ଖୋର୍ଦ୍ଧା: ଖୋର୍ଦ୍ଧା ପଞ୍ଚାୟତ ସମିତିରେ ଆଜି ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ପ୍ରକୋଷ୍ଠ ଅନୁଷ୍ଠିତ ହୋଇଯାଇଛି। ଆଜି ସୋମବାର ଅସହ୍ୟ ଗୁଳୁଗୁଳି ଯୋଗୁଁ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସଂଖ୍ୟା ଆପାତତଃ କମ୍ ଦେଖିବାକୁ ମିଳିଥିଲା। ଅଭିଯୋଗ ପ୍ରକୋଷ୍ଠ ଶେଷ ହେବା ବେଳକୁ ମୋଟ ୬୫ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିରୁ ୪୨ଟି ଅଭିଯୋଗ ବ୍ୟକ୍ତିଗତ ଥିଲା। ୧୬ଟି ଗ୍ରାମର ନଳକୂପ, ରାସ୍ତା ଆଦି ସମ୍ପର୍କିତ ସାମୂହିକ ସମସ୍ୟା ରହିଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ୬ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ରେଡକ୍ରସ ସହାୟତା ପାଣ୍ଠୀରୁ ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

Advertisment

ମିଳିତ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଖୋର୍ଦ୍ଧା ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ, ପଞ୍ଚାୟତ ଉନ୍ନୟନ ଅଧିକାରୀ କ୍ଷୀରାବ୍ଧୀ ତନୟା ସାହୁ, ଏବିଡିଓ ରଞ୍ଜନ କୁମାର ସ୍ୱାଇଁ, ସାମାଜିକ ସୁରକ୍ଷା ଅଧିକାରୀ ସନ୍ଦୀପ କୁମାର ପାଣିଗ୍ରାହୀଙ୍କ ସମେତ ପୂର୍ତ, ଗ୍ରାମ୍ୟଜଳ ଓ ପରିମଳ ମିଶନ, ଗ୍ରାମ୍ୟ ଉନ୍ନୟନ, ଉଦ୍ୟାନ, କୃଷି ଆଦି ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।