିପରି ପକାଇ ଆସୁଥିଲେ ।

ସ୍ୱାସ୍ଥ୍ୟ ବିଭାଗର କରଞ୍ଜିଆ ସବସେଣ୍ଟର ଅଧୀନରେ ଥିବା ଅଞ୍ଚଳରେ ଲୋକମାନଙ୍କ ନିକଟରେ ପହଁଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟ ସହିତ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକରେ ଉପଲବ୍ଧ ଔଷଧପତ୍ର ବଣ୍ଟନ ଦାୟିତ୍ୱ ତୁଲାଉଥିବା ବେଳେ ସବସେଣ୍ଟରଠାରୁ ପ୍ରାୟ ୩୫/୪୦ କି.ମି ଦୂରରେ ଥିବା ଖୁଣ୍ଟା ଜୁନିୟର ମହାବିଦ୍ୟାଳୟରେ ସେହି ସମାନ ସମୟରେ କିଭଳି ଭାବେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିଆସୁଥିଲେ ତାହା ଏବେ ଏକ ବଡ ପ୍ରଶ୍ନବାଚୀ ହୋଇ ଛିଡାହୋଇଛି । ଏହି ଘଟଣାରେ କ୍ୟାମେରା ସମ୍ମୁଖରେ କାହାରି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଏହି ଘଟଣାକୁ ଟେଲିଫୋନ୍ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି କୃଷ୍ଣନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ. ମହେଶ୍ୱର ମାଝି ଏବଂ ଉଦଳା ଉପଜିଲ୍ଲାପାଳ ତଥା ଖୁଣ୍ଟା ଜୁନିଅର କଲେଜର ସଭାପତି ଭଗବାନ ବେହେରା ।

ଅଧ୍ୟାପକ ଓ ସ୍ୱାସ୍ଥ୍ୟ କର୍ମୀ ଦିଲ୍ଲିପ ମହାନ୍ତଙ୍କୁ ଏନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ଖୁବ୍ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉଦଳା ଉପଜିଲ୍ଲାପାଳ ତଥା ଖୁଣ୍ଟା ମହାବିଦ୍ୟାଳୟର ସଭାପତି ଶ୍ରୀ ବେହେରା । ଅନ୍ୟପଟେ ଏହି ଘଟଣାକୁ ନିଜେ ଦିଲ୍ଲିପ କୁମାର ମହାନ୍ତ ଚଳିବା ପାଇଁ ସେ ଯେମିତି ହେଉ ଦୁଇ ପଇସା ରୋଜଗାର କରୁଛନ୍ତି ବୋଲି ଫୋନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀମହାନ୍ତ ନିଜେ ଭୂଲ୍ ତଥା ଜାଲିଆତି କରୁଥିବା ଜାଣି ସୁଦ୍ଧା ସରକାରଙ୍କୁ ଚୁନ ଲଗାଇ ଦୁଇଟି ଚାକିରି କରି ଦରମା ନେଇ ଚାଲିଥିବା ବେଳେ ଖୁଣ୍ଟା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ସଭାପତି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଜାଣି ପାରିନଥିଲେ କିପରି ? ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପରଦା ପଛରେ ଲୁଚିଥିବା ସତ୍ୟ ଲୋକ ଲୋଚନକୁ ଆସିପାରିବ ।

ସମ୍ବନ୍ଧିତ ଖବର