ଭଞ୍ଜନଗର: ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ହିଞ୍ଜିଳିକାଟୁ ଏନଏସିର ପୂର୍ବତନ ଉପାଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ। ଉକ୍ତ ସଂସ୍ଥା ଅଧୀନରେ ଥିବା ଭଞ୍ଜନଗର, ବେଲଗୁଣ୍ଠା, ଆସିକା ଏବଂ ହିଞ୍ଜିଳିକାଟୁର ଏନଏସି ଅଧ୍ୟକ୍ଷଙ୍କ ଗହଣରେ ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏନେଇ ଆଜି ଗ୍ରୀଟ କାର୍ଯ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର ସ୍ବାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୧୧୯୬ ମସିହାରୁ ଗ୍ରୀଟ କାର୍ଯ୍ୟକାରୀ ହେଉଥିବା ବେଳେ ପବିତ୍ର ୪ର୍ଥ ରାଜନୈତିକ ବ୍ୟକ୍ତି ଭାବେ ଅଧ୍ୟକ୍ଷ ପଦ ପାଇଛନ୍ତି। ୪ ଟି ସହରର ସାମୁହିକ ବିକାଶ ଦିଗରେ ଉଦ୍ୟମ କରାଯିବା ସହ ସହର ଗୁଡ଼ିକର ବିକାଶ ପାଇଁ ଘର ନିର୍ମାଣ, ଲାଭ ଦାୟକ ପ୍ଳଟିଂ ଓ ଦୋକାନ ଗୃହ ନିର୍ମାଣ କରି ରାଜସ୍ବ ବୃଦ୍ଧି ନିମନ୍ତେ ସମସ୍ତଙ୍କ ସହଯୋଗରେ ବିଭିନ୍ନ ଯୋଜନା ହାତକୁ ନିଆଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ ‘ସମ୍ବାଦ’କୁ ପ୍ରକାଶ କରିଛନ୍ତି। ଦୀର୍ଘଦିନ ଧରି ଉକ୍ତ ସଂସ୍ଥାର ଅଧ୍ୟକ୍ଷ କେହି ନଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁ ଏହି ସଂସ୍ଥା ଏପ୍ରକାର ସ୍ଥାଣୁ ପାଲଟିଥିଲା। ଏହା ମୂଲ ଉଦ୍ଦେଶ୍ୟ ଠାରୁ ଦୂରେଇ ଯାଇଥିବା ବେଳେ କାର୍ଯ୍ୟାଳୟରେ ଜଣେ ମଧ୍ୟ ସ୍ଥାୟୀ କର୍ମଚାରୀ ଆଜି ପର୍ଯ୍ୟନ୍ତ ନିଯୁକ୍ତି ପାଇ ନାହାନ୍ତି। ଗତ ୧୯୯୭ ମସିହାରୁ କିଛି ଅସ୍ଥାୟୀ କର୍ମଚାରୀ ସ୍ବଳ୍ପ ଦରମାରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି। ତେଣୁ ଯେଉଁ ଭରସା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରାକାର ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି ସେହି ଉଦ୍ଦେଶ୍ୟ ସଫଳ ରୁପାୟନ କିଭଳି ହେବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି। ଦିଗହରା ହୋଇଥିବା କାର୍ଯ୍ୟ ଗୁଡିକର ସମାଧାନ ବାଟ ବାହାର କରିବା ସହ ସହରାଞ୍ଚଳ ଗୁଡିକରେ ମାଷ୍ଟର ପ୍ଳାନିଂ ଉନ୍ନୟନ ଉପରେ କାର୍ଯ୍ୟ ଗ୍ରୀଟ ଯଥାଶୀଘ୍ର ଆରମ୍ଭ କରିବ ବୋଲି କହିଥିଲେ।
ଏଥିରେ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ହିଞ୍ଜିଳି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା,ବେଲଗୁଣ୍ଠାର ଅଧ୍ୟକ୍ଷ ଫିରୋଜ କୁମାର ସେଠୀ, ଆସିକା ଅଧ୍ୟକ୍ଷା ବିନେତା ସ୍ବାଇଁ, ଭୀମସେନ ବେହେରା, ସୁଧୀର ରଞ୍ଜନ ବେହେରା, ନୀଳମଣି ପଟ୍ଟନାୟକ, ସୁରଥ ଚନ୍ଦ୍ର ପାତ୍ରଙ୍କ ସମେତ ବହୁ କାଉନ୍ସିଲର, ଶୁଭେଚ୍ଛୁ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ସହର ଗୁଡ଼ିକର ନବକଳେବର ବୃଦ୍ଧି ପାଉଥିବା ବେଳେ ସଂସ୍ଥାର ବିନା ମାଷ୍ଟର ପ୍ଳାନରେ ସଂସ୍ଥାର ଦୃଷ୍ଟି ଆଡୁଆଳରେ ବଡ଼ବଡ଼ କୋଠା ନିର୍ମାଣ ହେଉଥିବା ଅଭିଯୋଗ ହେଉଥିବା ବେଳେ ସେଦିଗରେ ଆଗାମୀ କାର୍ଯ୍ୟଧାରା କଣ ରହିବା ତାକୁ ସମସ୍ତଙ୍କ ଅପେକ୍ଷା ରହିଛି। ଅନ୍ୟପକ୍ଷରେ ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର, କୋଦଳା, ପୋଲସରା, ଖଲିକୋଟ, ବୁଗୁଡା ଆଦି ସହରର ମାଷ୍ଟର ପ୍ଳାନ ପ୍ରସ୍ତୁତ କରି ଗ୍ରୀଟ ଅଧିନ ରଖିବା ପାଇଁ କିଛି ବର୍ଷ ହେବ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ତାହା ହୋଇପାରିନି। ଖାସ୍ କରି ହିଞ୍ଜିଳିକାଟୁ, ଆସିକା, ବେଲଗୁଣ୍ଠା ଓ ଭଞ୍ଜନଗର ସହର ସମେତ ଉପକଣ୍ଠ କିଛି ପଞ୍ଚାୟତର ବିକାଶ କରିବା ନିମନ୍ତେ ମାଷ୍ଟର ପ୍ଳାନ ପ୍ରସ୍ତୁତ କରି ଭଞ୍ଜନଗରେ ୧୯୯୬ରେ ଗ୍ରୀଟ ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ପ୍ରତିଷ୍ଠା କରାଯିବା ପରଠାରୁ ମାତ୍ର ୩ଜଣ ଅଧ୍ୟକ୍ଷ ପଦବିରେ ରହିଥିବା ବେଳେ ବାକି ସମୟରେ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ ମାନେ ଦାୟିତ୍ବରେ ରହିଥିଲେ।