କଟକ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରବିବାର ଅପରାହ୍ନରେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ୍ଙ୍କ ସୈଦାନୀବଗିଚାସ୍ଥିତ ବାସଭବନ ଯାଇ ସେଠାରେ ୪୫ ମିନିଟ୍ ରହିଥିଲେ। ଏହିସମୟରେ ବିଧାୟକଙ୍କ ମା’ ଓ ପରିବାରର ସଦସ୍ୟ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ ସହିତ ତାଙ୍କ ପୁଅ ଓ ରାଜଭବନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆସିଥିଲେ।
ସୂଚନା ଅନୁସାରେ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ବିଧାୟକ ମୋକିମ୍ଙ୍କ ମଧ୍ୟରେ କଟକ ସହରର ଭାଇଚାରା, ସଂସ୍କୃତି, ସହରର ବିଭିନ୍ନ ସମସ୍ୟା, ସାଂପ୍ରତିକ ରାଜ୍ୟ ରାଜନୀତି, ରାଜ୍ୟର ବିଭିନ୍ନ ସମସ୍ୟା, ଏସ୍ସିବି ମେଡିକାଲ୍ର ସଂପ୍ରସାରଣ କାର୍ଯ୍ୟ ସଂପର୍କରେ ଆଲୋଚନା ହୋଇଥିଲା। ଏହାକୁ ସଂପୂର୍ଣ୍ଣ ଘରୋଇ କାର୍ଯ୍ୟକ୍ରମ କୁହାଯାଉଛି।
ଏ ସଂପର୍କରେ ବିଧାୟକ ଇଂ. ମୋକିମ୍ କହିଛନ୍ତି, ‘ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। ରାଜ୍ୟପାଳଙ୍କ ସହିତ ମୋର ବ୍ୟକ୍ତିଗତ ସଂପର୍କ ରହିଛି। ସେହି ଆଧାରରେ କଟକ ଗସ୍ତ ସମୟରେ ରାଜ୍ୟପାଳ ଆମ ପରିବାର ସଦସ୍ୟଙ୍କ ଗହଣରେ କିଛି ସମୟ ବିତାଇଛନ୍ତି।’ ରାଜ୍ୟପାଳଙ୍କ ସୌଜନ୍ୟମୂଳକ ସାକ୍ଷାତ ଓ ଉପସ୍ଥିତି ପାଇଁ ମୋକିମ୍ଙ୍କ ପରିବାର ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।
ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍ ଦେଇ କଂଗ୍ରେସ ବିଧାୟକ ମୋକିମ୍ ଚର୍ଚ୍ଚାରେ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/mokim.jpg)