କଣିହାଁ: କଣିହାଁ କୋଇଲା ଖଣି ଅଞ୍ଚଳରେ ଭୂତଳ ଜଳସ୍ତର ଉଦ୍‌ବେଗଜନକ ଭାବେ ହ୍ରାସ ପାଇବାରେ ଲାଗିଛି। ଅନ୍ୟପକ୍ଷ ଖଣି ଅଞ୍ଚଳରେ ଟ୍ୟାଙ୍କର୍‌ ଯୋଗେ ଲୋକଙ୍କୁ ଯୋଗାଇ ଦେଉଥିବା ପାଣି ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି। ଫଳ‌ରେ ଖଣି ନିକଟବର୍ତ୍ତୀ ଅଞ୍ଚଳବାସୀ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ମିଳିଥିବା ସୂଚନା ଅନୁଯାୟୀ, କଣିହାଁ କୋଇଲା ଖଣି ଅଞ୍ଚଳରେ ଶହ ଶହ ଫୁଟ୍‌ ଗଭୀର ଖଣି ଭିତରୁ କୋଇଲା ଉତ୍ତୋଳନ କରାଯାଉଛି। ଫଳରେ ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ଖଣି ଅଞ୍ଚଳରେ ବାସ କରୁଥିବା ଲୋକମାନେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। କଣିହାଁ କୋଇଲା ଖଣି ଅଞ୍ଚଳର କଂସମୁଣ୍ଡା, ଜରଡ଼ା, ଜମାନିଆ, ଅଦୌତପ୍ରସାଦ, ଗୁଣ୍ଡୁରିନାଳି, ଗୋଇଲାଣ୍ଡ, ତେଲିସିଂହା, ଛେଳିଆ, ବଡ଼ଗୁଣ୍ଡୁରି, ବଇଣ୍ଡା, ଲୁହାମରା ଇତ୍ୟାଦି ଗାଁରେ ଜଳସ୍ତର ଉଦ୍‌ବେଗଜନକ ଭାବେ ହ୍ରାସ ପାଇବାରେ ଲାଗିଛି। କୂଅ, ପୋଖରୀ ଶୁଖିଗଲାଣି। ଛୋଟ ଛୋଟ ନଦୀ, ନାଳରେ ଜଳସ୍ରୋତ ଆଉ ଦେଖିବାକୁ ମିଳୁନି।

Advertisment

କୋଇଲା ଖଣି ନିକଟବର୍ତ୍ତୀ ଗାଁରେ ଥିବା କୂଅ, ନଳ କୂଅରୁ ଯେଉଁ ପାଣି ବାହାରୁଛି ତାହା ପର୍ଯ୍ୟାପ୍ତ ‌ନୁହେଁ। ଗାଈ ଗୋରୁମାନେ ପୋଖରୀରୁ ପିଇବା ପାଣି ପାଉନାହାନ୍ତି। ଖଣି ନିକଟବର୍ତୀ ଅଞ୍ଚଳରେ ପାଣି ପାଇଁ ଲୋକମାନେ ଶହ ଶହ ଫୁଟ୍‌ ପର୍ଯ୍ୟନ୍ତ ଗଭୀର କୂଅ ଖୋଳିଲେ ବି ସେଥିରୁ ପାଣି ଠିକ୍‌ ଭାବେ ବାହାରୁ ନାହିଁ। ଖଣି ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା କ୍ଷତିଗ୍ରସ୍ତ ଲୋକମାନେ ବିସ୍ଥାପିତ ହେବା ପାଇଁ ବର୍ଷ ବର୍ଷ ଧରି ଆବେଦନ କରି ଆସୁଥିଲେ ମଧ୍ୟ କୋଇଲା ଖଣି କର୍ତ୍ତୃପକ୍ଷ ବିସ୍ଥାପିତ କରିବାରେ ଟାଳଟୁଳନୀତି ଅବଲମ୍ବନ କରୁଥିବା ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଖଣି ଅଞ୍ଚଳରେ ଲୋକମାନେ ଦୟନୀୟ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି। ଖଣିରେ ଡିନାମାଇଟ୍ ବିସ୍ଫୋରଣରେ କେତେକ ଘର ଦୋହଲି ଯାଉଛି ତ କେତେକ ଘର ଭାଙ୍ଗିରୁଜି ଗଲାଣି। କୋଇଲା ଗୁଣ୍ଡରେ ଲୋକେ ଆକ୍ତାମାକ୍ତା ହେଲେଣି। ଏପରିକି ଖଣି ନିକଟବର୍ତ୍ତୀ କଣିହାଁ କଲେଜ ରୋଡ କଣିହାଁ ଗାଁ, କଣିହାଁ ହରିଜନ ସାହି ଓ ବ୍ଲକ ସଦର ମହକୁମାର କେତେକ ସ୍ଥାନରେ ୧୧ ଶହ ଫୁଟ ପର୍ଯ୍ୟନ୍ତ ଗଭୀର ବୋରୱେଲ୍‌ ଖୋଳାଯାଇଥିଲେ ମଧ୍ୟ ପାଣି ଟୋପାଏ ବାହାରୁ ନଥିବା ଦେଖିବାକୁ ମିଳୁଛି। ଜଣେ ଜଣେ ବ୍ୟକ୍ତି ନିଜ ଘରେ ଏକରୁ ଅଧିକ ବୋରୱେଲ୍‌ କରିବା ପରେ ମଧ୍ୟ ପାଣି ବାହାରୁ ନାହିଁ। କଣିହାଁ ବ୍ଲକ୍‌ ସଦର ମହକୁମାରେ କିଛି ବ୍ୟକ୍ତି ଶହ ଶହ ଫୁଟ୍‌ ବୋରୱେଲ କରି ପାଣି ପାଇବାରୁ ବଞ୍ଚିତ ହୋଇଥିବା ଉଦାହରଣ ରହିଛି। ବ୍ଲକ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଜଳ ସମସ୍ୟା ଲାଗି ରହିଛି। ଖଣି ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଯୋଗାଇ ଦେଉଥିବା ପାଣି ପର୍ଯ୍ୟାପ୍ତ ହେଉନି। ଗାଁର ଲୋକଙ୍କୁ ଯେଉଁ ପିଇବା ପାଣି ଯୋଗାଇ ଦେଉଛନ୍ତି, ତାହା ସବୁ ଲୋକଙ୍କ ପାଖରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି।