ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ରାଉତି ପଞ୍ଚାୟତ ପାଲପଡ଼ା ଗ୍ରାମର ମୂଳବାସିନ୍ଦା ଅଶୋକ ପ୍ରଧାନ ଓ ତାଙ୍କ ବୁଢ଼ୀମାଆ ଯଶୋଦା। ବ‌ର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ ୨୭ ହେଲା ଗ୍ରାମରୁ ବାସନ୍ଦ ପରେ ଯାଯାବର ଭଳି ଜୀବନ କାଟୁଛନ୍ତି ବୁଢ଼ୀମାଆ ଓ ପୁଅ। ଆହା ପଦେ କହିବାକୁ ବି କିଏ ନାହିଁ। କେବେ ଆମ୍ବ ତୋଟା, ତ ଆଉ କେବେ ବିଦ୍ୟାଳୟ ବାରଣ୍ଡା ଓ ନଦୀଶଙ୍ଖତଳେ ଜୀବନ ବିତୁଛି। ସେପଟେ ନ୍ୟାୟ ପାଇଁ ‌ପୁଅ ବୁଢ଼ୀମାଆକୁ ଧରି ଦୀର୍ଘ ୮ ବର୍ଷ ହେଲା ତହସିଲଦାର ଓ ବ୍ଲକ୍ କାର୍ଯ୍ୟାଳୟକୁ ଚକ୍କର କାଟୁଛନ୍ତି। ଏଭଳି ପରିସ୍ଥିତିରେ ୨୦୧୩ ମସିହାରେ ଦୁରାରୋଗ୍ୟରେ ବାପା ସୁରେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ପରେ ଅଶୋକଙ୍କ ଦୁଃଖ ଆହୁରି ବଢ଼ିଯାଇଛି। ଏନେଇ ଗତ ଦୁଇବର୍ଷ ତଳେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଉଭୟଙ୍କୁ ରାସନକାର୍ଡ଼ରେ ଦଶ କେଜି ଚାଉଳ ଓ ଯଶୋଦାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବ୍ଲକ୍ ପ୍ରଶାସନ ପକ୍ଷରୁ ଦିଆଯାଉଛି। କିନ୍ତୁ ମୁଣ୍ଡ ଗୁଞ୍ଜିବାକୁ ଆବାସ ଖଣ୍ଡିଏ ନାହିଁ। ଏଭଳି ପରିସ୍ଥିତିରେ ଆଜି ରାଜ୍ୟ ମାନବ ସୁରକ୍ଷା ଅଧିକାର କାର୍ଯ୍ୟାଳୟ ପକ୍ଷରୁ ଅଧିକାରୀ ରାଜ୍ୟ କନଭେନର ରାଜୀବ କୁମାର ପଟ୍ଟନାୟକ, ଜିଲ୍ଲା ନିରୀକ୍ଷକ ଭିକାରି ନାୟକ ଓ ରମେଶ ଭାରତୀ ଏବଂ ଆଇନଜୀବୀ ସଂଗ୍ରାମ ପ୍ରଧାନ ପ୍ରମୁଖ ଅଶୋକ ଏବଂ ଯଶୋଦାଙ୍କୁ ଖୋଜି ଗାଁ ନିକଟ ଆମ୍ବଗଛ ପାଖରେ ଠାବ କରିଥିଲେ। ଉଭୟଙ୍କ ବୟାନ୍ ରେକର୍ଡ଼ କରିଥିଲେ। ପରେ ଜଗନ୍ନାଥପ୍ରସାଦ ତହସିଲଦାର ମନୋଜ କୁମାର ତ୍ରିପାଠୀଙ୍କୁ ଭେଟି ଆଲୋଚନା କରିଥିଲେ। ଆସନ୍ତା ତିନିରୁ ଚାରିଦିନ ଭିତରେ ଉଭୟଙ୍କୁ ଘର ନିର୍ମାଣ ପାଇଁ ଜାଗା ଯୋଗାଇ ଦିଆଯିବା ସହ ଖୁବ୍ ଶୀଘ୍ର ପଟ୍ଟା ପ୍ରଦାନ କରାଯିବ ବୋଲି ତହସିଲଦାର ପ୍ରତିଶୃତି ଦେଇଥିଲେ। ଏହାସହ ଘର ନିର୍ମାଣ ପାଇଁ ଅର୍ଥ ସହାୟତା ଯୋଗାଇ ଦେବାକୁ ଏହି ଟିମ୍ ବିଡିଓଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଘଟଣା ପ୍ରକାରେ ଅଶୋକଙ୍କ ବାପା ସୁରେନ୍ଦ୍ର ୨୭ ବର୍ଷ ତଳେ ଦୁରାରୋଗ୍ୟରେ ପୀଡ଼ିତ ହେବା ପରେ ତାଙ୍କୁ ପାଲପଡ଼ା ଗ୍ରାମରୁ ବାସନ୍ଦ କରାଯାଇଥିଲା।

Advertisment

ତେଜରାତି କିଣିବା, ଗ୍ରାମ କୂଅରୁ ପାଣି ନେବା ଓ ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ତାଙ୍କ ପରିବାରକୁ ବାରଣ କରାଗଲା। ପରେ ରୋଗଗ୍ରସ୍ତ ସୁରେନ୍ଦ୍ର ତାଙ୍କ ପତ୍ନୀ ଯଶୋଦା ଓ ପୁଅ ଅଶୋକକୁ ଧରି ଗାଁଠୁ କିଛି ଦୂର ଆମ୍ବତୋଟାରେ ଏକ କୁଡ଼ିଆ କରି ରହୁଥିଲେ। ଆଉ ଗାଁରେ ଥିବା ତିନିଭରଣ ଜମିକୁ ପଡ଼ୋଶୀ ସନାତନ ପ୍ରଧାନଙ୍କୁ ଭାଗଚାଷ କରିବା ଲାଗି ଦେଇଥିଲେ। ନିକଟ ଗ୍ରାମରେ ଭିକ୍ଷାବୃ୍ତ୍ତି କରି ପରିବାର ପ୍ରତିପୋଷଣ କରିବା ଆରମ୍ଭ କରିଥିଲେ। ସେପଟେ ଭାଗଚାଷୀ ସନାତନ ବର୍ଷକୁ ମହାସୁଲ୍ ଦେଉଥି‌ଲେ। କିନ୍ତୁ କିଛି ବର୍ଷ ପରେ ସେ ମହାସୁଲ୍ ଦେବା ବନ୍ଦ କରିଦେଇଥିଲେ। ସେପଟେ ବାସନ୍ଦ କାରଣରୁ ସୁରେନ୍ଦ୍ର ଆଉ ଗାଁକୁ ଯାଇ ପାରୁ ନଥିଲେ। ଏଭଳି ଭାବେ ମାନସିକ ଯନ୍ତ୍ରଣା ଭିତରେ ୧୦୧୩ ମସିହାରେ ସୁରେନ୍ଦ୍ର ଜିରାବାଡ଼ି ଗ୍ରାମ ନିକଟ ଆମ୍ବତୋଟାରେ ମୃତ୍ୟୁବରଣ କରିଥିଲେ। ପୁଅ ଅଶୋକ ଶବଦାହ ପାଇଁ ଗ୍ରାମରେ ଥିବା ଆତ୍ମୀୟସ୍ବଜନକୁ ଡାକିଥିଲେ ବି କେହି ଆସି ନଥିଲେ। ଫଳରେ ମାଆ ଯଶୋଦାଙ୍କ ସହ ମିଶି ବାପାଙ୍କ ଶବକୁ ଦାହ କରିବା ସହ ପୁରୀରେ ଶୁଦ୍ଧିକ୍ରିୟା ସାରିଥିଲେ। ଗାଁକୁ ଆସି ଦେଖିଲାବେଳକୁ ଘର ବି ନଥିଲା। ଏହାକୁ ପଡ଼ୋଶୀ ସନାତନ ଭାଙ୍ଗି ଗୁହାଳ କରିସାରିଥିଲେ। ପ୍ରତିବାଦ କରିବାରୁ ସନାତନ ମାଡ଼ ମାରି ଅଶୋକ ଓ ତାଙ୍କ ମାଆ ଯଶୋଦାଙ୍କୁ ଘଉଡ଼ାଇଦେଇଥିଲେ। ଏହାପରଠୁ ମାଆପୁଅ ଯାଯାବର ଭଳି ଜୀବନ କାଟୁଥିବା ବେଳେ କୋଭିଡ୍ ମହାମାରୀର ପ୍ରାଦୁର୍ଭାବ ସମୟରେ ସେମାନଙ୍କ ଜୀବନ ଦୁର୍ବିଷହ ପାଲଟିଥିଲା।