ନିଶ୍ଚିନ୍ତକୋଇଲିରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର, ସମସ୍ୟାର ତ୍ବରିତ ସମାଧାନ ପାଇଁ ନିର୍ଦ୍ଦେଶ

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ୍‌ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି କଟକ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବ୍ଲକ୍‌ର ୪୧ଟି ପଞ୍ଚାୟତରୁ ଭତ୍ତା ସମ୍ପର୍କିତ ୨୧ଟି, ଆବାସ ଯୋଜନା ପାଇଁ ୧୮ଟି, ରାସନ ସମସ୍ୟା ୭ଟି, ରାସ୍ତା ସମସ୍ୟା ୫ଟି ସମେତ ଶିକ୍ଷା, ଜାତୀୟ ପରିବାର କଲ୍ୟାଣ ଯୋଜନା, ବିଦ୍ୟୁତ୍‌କରଣ, ଅଙ୍ଗନବାଡ଼ି ସମସ୍ୟା, ସ୍ବାସ୍ଥ୍ୟ ସମସ୍ୟା, ଆର୍ଥିକ ସହାୟତା, ଆଇନ ସହାୟତା, ବ୍ୟାଙ୍କ ଋଣ ସହାୟତା, କୃଷି, ଉଦ୍ୟାନ ବିଭାଗ ଆଦି ନେଇ ମୋଟ ୯୩ଟି ଅଭିଯୋଗ କରାଯାଇଥିଲା। ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଅଭିଯୋଗର ଶୁଣାଣି କରିଥିଲେ। ଅଭିଯୋଗଗୁଡ଼ିକର ପ୍ରାଥମିକତାକୁ ବିଚାର କରି ତିନିଦିନ ମଧ୍ୟରେ ଏହାର ସମାଧାନ କରିବା ଲାଗି ଜିଲ୍ଲାପାଳ ଶ୍ରୀ ଚୟନୀ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି, କାଳିଆ ଯୋଜନାର ବହୁ ଯୋଗ୍ୟ ହିତାଧିକାରୀ ସହାୟତାରୁ ବଞ୍ଚିତ ହୋଇଥିବା ଓ ବିଭାଗୀୟ ଅଧିକାରୀ ସେମାନଙ୍କୁ ବିଭିନ୍ନ କାରଣ ଦର୍ଶାଇ ଦୌଡ଼ାଉ ଥିବା ଅଭିଯୋଗ ହୋଇଥିଲା। ନିଶ୍ଚିନ୍ତକୋଇଲି ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ୨୦ବର୍ଷରୁ ଅଧିକ ସମୟ ସ୍କୁଲ୍‌ରେ ରହିଥିଲା ବେଳେ ଠିକ୍ ଭାବେ ଶିକ୍ଷାଦାନ କରୁ ନ ଥିବା ଅଭିଯୋଗ ହୋଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପ୍ତିମୟୀ ଶୁଭଦର୍ଶିନୀ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବହୁ ସ୍କୁଲ୍‌ରେ ଶିକ୍ଷକ ନ ଥିବା ସ୍ଥାନୀୟ ଲୋକମାନେ ସୂଚନା ଦେଇଥିଲେ। ବୁହାଳୋ ପଞ୍ଚାୟତରେ ପାନୀୟଜଳ ସମସ୍ୟା ଗୁରୁତର ଥିବା ଭବାନୀ ବେହେରା ଅଭିଯୋଗ କରିଥିଲେ।

ତୁରନ୍ତ ପାନୀୟଜଳ ସମସ୍ୟା ଦୂର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ‌ଏହାଛଡ଼ା କୋଭିଡ୍‌ରେ ପ୍ରାଣ ହରାଇତିବା ବ୍ୟକ୍ତିଙ୍କ ପତ୍ନୀ ଭତ୍ତା ପାଉ ନ ଥିବା, ବହୁ ଯୋଗ୍ୟ ହିତାଧିକାରୀ ବାରମ୍ବାର ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ଅଧିକାରୀମାନେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବହୁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ପାଇ ନ ଥିବା ଅଭିଯୋଗ କରାଯାଇଥିଲା। ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ବିଭିନ୍ନ ଅଭିଯୋଗର ଶୁଣାଣି କରି ଅଗ୍ରାଧିକାର ଭିତ୍ତିରେ ସମସ୍ୟାର ସମାଧାନ କରିବାକୁ ଦାଗିଦ୍‌ କରିଥିଲେ। ରେଡ୍‌କ୍ରସ୍‌ରୁ ଦୁର୍ଯ୍ୟୋଧନ ସାମଲ, ହେମଲତା ପଣ୍ଡା, ରମେଶଚନ୍ଦ୍ର ମଳିକ, ରମେଶ ଚନ୍ଦ୍ର ଯେନାଙ୍କୁ ଜିଲ୍ଲାପାଳ ସହାୟତା ରାଶି ପ୍ରଦାନ କରିଥିଲେ। ଶିବିରରେ ବହୁ ଅଧିକାରୀ ଅନୁପସ୍ଥିତ ଥିବା, ନିଜେ ନ ଆସି ତଳିଆ ଅଧିକାରୀଙ୍କୁ ପଠାଇବା ନେଇ କାରଣ ଦର୍ଶାଅ ନୋଟିସ୍‌ ସହ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯିବ ବୋଲି ସୂଚନା ଦିଆଯାଇଛି। ଶିବିରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୋଜୀ ସେଠୀ, ଉପାଧ୍ୟକ୍ଷ ଅଶୋକ ଓଝା, ଉପଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ବିଡିଓ କର୍ଣ୍ଣଦେବ ସମାଦ୍ଦାର, କଟକ ଗ୍ରାମାଞ୍ଚଳ ଏସ୍‌ପି ଯୁଗଳ କିଶୋର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସତ୍ୟବ୍ରତ ଛୋଟରାୟ, ଅତିରିକ୍ତ ବିଡିଓ ସୁଶାନ୍ତ କୁମାର ରଣା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପ୍ତିମୟୀ ଶୁଭଦର୍ଶିନୀ, ବ୍ଲକ୍‌ ଯୋଗାଣ ଅଧିକାରୀ ପ୍ରୀତମ୍ ମହାନ୍ତି, ଅତିରିକ୍ତ କୃଷି ଅଧିକାରୀ ସିଦ୍ଧାର୍ଥ ସାରଥି ପରିଡ଼ା, ସମନ୍ବିତ ଶିଶୁ ବିଭାଗ ଅଧିକାରୀ ଲୀଳାବତୀ ସେଠୀ, ବ୍ଲକ୍‌ ସହକାରୀ ଯନ୍ତ୍ରୀ ସତ୍ୟରଂଜନ ପଣ୍ଡା, ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଚିନ୍ମୟ କୁମାର ବେହେରା, ସତ୍ୟରଂଜନ ଭୋଇଙ୍କ ସମେତ ଜିଲ୍ଲା ଓ ବ୍ଲକ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର