ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ କ୍ରମାଗତ ଭାବେ ସରକାରୀ, ଗୋଚର, ଶ୍ମଶାନ, ଜଙ୍ଗଲ ଜମି ଜବରଦଖଲ ହେଉଛି । ଜମି ମାଫିଆଙ୍କ ଦୌରାତ୍ମ୍ୟରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ପଂଚାୟତ ପ୍ରତିନିଧି ଓ ଏପରିକି ପ୍ରଶାସନ ମଧ୍ୟ ପଛଘୁଂଚା ଦେଉଛି । ଆଜି ଜମି ମାଫିଆଙ୍କ ଠାରୁ ପଂଚାୟତ କାର୍ଯ୍ୟାଳୟ ନିକଟସ୍ଥ ସରକାରୀ ଜମିର ସୁରକ୍ଷା ଦାବି କରି ନିରାକାରପୁର ପଂଚାୟତ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବା ପରେ ଏହି କଥା ପୁଣିଥରେ ପ୍ରମାଣିତ ହୋଇଛି ।
ନିରାକାରପୁର ପଂଚାୟତ ସରପଂଚ ୧୭ ତାରିଖରେ ଏନେଇ ଜିଲ୍ଳାପାଳଙ୍କୁ ଲିଖିତ ଭାବେ ଦେଇଥିବା ସ୍ମାରକପତ୍ରରେ ଉଲ୍ଳେଖ କରିଛନ୍ତି ଯେ ପଂଚାୟତ କାର୍ଯ୍ୟାଳୟକୁ ଲାଗି ସରକାରୀ ଜମିରହିଛି । ଏଠାରେ ପାଣିଟାଙ୍କି ନିର୍ମାଣ ଓ ପଂଚାୟତ କାର୍ଯ୍ୟାଳୟର ସଂପ୍ରସାରଣ ପାଇଁ ସ୍ଥିର କରାଯାଇଥିଲା । ତେବେ କେତେକ ଜମି ମାଫିଆ ଏହି ଜମିକୁ ଜବରଦଖଲ କରିବା ସହ ସ୍ଥାୟୀ ଘର ନିର୍ମାଣ କରିଛନ୍ତି । ଏପରିକି ଏହି ଜାଗା ପ୍ଲଟିଂ କରି ମଧ୍ୟ ବିକ୍ରି କରାଯାଉଛି । ଏନେଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ, ଟାଙ୍ଗୀ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଜଣାଯାଇଛି, କିନ୍ତୁ ଏଯାଏଁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଣୁ ଯଦି ପ୍ରଶାସନ ପକ୍ଷରୁ ଉକ୍ତ ଜମିକୁ ଉଦ୍ଧାର କରିବାରେ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ରାଜସ୍ୱ ଅଧିକାରୀ କାର୍ଯ୍ୟାଳୟକୁ ଘେରାଉ କରାଯିବା ସହ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଦିଆଯିବ ।
ସୂଚନାଯୋଗ୍ୟ ଗତମାସ ୨୬ ତାରିଖରେ ପଂଚାୟତର ବରିଷ୍ଠ ନାଗରିକଙ୍କ ପକ୍ଷରୁ ମଧ୍ୟ ଜମି ମାଫିଆଙ୍କ ଦ୍ୱାରା ଗାଁର ସରକାରୀ ଜମି ଜବରଦଖଲ ହେଉଥିବା ନେଇ ନିରାକାରପୁର ରାଜସ୍ୱ ନିରୀକ୍ଷକଙ୍କୁ ଲିଖିତ ଭାବେ ଜଣାଯାଇଥିଲା । ଏଥିରେ ଦର୍ଶାଯାଇଥିଲା ଯେ ଗାଁର ସାମୂହିକ ବିକାଶ ପାଇଁ ଯେଉଁ ଜମି ସଂରକ୍ଷିତ ରଖାଯାଇଥିଲା ତାକୁ କିଭଳି ଭାବେ ପ୍ଲଟିଂ କରିବା ଓ ଘର ନିର୍ମାଣ କରିବାକୁ ପ୍ରଶାସନ ଅନୁମତି ଦେଉଛି । ଜମି ମାଫିଆଙ୍କ ଏଭଳି କାର୍ଯ୍ୟକୁ ପ୍ରଶାସନ ନିୟନ୍ତ୍ରଣ ନକଲେ ଆଗାମୀ ଦିନରେ ଗ୍ରାମବାସୀ ଓ ଜମି ମାଫିଆଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ବଡ଼ଧରଣର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ସତର୍କ ମଧ୍ୟ କରାଯାଇଥିଲା । ଏହି ଆବେଦନ ପରେ ୨୮ ତାରିଖରେ ରାଜସ୍ୱ ନିରୀକ୍ଷକ ସରଜମିନ ତଦନ୍ତ ମଧ୍ୟ କରିଥିଲେ, କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବା ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜସ୍ୱ ନିରୀକ୍ଷକଙ୍କ ସ୍ୱଚ୍ଛତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଦିଗକୁ ଦୃଷ୍ଟି ଦେଇ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି ।