ସମ୍ବଲପୁର: ସମ୍ବଲପୁରସ୍ଥିତ ବେଜ୍‌ବରୁଆ ଭବନରେ ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ଏକ ପୂର୍ଣ୍ଣ ଆବୟବ ପ୍ରତିମୂର୍ତ୍ତି ସ୍ଥାପନ ସକାଶେ ଆଜି ଭୂମିପୂଜା ଅନୁଷ୍ଠିତ ହୋଇଛି । ଏଥିରେ ଓଡ଼ିଶାର ଓଡ଼ିଆ ଭାଷା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ଆସାମର ଶକ୍ତି, ସଂସ୍କୃତି, ପର୍ଯ୍ୟଟନ, କ୍ରୀଡ଼ା, ଯୁବ ବ୍ୟାପାର ମନ୍ତ୍ରୀ ବିମଳ ବୋରା, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାଶ, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଆସାମର ସଂସ୍କୃତି ବିଭାଗ ନିର୍ଦ୍ଦେଶିକା ମିନାକ୍ଷୀ ଦାଶନାଥ, ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆ ସ୍ମ୍ରୁତି ରକ୍ଷା କମିଟି, ଆସାମର ସଭାପତି ଇଂ. ପ୍ରଦ୍ୟୋତ କୁମାର ଚୌଧୁରୀ, ସଂପାଦକ ରଣ୍ଟୁ ଡେକା, କମିଟିର ସମ୍ବଲପୁର ଆବାହକ ଦୀପକ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

Advertisment

ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପ୍ରତିମୂର୍ତ୍ତି ପାଇଁ ୫୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି। ଏଥିରୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ସାରିଲାଣି। ଓଡ଼ିଶାର ବିଶିଷ୍ଟ ସ୍ଥପତି ଜୟନ୍ତ ଦାଶ ମୂର୍ତ୍ତି ନିର୍ମାଣ କରିବେ। ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁରରେ ଥିବା ଦୁଇଟି ବେଜବରୁଆ ଭବନ ମଧ୍ୟରୁ ଗୋଟିଏ, ସାଧନା ଗୃହର ଜୀର୍ଣ୍ଣୋଦ୍ଧାର କାର୍ଯ୍ୟ ସରିଯାଇଛି। ବାସଗୃହର ଜୀର୍ଣ୍ଣୋଦ୍ଧାର କାମ ଆରମ୍ଭ ହୋଇଛି।

ଭୂମି ପୂଜନ ପରେ ଓଡ଼ିଶା ସାଂସ୍କୃତିକ ସମାଜ ସଭାଗୃହରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର କହିଲେ ଯେ ସାହିତ୍ୟ ଜନଜୀବନ ସହିତ ଜଡ଼ିତ। ବେଜବରୁଆଙ୍କ ସାହିତ୍ୟ କାଳଜୟୀ ଅଟେ। ତାଙ୍କ ସ୍ମୃତି ରକ୍ଷା ପାଇଁ ଓଡ଼ିଶା ଓ ଆସାମ ସରକାର ଆଗେଇ ଆସିଛନ୍ତି। ମନ୍ତ୍ରୀ ବିମଳ ବୋରା କହିଲେ, ଓଡ଼ିଶା ଓ ଆସାମ ମଧ୍ୟରେ ସଂପର୍କ ବହୁତ ପୁରୁଣା। ଓଡ଼ିଶାରୁ ଆସାମର ଚା’ ବଗିଚାକୁ ବହୁତ ଲୋକ ଯାଇଥିବାରୁ ପ୍ରତ୍ୟେକ ଚା’ ବଗିଚାରେ ଗୋଟିଏ ଲେଖାଏଁ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ହିମନ୍ତ ବିଶ୍ବଶର୍ମା ସରକାର ପଦକ୍ଷେପ ନେଇଛନ୍ତି। ବେଜ୍‌ବରୁଆ ସମ୍ବଲପୁରରେ ସ୍ଥାୟୀ ବାସକରି ଅସମୀୟା ସାହିତ୍ୟରେ ନୂତନ ଯୁଗ ପ୍ରବର୍ତ୍ତନ କରିଥିବାରୁ ସମ୍ବଲପୁର ମହତ୍ବପୂର୍ଣ୍ଣ ଅଟେ। ଜିଲ୍ଲାପାଳ ଅନନ୍ୟ ଦାଶ କହିଲେ ଯେ ପ୍ରଶାସନିକ ଜୀବନରେ ମା ମାଟିର ସେବା ପାଇଁ ସାଧାରଣତଃ ସୁଯୋଗ ମିଳିନଥାଏ। କିନ୍ତୁ, ଜନ୍ମଭୂମି ଓ କର୍ମଭୂମି, ଉଭୟର ସେବାର ବିରଳ ସୁଯୋଗ ମିଳିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ। ଏହି ଅବସରରେ ବେଜବରୁଆଙ୍କ ଏକ ଚିତ୍ରକୁ ଶିଳ୍ପୀ ମନୋଜ କୁମାର ଚୌଧୁରୀ ମନ୍ତ୍ରୀ ପାତ୍ରଙ୍କୁ ଉପହାର ଦେଇଥିଲେ। ଦୀପକ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମିନାକ୍ଷୀ ଦାଶନାଥ ମଧ୍ୟ ଉଦବୋଧନ ଦେଇଥିବା ବେଳେ ପି.କେ. ଚୌଧୁରୀ ସ୍ବାଗତ ଭାଷଣ ଏବଂ ରଣ୍ଟୁ ଡେକା ଧନ୍ୟବାଦ ଅର୍ପଣ କରିଥିଲେ।
ଆସନ୍ତା ୧୯ ତାରିଖ ଅପରାହ୍ନ ୪ଟାରେ ସମ୍ବଲପୁରରୁ ବିଦାୟ ନେବା ପୂର୍ବରୁ ମନ୍ତ୍ରୀ ବିମଳ ବୋରା ସମଲେଶ୍ଵରୀଙ୍କ ଦର୍ଶନ ତଥା ହୀରାକୁଦ ପରିଦର୍ଶନ କରିବେ।