‘ହୃଦୟର ଭାଷାକୁ ବୁଝ, ସୂର୍ଯ୍ୟ ଭଳି ଚମକ’: ରାଜ୍ୟପାଳ

ଏକଲବ୍ୟ, ଜିସିଡି ବିଦ୍ୟାର୍ଥୀଙ୍କ ସହ ରାଜ୍ୟପାଳଙ୍କ ଭାବ ବିନିମୟ…

ରାୟଗଡ଼ା: ସଚିନ୍ ତେନ୍ଦୁଲକର, ଲତା ମଞ୍ଜେସକର, ବିରାଟ କୋହଲିଙ୍କୁ ଅନୁସରଣ କରନି। ନିଜ ହୃଦୟ, ଅନ୍ତର ଆତ୍ମାର ଭାଷାକୁ ବୁଝ। ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସ୍ବତନ୍ତ୍ରତା ରହିଛି। ଯାହାକୁ ନିଜେ ଚିହ୍ନିବାର ଆବଶ୍ୟକତା ରହିଛି। ନିଜ ଭିତରେ ଥିବା ଅନ୍ତର୍ନିହିତ ଗୁଣାବଳୀକୁ ସୂର୍ଯ୍ୟଙ୍କ ଭଳି ଚମକାଇବାକୁ ହେଲେ ସୂର୍ଯ୍ୟଙ୍କ ଭଳି ଜଳିବାକୁ ପଡ଼ିବ। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସହ ଭାବ ବିନିମୟ କରି ଏହା କହିଛନ୍ତି ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ରାଜ୍ୟପାଳ କହିଛନ୍ତି, ଜୀବନରେ ସଫଳ ହେବା ପାଇଁ ଉଚ୍ଚ ଶିକ୍ଷା ଜରୁରି ନୁହେଁ। ଉତ୍କଳମଣି ଗୋପବନ୍ଧୁ, ସନ୍ଥ କବି ଭୀମଭୋଇ, ପଞ୍ଚସଖା ଭଳି ମହାପୁରୁଷ ଉଚ୍ଚ ଶିକ୍ଷିତ ହୋଇନଥିଲେ। କିନ୍ତୁ ସେମାନଙ୍କ ଲକ୍ଷ୍ୟ, ଉଦ୍ଦେଶ୍ୟ ଅତ୍ୟନ୍ତ ସ୍ପଷ୍ଟ ଓ ଜାତିର ବିକାଶ ଉଦ୍ଦେଶ୍ୟରେ ଥିଲା। ଶିକ୍ଷା ନାଁରେ ଅଧିକାଂଶ ବିଦ୍ୟାର୍ଥୀ ଭୁଲ୍ ଶିକ୍ଷା ଗ୍ରହଣ କରୁଥିବାରୁ ଭବିଷ୍ୟତରେ ପଥଭ୍ରଷ୍ଟ ହେଉଛନ୍ତି। ଦେଶ ମଧ୍ୟ ବିପଥଗାମୀ ହେଉଛି। ଭଗବାନ ଦେଇଥିବା ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟକୁ ପ୍ରେମରେ ପରିଣତ କରି ନୂତନ ପୃଥିବୀ ସୃଷ୍ଟି କର।

ଅନ୍ୟର ଦୁଃଖକୁ ନିଜ ଦୁଃଖ ଭାବି ଉଦାରପଣ ହୁଅ, ସାହାଯ୍ୟ କର। ଓଡ଼ିଶା ମାଟି ପ୍ରଭୁ ଜଗନ୍ନାଥଙ୍କ ଧାମ ହୋଇଥିବାରୁ ପ୍ରତ୍ୟେକ ଓଡ଼ିଶାବାସୀ ଭାଗ୍ୟବାନ। ଜଗନ୍ନାଥଙ୍କ ଅଂଶବିଶେଷ ଭାବେ ପ୍ରତ୍ୟେକ ଓଡ଼ିଆ ନିଜ ଜୀବନର ସାର୍ଥକତାକୁ ପ୍ରମାଣିତ କରିବା ଆବଶ୍ୟକ। ଜୀବନରେ କିଛି ହେବା ପାଇଁ ସଂକଳ୍ପ ରଖ। କିନ୍ତୁ ବର୍ତ୍ତମାନକୁ ନେଇ ବଞ୍ଚିବାକୁ ଚେଷ୍ଟା କର। ପ୍ରତି ମୁହୂର୍ତ୍ତକୁ ଉପଭୋଗ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଅପରାହଣ୍ ୪ଟାରେ ରାଜ୍ୟପାଳ ଗଣେଶୀ ଲାଲ୍ ସିରିଗୁଡାସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ପହଞ୍ଚିଥିଲେ। ସ୍କୁଲ୍ ପକ୍ଷରୁ ରାଜ୍ୟପାଳଙ୍କୁ ଭବ୍ୟ ସ୍ବାଗତ ପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ରାଜ୍ୟପାଳ। ଏକଲବ୍ୟଙ୍କ ସଂପର୍କରେ ବିଦ୍ୟାର୍ଥୀଙ୍କୁ ପ୍ରଶ୍ନ ପଚାରିଥିଲେ। ଏକଲବ୍ୟ-ଦ୍ରୋଣାଚାର୍ଯ୍ୟଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ରାଜ୍ୟପାଳ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଥିଲେ ବିଦ୍ୟାର୍ଥୀ।

ଗୁରୁ ଦକ୍ଷିଣା ସ୍ବରୂପ ଏକଲବ୍ୟ ନିଜ ବୁଢ଼ା ଆଙ୍ଗୁଠି ଦେଇଥିଲେ। ଏକଲବ୍ୟକୁ ଦ୍ରୋଣାଚାର୍ଯ୍ୟ ନିଜ ଶିଷ୍ୟ ଭାବେ ଗ୍ରହଣ କରିନଥିଲେ ମଧ୍ୟ ନିଜ ଇଚ୍ଛାଶକ୍ତି, ଦୃଢ଼ ମନ ଯୋଗୁ ଅନ୍ୟ ହାତରେ ମଧ୍ୟ ତୀର ଚାଳନାରେ ପାରଙ୍ଗମ ହୋଇ ପାରିଥିଲେ ଏକଲବ୍ୟ। ପ୍ରତ୍ୟେକ ବିଦ୍ୟାର୍ଥୀ ନିଷ୍ଠା, ଧୈର୍ଯ୍ୟ ବଳରେ ଏକଲବ୍ୟଙ୍କ ଭଳି ହେବା ଉଚିତ୍ ବୋଲି ରାଜ୍ୟପାଳ କହିଥିଲେ। ଏକଲବ୍ୟ ସ୍କୁଲ୍ ପକ୍ଷରୁ ରାଜ୍ୟପାଳଙ୍କୁ ଫଟୋ ଚିତ୍ର ଦେଇ ସମ୍ବର୍ଧିତ କରାଯାଇଥିଲା। ସଂଧ୍ୟା ୫ଟାରେ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ ରାଜ୍ୟପାଳ। ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି ଜୀବନରେ ଶିକ୍ଷାର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ବଧାଦେବ ସିଂ, ଏସପି ବିବେକାନନ୍ଦ ଶର୍ମା ଉପସ୍ଥିତ ଥିଲେ। ପିଏ ଆଇଟିଡିଏ ପଦ୍ମ ଚରଣ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷ ସନ୍ତୋଷ କୁମାର ପାତ୍ର, ଜିସିଡି ହାଇସ୍କୁଲ୍ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀଭୂଷଣ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର