କିଶନନଗର ତହସିଲ୍‌ରେ ଜନଶୁଣାଣି ଶିବିର; ୯୬ ଅଭିଯୋଗ

କିଶନନଗର: ସ୍ଥାନୀୟ କିଶନନଗର ତହସିଲ କାର୍ଯ୍ୟାଳୟରେ ଆଜି ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଶିବିରରେ ଯୋଗଦେଇ ୯୬ଟି ଅଭିଯୋଗର ଶୁଣାଣି କରିଥିଲେ। ସେଥିମଧ୍ୟରୁ ୭୯ଟି ବ୍ୟକ୍ତିଗତ ଓ ୧୭ଟି ସାମୂହିକ ଅଭିଯୋଗ ରହିଥିଲା। ସଦର ବିଡିଓ ରାଜୀବଲୋଚନ ପରିଡ଼ା, ନିଶ୍ଚିନ୍ତକୋଇଲି ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ, ଏସ୍‌ଡିପିଓ ବିମଳ କୁମାର ବାରିକ, ଆଇଆଇସି ରଶ୍ମିରଞ୍ଜନ ଦାଶ, ଅତିରିକ୍ତ ଶିକ୍ଷାଜିଲ୍ଲା ଅଧିକାରୀ ଦୀପ୍ତିମୟୀ ପ୍ରିୟଦର୍ଶିନୀ, ସିଡିପିଓ ରଶ୍ମିତା ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ତହସିଲଦାର ସୁଶ୍ରୀ ଇନ୍ଦିରା ସାହୁ, ଅତିରିକ୍ତ ତହସିଲଦାର ମିଲନ ଜୟସ୍ବାଲ୍‌ ଶିବିର ପରିଚାଳନା କରିଥିଲା ବେଳେ ଅଞ୍ଜନା ଜେନା, ପ୍ରତିଭା ବେହେରା, ସୌଦାମିନୀ ନାୟକ, ରଶ୍ମିତା ସେଠୀ, ଯୋଗୀନାଥ ମହାନ୍ତି, ପବିତ୍ର କୁମାର ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ। ଅପରପକ୍ଷରେ ଶିବିରରେ ଅଭିଯୋଗକାରୀଙ୍କ ପାଇଁ ବସିବା ବନ୍ଦୋବସ୍ତ ନ ହେବା ଏବଂ ନିର୍ଦ୍ଧାରିତ ସମୟରେ ବିଭିନ୍ନ ବିଭାଗର ଅଧିକାରୀ ଶିବିରରେ ଉପସ୍ଥିତ ନ ରହିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବିଭିନ୍ନ ସମସ୍ୟା ନେଇ କିଶନନଗର ବିକାଶ ମଞ୍ଚର ଦାବିପତ୍ର କିଶନନଗରକୁ ବ୍ଲକ୍‌ ସ୍ଥାନାନ୍ତର, କିଶନନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା, କିଶନନଗର ତହସିଲ ମୁଖ୍ୟାଳୟରେ ପ୍ରସ୍ତାବିତ  ସବ୍‌ରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟ ସ୍ଥାପନ, ବାର୍‌ହାପାଟ ଜଳବନ୍ଦି ସମସ୍ୟାର ସ୍ଥାୟୀ ପ୍ରତିକାର ଆଦି ମୌଳିକ ସମସ୍ୟା ସମାଧାନ ଦାବିରେ କିଶନନଗର ବିକାଶ ମଞ୍ଚ ପକ୍ଷରୁ ଶିବିରରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

ମଞ୍ଚର ସଭାପତି ସୈୟଦ୍‌ ସାଜିଦ୍‌ ଅଲ୍ଲୀ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଏ ନେଇ ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ନୂଆବଜାରରୁ ତାରପୁର ପର୍ଯ୍ୟନ୍ତ ମହାନଦୀବନ୍ଧ ରାସ୍ତାର ଉନ୍ନତୀକରଣ, କିଶନନଗର ମାଟିର ବରପୁତ୍ର ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ରାଜକୃଷ ବୋଷ, ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋ, ଭୈରବ ମହାନ୍ତି, ବୈଷ୍ଣବ ମହାନ୍ତିଙ୍କ ଜନ୍ମପୀଠକୁ  ଉତ୍ତରପିଢ଼ି ପାଇଁ ସଂରକ୍ଷିତ କରି ରଖିବା, ଗିରିଧାରୀ ମଠ, ମୁକ୍ତେଶ୍ଵର, ପ୍ରହରାଜପୁରସ୍ଥିତ ପୀରଙ୍କ ଆସ୍ଥାନ, ନାଉରିବରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ, କିଶନନଗରରେ ବିଇଓ କାର୍ଯ୍ୟାଳୟ ଓ ଦ୍ବୀପାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ମଞ୍ଚର ସାଧାରଣ ସମ୍ପାଦକ ସୀତାରାମ ପଣ୍ଡା ଦାବି କରିଥିଲେ। ମଞ୍ଚ ପକ୍ଷରୁ ଦୀପକ ମଣ୍ଡଳ, ମନୋରଞ୍ଜନ ମହାନ୍ତି, ଅନନ୍ତ ମଲ୍ଲିକ, ନୃସିଂହ ଦାସ, ଶରତ ଜେନା, ରତିକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଛାତ୍ର ବିଜେଡିର ୭ଦଫା ଦାବି
କିଶନନଗର ଅଞ୍ଚଳରେ ଚୋରାମଦ କାରବାର ବନ୍ଦ କରିବା, କିଶୋରନଗର କଲେଜରେ ବାଣିଜ୍ୟ ବିଭାଗ ଖୋଲିବା, ବେଆଇନ ବାଲି ଉତ୍ତୋଳନ ବନ୍ଦ କରିବା, ଭାରୀଯାନ ଚଳାଚଳ  ନିୟନ୍ତ୍ରଣ, ମାହାଳହାଟରେ ଥାନା ଓ ବୋଧପୁରରେ ଡାକ୍ତରଖାନା ଖୋଲିବା ପାଇଁ ଛାତ୍ର ବିଜେଡି ସଭାପତି ସତ୍ୟସିଦ୍ଧାନ୍ତ ଦାଶ ଅଧିକାରୀମାନଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କରିଥିଲେ।
ଉର୍ଦ୍ଦୁ ସ୍କୁଲ୍‌ ପିଲାଙ୍କୁ ରବିବାର ମଧ୍ୟାହ୍ନଭୋଜନ ପ୍ରଦାନ ପାଇଁ ଦାବିପତ୍ର
କଟକ ସଦର ଓ ମହାନଗର ଅଞ୍ଚଳରେ ଥିବା ସମସ୍ତ ଉର୍ଦ୍ଦୁ ସ୍କୁଲ୍‌କୁ ରବିବାର ମଧ୍ୟାହ୍ନଭୋଜନ ଯୋଗାଇଦେବା ପାଇଁ ସୂଚନା ଅଧିକାର କର୍ମୀ ରତିକାନ୍ତ ପଟ୍ଟନାୟକ ଅନୁରୋଧ କରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କଟକ ଶିକ୍ଷାଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଦେଶର ଅଢ଼େଇ ମାସ ପରେ ବି ଏହା କାର୍ଯ୍ୟକାରୀ ହୋଇ ନ ଥିବା ସେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର