ଜୟପୁର: ଉପଯୁ୍କ୍ତ ସୂଚନା , ପ୍ରଚାର ଓ ପ୍ରସାର ଅଭାବରୁ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଫେଲ୍ ମାରିଲା। ମାତ୍ର ୨ଟି ଗୋଷ୍ଠୀ ଏବଂ ୩ଟି ବ୍ୟକ୍ତିଗତ ଅଭିଯୋଗକାରୀ ହିଁ ଶିବିରରେ ଭାଗ ନେଇଥିଲେ। ଶିବିର ସରିବା ପରେ ହାତାବାରୀ ଗ୍ରାମବାସୀ ଆସିଥିଲେ। ତେବେ ସେମାନେ ଶିବିରରେ ଭାଗ ନେଇ ପାରିନଥିଲେ। ସ୍ଥାନୀୟ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶିବିର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହିପରି ପ୍ରତ୍ୟେକ ମାସର ଗୋଟିଏ ସୋମବାର ଦିନ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅଭିଯୋଗ ପ୍ରକୋଷ୍ଠ ଆୟୋଜିତ ହେଉଥିବା ବେଳେ ଗତ ସୋମବାର ବଡ ଦିନ ଅବସରରେ ଛୁଟି ରହିଥିଲା । ତେଣୁ ହଠାତ ଆଜି ଏହାକୁ ଆୟୋଜନ କରାଯାଇଥିଲା । ଏହିପରି ଜିଲ୍ଲାସ୍ତରୀୟ ଏହି ଅଭିଯୋଗ ପ୍ରକୋଷ୍ଠକୁ ଜିଲ୍ଲାପାଳ ଅନୁପସ୍ଥିତ ରହିଥିବା ବେଳେ ଜିଲ୍ଲା ପରିଷଦ କାର୍ଯ୍ୟକାରୀ ଅଧିକାରୀ ତଥା ଜିଲ୍ଲାର ମୁଖ୍ୟ ଉନ୍ନୟନ୍ନ ଅଧିକାରୀ ଗୌରବ ଶିବାଜୀ ଇଶାଲୱାର ମୁଖ୍ୟ ଅଧିକାରୀ ଭାବେ ଯୋଗଦେଇଥିଲେ ।

Advertisment

ଏହିପରି କୌଣସି ଅଭିଯୋଗକାରୀମାନେ ଆସିନଥିବା ଯୋଗୁଁ ନିର୍ଦ୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ସାଢ଼େ ୧୧ ଟାରେ ଆରମ୍ଭ ହୋଇ ଗୋଟାଏ ପର୍ଯ୍ୟନ୍ତ କେବଳ ଦେଢ଼ ଘଣ୍ଟା ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ ପରେ ବନ୍ଦ କରାଯାଇଥିଲା । ଏହିପରି ଜିଲ୍ଲା ପ୍ରଶାସନର ଖାମଖିଆଲି ଭାବ ହଠାତ ମଙ୍ଗଳବାର ଏହି ଜନଶୁଣାଣି ଆୟୋଜନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ କରିବା ସହ ସମାଲୋଚନା କରାଯାଇଛି । ଏହିପରି ଏହି ଜନଶୁଣାଣି କାର୍ଯ୍ୟକ୍ରମ ଦିନ ଗୋଟାଏ ବେଳେ ବନ୍ଦ କରାଯାଇଥିବା ବେଳେ ଗୋଟାଏ ୧୫ ମିନିଟ ସମୟରେ ସ୍ଥାନୀୟ ଜୟପୁର ବ୍ଲକ ଉମୁରୀ ଗ୍ରାମପଞ୍ଚାୟତର ହାତୀବାରିଗୁଡାର ବାସିନ୍ଦା କୌଣସି ଠାରୁ ସୂଚନା ପାଇବା ପରେ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ । କିନ୍ତୁ ଅଭିଯୋଗ ଶୁଣିବା ଅଧିକାରୀମାନେ ଚାଲିଯାଇଥିବା ବେଳେ ଅଭିଯୋଗ ପ୍ରକୋଷ୍ଠକୁ ମଧ୍ୟ ବନ୍ଦ କରିଦିଆଯାଇଥିବା ଯୋଗୁଁ ନିରାଶ ହୋଇଥିଲେ । ସେମାନଙ୍କ ଦାବି ଅନୁଯାୟୀ ଦୀର୍ଘ ଏକଶହ ବର୍ଷରୁ ଉର୍ଦ୍ଧ୍ବ ହାତୀବାରିଗୁଡାରେ ଏହି ଗ୍ରାମବାସୀମାନେ ବସବାସ କରୁଛନ୍ତି । କିନ୍ତୁ ଜଙ୍ଗଲ ଓ ରାଜସ୍ବ ବିଭାଗ ଏହା ଜଙ୍ଗଲ ଜମି ହୋଇଥିବା ଯୋଗୁଁ ସେମାନଙ୍କୁ କୌଣସି ମୁହୁର୍ତ୍ତରେ ଉଠିବାକୁ ପଡିବ ।

ତେଣୁ ଏହି ଗ୍ରାମରେ ଅନୁସୂଚିତ ଜାତି ଓ ଜନଜାତିର ବାସିନ୍ଦା ବସବାସ କରୁଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ରାସ୍ତା, ଡ୍ରେନ, ପାନୀୟ ଜଳ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ବୋଲି ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ଏହିପରି ସମ୍ବେଦନଶୀଳ ଅଭିଯୋଗକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ସାମ୍ବାଦିକମାନଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କୁ ଲିଖିତ ଅଭିଯୋଗପତ୍ର ଗ୍ରାମବାସୀ ଦେବେନ୍ଦ୍ର ଚେଟ୍ଟି, ସୋନିଆ ମୁଦୁଲୀ ଏବଂ ଶୁଭନ ଜାନୀ ପ୍ରମୁଖ ପ୍ରଦାନ କରି ଖାଲିରେ ଫେରି ଯାଇଥିଲେ । ଶିବିରରେ ସେଭଳି ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କର ବି ଦେଖା ମିଳି ନଥିଲା। ଶିବିରରେ ସମନ୍ବୀତ ଆଦିବାସୀ ଉନ୍ନୟନ ପ୍ରକଳ୍ପର ନିର୍ଦ୍ଦେଶକ ପ୍ରଣୟ ରଞ୍ଜନ ବେହେରା, ଜୟପୁର ତହସିଲଦାର ଡ. ମୋନାଲିସା ଆଚାର୍ଜୀ, ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି ଭାଗ ନେଇଥିଲେ।