ସୋନପୁର/ ବିନିକା/ ଲଛିପୁର: ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ସୋମବାର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟପାଳ ରଘୁବର ଦାସ କର୍ତ୍ତଙ୍ଗ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ କହିଛନ୍ତି। ସେହିପରି ରାଜ୍ୟରେ ୪୯ ପ୍ରତିଶତ ଛାତ୍ରଛାତ୍ରୀ ଡ୍ରପ୍ଆଉଟ୍ ହେବା ଚିନ୍ତାର ବିଷୟ। ଏହି ଡ୍ରପ୍ଆଉଟ୍ ହାର ଶୂନ କରିବା ସମସ୍ତଙ୍କ ନୈତିକ କର୍ତ୍ତବ୍ୟ ବୋଲି ରାଜ୍ୟପାଳ ଶ୍ରୀ ଦାସ ମତ ପ୍ରକାଶ କରିଥିଲେ। ପ୍ରଭାତଫେରି, ସ୍କୁଲ ଚାଲ ଅଭିଯାନ ମଧ୍ୟ ଗାଁରେ ଚାଲିବା ଆବଶ୍ୟକ। ପୁଅ ଝିଅ ମଧ୍ୟରେ ଶିକ୍ଷାକୁ ନେଇ କୌଣସି ପ୍ରଭେଦ ରହିବା ଅନୁଚିତ। ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା ଦେବା ଆବଶ୍ୟକ। ନୂଆ ଶିକ୍ଷାନୀତି ଦେଶରେ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ। ଶିକ୍ଷା ଗରିବ ହଟାଇବ। ତେଣୁ ଶିକ୍ଷିତ ହେବା ଆବଶ୍ୟକ ବୋଲି ରାଜ୍ୟପାଳ ଶ୍ରୀ ଦାସ ମତ ପ୍ରକାଶ କରିଥିଲେ। ସେହିପରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସ୍ବପ୍ନ ସାକାର କରିବା ପାଇଁ କଠିନ ପରିଶ୍ରମ ଜରୁରି ବୋଲି ସେ ପରାମର୍ଶ ଦେଇଥିଲେ। ଶିକ୍ଷିତ ଓଡ଼ିଶା ହେଲେ ଦୀକ୍ଷିତ ଓଡ଼ିଶା ହେବ ବୋଲି ରାଜ୍ୟପାଳ ଶ୍ରୀ ଦାସ କହିଥିଲେ। ସେହିପରି ରାଜ୍ୟପାଳ ତାଙ୍କ ଗସ୍ତ ସମୟରେ ହରଡ଼ଖୋଲଠାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହ ମତ ବିନିମୟ କରିଥିଲେ।
ଏହାପରେ ସୋନପୁର ବ୍ଲକ୍ ରୁଗୁଡ଼ିପାଲି ଅଙ୍ଗନବାଡ଼ି କେନ୍ଦ୍ର(ବି)ର କର୍ମୀ ଏବଂ ଅଭିଭାବକମାନଙ୍କ ସହ ପୋଷଣ ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାର ସିଧାପ୍ରସାରଣ ରାଜ୍ୟପାଳ ଶ୍ରୀ ଦାସ ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଥିଲେ। ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ। ରେଙ୍ଗାଲି ପଞ୍ଚାୟତ ବାଙ୍କତେନ୍ତୁଳିସ୍ଥିତ ଅଯୋଧ୍ୟା ପ୍ରସାଦ ବିଦ୍ୟାପୀଠରେ ଗ୍ରାମବାସୀ ଏବଂ କୃଷକଙ୍କ ସହ ଆଲୋଚନା କରିଥିଲେ। ଏଠାରେ ଚାଷୀମାନେ କପା ଚାଷ ଉପରେ କହିବା ସହ ସୋନପୁର ସ୍ପିନିଂମିଲ୍କୁ ପୁନରୁଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ। ରାଜ୍ୟପାଳ ଶ୍ରୀ ଦାସ କୃଷି କ୍ଷେତ୍ରରେ ରାସାୟନିକ ସାର ପ୍ରୟୋଗ ବନ୍ଦ କରି ଜୈବିକ ସାରରେ ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ। କର୍ତ୍ତଙ୍ଗ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ ଅଲୋଚନା କରିଥିଲେ। ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଏସ୍ପି ହେମନ୍ତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।