ଓଡ଼ିଶା ଯାହା କରିପାରେ, ତାହା ବିଶ୍ବରେ କେହି କରିପାରିବେନି: ରାଜ୍ୟପାଳ

ଏସ୍‌ସିବିରେ ଆହତଙ୍କୁ ଭେଟିଲେ ରାଜ୍ୟପାଳ, ସ୍ବାସ୍ଥ୍ୟମନ୍ତ୍ରୀ, ଆଜି ପୁଣି ଓଡ଼ିଶା ଆସିବେ ମମତା, ଏଥର କଟକ

କଟକ : ଯାହା ଓଡ଼ିଶା କରିପାରିବ, ତାହାକୁ ବିଶ୍ବରେ କେହି କରିପାରିବେନି। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ରେଳ ଦୁର୍ଘଟଣାରେ ଆହତଙ୍କୁ ଭେଟିବା ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏଥିସହିତ ଚିକିତ୍ସା ସେବାରେ ନିୟୋଜିତ ଡାକ୍ତରଙ୍କୁ ଜଗନ୍ନାଥଙ୍କ ସନ୍ତାନ ବୋଲି ସମ୍ବୋଧନ କରିଛନ୍ତି ରାଜ୍ୟପାଳ। ସେ କହିଥିଲେ ଯେ ସମସ୍ତଙ୍କ ସମ୍ମିଳିତ ଉଦ୍ୟମ, ଏକାଠି ହୋଇ ଏଭଳି ବିପତ୍ତିରେ ଲୋକଙ୍କୁ ନିରନ୍ତର ସେବା ଯୋଗାଇବା କ୍ଷେତ୍ରରେ ଆଗକୁ ବିଶ୍ବସ୍ତରୀୟ ମାନ୍ୟତା ଅପେକ୍ଷା ରଖିଥିବା କଟକ ବଡ଼ ଡାକ୍ତରଖାନା ତାର କାର୍ଯ୍ୟ କରୁଛି। ସମାଜର ସବୁ ବର୍ଗ ଏକାଠି ହୋଇ ଯେଉଁ ସେବା, ସମର୍ପଣର ଭାବନା ଦେଖାଇଛନ୍ତି ସେଥିପାଇଁ ରାଜ୍ୟପାଳ ସମସ୍ତଙ୍କୁ ସାଧୁବାଦ ଓ ପ୍ରଣାମ ଜଣାଇଛନ୍ତି।

ଅନ୍ୟପଟେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ଆଜି କଟକ ବଡ ଡାକ୍ତରଖାନାକୁ ଆସି ଆହତ ମାନଙ୍କୁ ଅବସ୍ଥା ଅନୁଧ୍ୟାନ କରିଥିଲେ ଟ୍ରେନ ଦୁର୍ଘଟଣା ପୀଡିତମାନଙ୍କୁ ସ୍ଵତଃସ୍ଫୁର୍ତ୍ତ ସେବା ଯୋଗାଇ ଦେବା ମାନବସେବାର ଶ୍ରେଷ୍ଠ ନିଦର୍ଶନ ଓ ଏହାଦ୍ୱାରା ରାଜ୍ୟର ସମ୍ମାନ ବଢିଛି ବୋଲି କହିଥିଲେ ମନ୍ତ୍ରୀ। ମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୌଣସି ବ୍ୟକ୍ତି ଅଦ୍ୟାବଧି ପ୍ରାଣ ହରାଇ ନାହାନ୍ତି। ୧୯୨ଜଣ ପୀଡିତ ଏସସିବିରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୨ଜଣ ରୋଗୀ ସାମୟିକ ଚିକିତ୍ସା ଘରକୁ ଫେରି ଯାଇଛନ୍ତି। ବର୍ତ୍ତମାନ ୧୪୦ଜଣ ରୋଗୀ ଏଠାରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୧୦ଜଣ ଆଇସିୟୁରେ ଥିଲେ ମଧ୍ୟ ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ସ୍ବାସ୍ଥ୍ୟମନ୍ତ୍ରୀ ଏସସିବି ମେଡିକାଲର ସମ୍ମିଳନୀ କକ୍ଷରେ ଆହତଙ୍କ ଚିକିତ୍ସା ସଂପର୍କ‌ରେ ଜିଲ୍ଲାପାଳ ସମୀକ୍ଷା ‌କରିଥିଲେ। ବୈଠକରେ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ, ରାଜ୍ୟ ନିରାମୟ ଯୋଜନାର ଉପଦେଷ୍ଟା‌ ଡକ୍ଟର ରଞ୍ଜନ କୁମାର ବିଶ୍ଵାଳ, ସିଏମ୍‌ସି କମିସନର ନିଖିଲ ପୱନ କଲ୍ୟାଣ, ଏସସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରସେନଜିତ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, କନିଷ୍ଠ ଡାକ୍ତର ସଂଘର ସଭାପତି ଡାକ୍ତର ସୁବ୍ରତ କୁମାର ସାହୁ, ଅଧିସ୍ନାତକ ସଂଘର ସଭାପତି ଓମ ସ୍ଵୟଂପ୍ରକାଶ ରାଉତରାୟ, ସାଧାରଣ ସଂପାଦକ ବିଭାସ କୁମାର ସାହୁ, ହାଉସିଂ ସର୍ଜନର ସଭାପତି ଡାକ୍ତର ସୌଭାଗ୍ୟ ସାହୁ, ନର୍ସିଂ ସଂପାଦିକା ସରୋଜିନୀ ଜେନା, ହାସପାତାଳ ପରିଚାଳନା ପରାମର୍ଶଦାତା କ୍ରିଷ୍ଣା ପାତ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କର୍ମଚାରୀ ସଂଘର ସଂପାଦକ ପ୍ରସନ୍ନ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଥାଉକି, ଏସ୍‌ସିବିରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗର ଆହତମାନଙ୍କୁ ଭେଟିବା ପାଇଁ ଆସନ୍ତାକାଲି ଦିନ ପ୍ରାୟ ୨ଟା ପାଖାପାଖି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସିବେ ବୋଲି ସୂଚନା ମିଳିଛି। ପୂର୍ବରୁ ସେ ୩ ତାରିଖରେ ବାଲେଶ୍ବର ବାହାନାଗା ଆସି ଘଟଣାସ୍ଥଳରେ ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର