ବିଡ଼ମ୍ବନା: ବାପା-ମାଆ ପରେ ଆଖି ବୁଜିଲେ ଜେଜେ, ଅନ୍ଧାରରେ ୬ ବର୍ଷର ପୁଅ ପ୍ରଣିତର ଭବିଷ୍ୟତ

ରାୟଗଡ଼ା: ବର୍ଷକ ତଳେ ଅସାଧ୍ୟ ରୋଗରେ ଆକ୍ରାନ୍ତ ହୋଇ ବାପା, ମାଆ ଆରପାରିକୁ ଚାଲିଗଲେ। ଏବେ କରୋନ‌ାରେ ଆକ୍ରାନ୍ତ ହୋଇ ଜେଜେଙ୍କ ଅକାଳ ମୃତ୍ୟୁ ୬ ବର୍ଷର ଇ.  ପ୍ରଣିତ କୁମାରଙ୍କ ଭାଗ୍ୟକୁ ଅନ୍ଧାର ଭିତରକୁ ଠେଲି ଦେଇଛି। ପୁରା ପରିବାରକୁ ହରାଇ ପ୍ରଣତି ସଂପୂ୍ର୍ଣ୍ଣ ଭାବେ ଭାଙ୍ଗି ପଡିବା ସହ ଏକ ମାତ୍ର ସାହା ଭରସା ଭାବେ ଜେଜେ ମାଆ ନାଇଡୁ ଇସାଲୁଙ୍କ ସହ ଦୁଃଖକଷ୍ଟରେ ଦିନ ବିତାଉଛି।

କରୋନାର କାରୁଣ୍ୟ ସହ ଭାଗ୍ୟର ବିଡମ୍ବନା ଯୋଗୁ ଏପରି ଦୁର୍ଦିନର ସମ୍ମୁଖୀନ ହେବାକୁ ପଡିଛି ରାମନାଗୁଡ଼ା ବ୍ଲକ୍ ଗୁମୁଡ଼ା ଢ଼େପସାହିର ନାଉଡୁ ଇସାଲୁଙ୍କ ପରିବାରକୁ। ପୁଅ, ବୋହୂଙ୍କ ମୃତ୍ୟୁ ପରେ ବାପା, ମାଆ ଛେଉଣ୍ଡ ପ୍ରଣିତକୁ ଭଲ ପାଠ ପଢ଼ାଇ ମଣିଷ କରିବାକୁ ଜେଜେ ନାଇଡୁ ନୌକୟା ଚେଷ୍ଟା ଜାରି ରଖିଥିଲେ। ଅତ୍ୟନ୍ତ ଗରିବ ଶ୍ରେଣୀର ନୌକୟା ବିଭିନ୍ନ ସାମଗ୍ରୀକୁ ଗ୍ରାମାଞ୍ଚଳରୁ କ୍ରୟ କରି ଆଣି ମାର୍କେଟରେ ବିକ୍ରି କରିବା ପରେ ଲାଭ ବାବଦକୁ ଯାହା ଦୁଇ ପଇସା ମିଳୁଥିଲା ସେତିକିରେ ପରିବାର ଚଲାଇବା ସହ ନାତି ପ୍ରଣତିକୁ ପାଠ ପଢ଼ାଉଥିଲେ। ପ୍ରଥମେ ଅଙ୍ଗନବାଡ଼ିରେ ପ୍ରଣିତର ପ୍ରାଥମିକ ଶିକ୍ଷା ପରେ ଏବେ ଗୁମୁଡା ଅଭ୍ୟାସ ଟେକ୍ନୋ ସ୍କୁଲରେ ଷ୍ଟାଣ୍ଡାର୍ଡ ୧ ଶ୍ରେଣୀରେ ପଢ଼ୁଛନ୍ତି।

ଗତ କିଛି ଦିନ ତଳେ ପ୍ରଣିତଙ୍କ ଜେଜେ ନାଇଡ଼ୁ ନୌକେୟାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ଜ୍ବର ଲାଗି ରହିବା ପରେ ନୌକୟା କରୋନା ସ୍ବାବ ଟେଷ୍ଟିଂ କରିଥିଲେ। ରିପୋର୍ଟ ପଜିଟିଭ୍ ଆସିଥିଲା। ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖା ଦେବା ପରେ ନୌକୟା ଚିକିତ୍ସା ପାଇଁ ଜେକେପୁର କୋଭିଡ଼୍ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ମେ ୩୧ ତାରିଖରେ ନୌକୟାଙ୍କ ମୃତ୍ୟୁ ହୋଇଥିଲା। ଜେଜେଙ୍କ ମୃତ୍ୟୁ ପରେ ୬ ବର୍ଷର ପ୍ରଣିତଙ୍କ ପାଦ ତଳୁ ମାଟି ଖସି ଯାଇଛି। କଅଁଳ ବୟସ‌ରେ ହସ ଖୁସି ବଦଳରେ ବର୍ଷକ ମଧ୍ୟରେ ବାପା, ମାଆ, ଜେଜେକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପ୍ରଣିତ। ଏବେ ପ୍ରଣିତ ଏକ ମାତ୍ର ଆଶ୍ରା ଭାବେ ଜେଜେ ମାଆ ନାଇଡୁ ଇସାଲୁ ପାଖରେ ରହୁଛନ୍ତି।

କରୋନାରେ ନୌକୟାଙ୍କ ମୃତ୍ୟୁ ହୋଇଥିବା ଯୋଗୁ ‌ସଂପର୍କୀୟ, ସାହି, ପଡୋଶୀ ଲୋକ ମଧ୍ୟ ପାଖ ମାଡ଼ୁ ନାହାନ୍ତି। ଘର ଖଣ୍ଡିକ ଛାଡ଼ିଲେ ଆଉ କିଛି ନଥିବାରୁ ଜେଜେ ମାଆ ସହିତ ପ୍ରଣିତ କିପରି ଚଳିବେ ତାକୁ ନେଇ କିଛି ସ୍ବେଚ୍ଛାସେବୀ ଚିନ୍ତା ପ୍ରକାଶ କରିବା ସହ ପ୍ରଶାସନର ଦୃଷ୍ଟି ଆର୍କଷଣ କରିଛନ୍ତି। କ୍ଷୁଦ୍ର ବ୍ୟବସାୟ କରି ଚଳୁଥିବା ଏହି ପରିବାର ଭାଗ୍ୟର ବିଡ଼ମ୍ବନା ଯୋଗୁ ସମସ୍ତଙ୍କୁ ହରାଇ ଏବେ ଅସହାୟ ହୋଇ ପଡିଛନ୍ତି। ପ୍ରଣିତଙ୍କ ବାପା ନାଇଡୁ ସନ୍ତୋଷ କୁମାରଙ୍କ ୨୦୧୯ ଏପ୍ରିଲ୍ ୬ ତାରିଖରେ ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁରେ ଭାଙ୍ଗି ପଡି ପ୍ରଣିତଙ୍କ ମା ଝାନସି ଅସୁସ୍ଥ ହେବା ସହ କିଛି ମାସ ବ୍ୟବଧାନରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣତ୍ୟାଗ କରିଥିଲେ। ପରିବାରର ସମସ୍ତଙ୍କୁ ହରାଇ ନିଜ ଭାଗ୍ୟକୁ ଆଦରି ନାଇଡୁ ଇସାଲୁ ନାତି ପ୍ରଣିତ ସହ ଘରେ ପଡି ରହି ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର