ସରକାରୀ କର୍ମଚାରୀ ସାଜିଲେ ଠିକାଦାର, ଗୋଟିଏ ପରିବାରକୁ ଏକାଧିକ ପାଇଖାନା ମଂଜୁର

ବୈପାରିଗୁଡା: ସ୍ବଚ୍ଛ ଭାରତ ମିଶନର ମୂଳ ଲକ୍ଷ୍ୟ ସ୍ବଚ୍ଛତା ରକ୍ଷା କରିବା। ବିଶେଷ କରି ପ୍ରତି ପରିବାର କିପରି ପାଇଖାନା ବ୍ୟବହାର କରିପାରିବେ, ଏଥିପ୍ରତି ସରକାରଙ୍କ ତରଫରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରକୁ ବାର ହଜାର ଟଙ୍କା ଅନୁଦାନ ମଧ୍ୟ ପ୍ରଦାନ କରାଯାଇଥାଏ। ବୈପାରିଗୁଡା ବ୍ଲକରେ ପାଇଖାନାକୁ ନେଇ ହେରଫେର ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ବୈପାରିଗୁଡା ପଞ୍ଚାୟତ ଅନ୍ତର୍ଗତଲକ୍ଷ୍ମୀପୁର, ବାତ୍ରିଗୁଡା, ନୂଆଗୁଡା ଗ୍ରାମ ପାଇଁ ମୋଟ ତିରିଶଟି ପାଇଖାନା ମଂଜୁର ହୋଇଛି। ତେବେ ପାଇଖାନା ବଣ୍ଟନରେ କିଭଳି ଅବ୍ୟବସ୍ଥା ତଥା ବେନିୟମ କାର୍ଯ୍ୟ କରାଯାଇଛି ତାହାର ପ୍ରମାଣ ଦେଖିବାକୁ ମିଳିଛି ନୂଆଗୁଡା ଗ୍ରାମରେ। ଏହି ଗ୍ରାମରେ ସମୁଦାୟ ନଅଟି ପାଇଖାନା ମଂଜୁର କରାଯାଇଥିବା ବେଳେ ଗୋଟିଏ ପରିବାରରୁ ଏକାଧିକ ସଭ୍ୟଙ୍କୁ ଅଲଗା ଅଲଗା ଭାବେ ପାଇଖାନା ପ୍ରଦାନ କରାଯାଇଛି। ଯଦିଓ ଏହା ସଂପୂର୍ଣ୍ଣ ଆଇନ ବର୍ହିଭୁତ ଅଟେ।

ସୂଚନା ଅନୁଯାୟୀ ଘରର ମୁରବୀ ତଥା ହିତାଧିକାରୀ ବୁଦ୍ରୀ ଲକେଇ ପୂର୍ବରୁ ପାଇଖାନାଟିଏ ପ୍ରଦାନ କରାଯାଇଥିଲା। ତେବେ ବର୍ତ୍ତମାନ ଅନୁସନ୍ଧାନରୁ ଜଣାପଡିଛି ଯେ ପରବର୍ତ୍ତୀ ସମୟରେ ବୁଦ୍ରୀ ଲକେଇଙ୍କ ପୁଅ ଡମ୍ବରୁ ଲକେଇ ବୋହୂ ନିଳା ଲକେଇ ଏବଂ ଝିଅ ଲାବାଇନ ସୁକ୍ରି ନାମରେ ପୃଥକ୍ ଭାବେ ପାଇଖାନା ପ୍ରଦାନ କରାଯାଇଛି।

ସେହିପରି ହିତାଧିକାରୀ ଲଳିତ ଲକେଇଙ୍କର ପୁରୁଣା ପାଇଖାନାଟିଏ ଥିଲେ ମଧ୍ୟ ତାଙ୍କର ଦୁଇ ପୁଅ ଘେନୁ ଏବଂ ଶ୍ୟାମସୁନ୍ଦରଙ୍କ ନାମରେ ଦୁଇଟି ପାଇଖାନା ମଂଜୁର ହୋଇଛି। ପ୍ରକାଶ ଯୋଗ୍ୟ ଯେ ଏଦୁହେଁ ଅବିବାହିତ ଏବଂ ସରକାରୀ ନିୟମ ଅନୁଯାୟୀ ଅବିବାହିତଙ୍କୁ ପୃଥକ୍ ଭାବେ ପାଇଖାନା ଦିଆଯାଇନଥାଏ।ଅନ୍ୟ ଜଣେ ହିତାଧିକାରୀ ହେଲେ ମୁରଲି ପୂଜାରୀ। ତାଙ୍କ ନାମରେ ପୁରୁଣା ପାଇଖାନାଟିଏ ଥିଲେ ମଧ୍ୟ ତାଙ୍କର ଅବିବାହିତ ପୁଅ ମନ ପୂଜାରୀ ପାଇଁ ପାଇଖାନା ଦିଆଯାଇଛି।

ଗୋରା ପୂଜାରୀଙ୍କ ପୁରୁଣା ଥିଲେ ମଧ୍ୟ ତାଙ୍କ ଅବିବାହିତ ଗଣେଶକୁ ନୂଆ ପାଇଖାନା ମିଳିଛି।ନୂଆଗୁଡା ପାଇଁ ମୋଟ ନଅଟି ପାଇଖାନା ପାଇଁ ପ୍ରସ୍ତାବ ମଂଜୁର ହୋଇଥିବା ବେଳେ ଏହି ଚାରୋଟି ପରିବାରକୁ ସାତଟି ପାଇଖାନା ବାଣ୍ଟି ଦିଆଯାଇଛି। ତେବେ କେଉଁ ନିୟମକୁ ଆଧାର କରି ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ ବଣ୍ଟା ଯାଇଛି ଜଣା ପଡୁନାହିଁ। ବାତ୍ରିପୁଟ ଗ୍ରାମ ପାଇଁ ତିରିଶିଟି ପାଇଖାନା ମଂଜୁର ହୋଇଥିବା ବେଳେ ହିତାଧିକାରୀଙ୍କ ବଦଳରେ ନିଜେ ବିଆରସି ନିର୍ମାଣ ଦାୟିତ୍ବ ନେଇଛନ୍ତି ଯାହାକି ସଂପୂର୍ଣ୍ଣ ବେଆଇନ ଅଟେ। ବାତ୍ରିପୁଟର ଓ୍ବାର୍ଡମେମ୍ବରଙ୍କ କହିବା ଅନୁଯାୟୀ ପାଇଖାନା ଗୁଡ଼ିକ ନିମ୍ନମାନର ହୋଇଥିବା ବେଳେ ସେଥି ମଧ୍ୟରୁ ଅଧିକାଂଶ ଅସଂପୂର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ ଲୋକେ ବ୍ୟବହାର ଅନୁପଯୋଗୀ ପାଇଖାନାରେ ବିଭିନ୍ନ ସାମଗ୍ରୀ ରଖୁଛନ୍ତି।

ଏସଂପର୍କରେ ବିଆରସିଙ୍କୁ ପଚାରିବାରୁ ସେ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଓ୍ବର୍ଡମେମ୍ବର ଅଭିଯୋଗ ଆଣିଛନ୍ତି। ଏସଂପର୍କରେ ବୈପାରିଗୁଡା ବିଡ଼ିଓଙ୍କୁ ପଚରାଯିବାରୁ ଗୋଟିଏ ପାଇଖାନା କେବଳ ଜଣେ ହିତାଧିକାରୀ ପାଇବା ପାଇଁ ଯୋଗ୍ୟ। ଯଦି ଏପ୍ରକାର ବେଆଇନ କାର୍ଯ୍ୟ ହୋଇଥାଏ ଏବଂ ମୋ ନିକଟକୁ ଯଦି ଅଭିଯୋଗ ପହଞ୍ଚେ ତେବେ ଅନୁସନ୍ଧାନ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର