ରସୁଲପୁର: ଚିନାବାଦାମ, ବିରିମୁଗ ଫସଲ ଆଉ ଅଳ୍ପଦିନ ପରେ ଅମଳ ହେବ। ବର୍ତ୍ତମାନ ଏହିସବୁ ଫସଲ କିଆରି ଫୁଲ କଷିରେ ଭର୍ତ୍ତି। ହେଲେ ବିରିମୁଗ ଫସଲରେ ପ୍ରବଳ ଜଉପୋକ ଦେଖାଦେଇଛି। ବିରି ଗଛର କଅଁଳିଆ ଅଗ ପତ୍ର ସହିତ ଫୁଲ ଓ କଷି ଛୁଇଁରେ କଳାକଳା ପୋକ ଲାଗି ଯାଇ ରସ ଶୋଷି ଖାଇଯାଉଛନ୍ତି। ଫଳରେ ଗଛ ଗୁଡ଼ିକ ଦୁର୍ବଳ ହେବା ସହିତ ଛୁଇଁ ଗୁଡ଼ିକ ମଧ୍ୟ ଶୁଖି ଯାଉଛି। ଗତ ସପ୍ତାହରେ କିଛିଦିନ କୁହୁଡ଼ି ହେବା ଫଳରେ ଏହି ପୋକ ଲାଗିଯାଇଥିବା ଚାଷୀମାନେ କହୁଛନ୍ତି।

Advertisment

ରସୁଲପୁର ବ୍ଲକ୍ ନରସିଂହପୁର ପଞ୍ଚାୟତ ହରିପୁର ମୌଜାର କିଛି ଅଞ୍ଚଳ ତଥା ନିକଟସ୍ଥ ମହେଶ୍ବରପୁର ପାଟରେ ଅଧିକାଂଶ ଜମିରେ ଜଉପୋକ ଲାଗି ଯାଇଛନ୍ତି। ବିରି ସହିତ ମୁଗ ଫସଲରେ ମଧ୍ୟ ଜଉପୋକ ଲାଗିଛି। ସେହିପରି ଏଠାରେ ଚିନାବାଦାମ ଫସଲରେ ପତ୍ରଖିଆ ପୋକ ଲାଗି ଗଛର ପତ୍ର ଗୁଡ଼ିକ କଣାକରି ଖାଇଯାଉଛନ୍ତି। ବାରବାଟି ପଞ୍ଚାୟତରେ ଏଭଳି ସମସ୍ୟା ଦେଖାଦେଇଛି। ଫସଲ ପାକଳ ହେବା ସମୟରେ ପୋକ ଲାଗିଯାଉଥିବାରୁ ଅମଳ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଏସମ୍ପର୍କରେ ରସୁଲପୁର ବ୍ଲକ୍ ସହକାରୀ କୃଷି ଅଧିକାରୀ ଭାଗ୍ୟଧର ସାହୁଙ୍କୁ ପଚାରିବାରୁ, ଏଭଳି ପୋକ ଲାଗିଥିବା ସ୍ଥାନଗୁଡ଼ିକ ବୁଲି ଦେଖିବା ପାଇଁ ଗାମ କୃଷି କର୍ମଚାରୀ (ଭିଏଡବ୍ଲ୍ୟୁ) କିମ୍ବା କୃଷକ ସାଥୀ ମାନଙ୍କୁ ପଠାଇବେ ବୋଲି କହିଛନ୍ତି।

ତେବେ ଯେଉଁଠି ଜଉଆ ପୋକ ଲାଗିଛି ସେଠି ଚାଷୀମାନେ ଇମିଡାକ୍ଲୋପ୍ରିଡ୍ ୧ଲିଟର ରେ ୧ ମିଲି କିମ୍ବା ଥିଓମେଥୋକ୍ସାନ୍ ୩ଲିଟର ପାଣିରେ ୧ ଗ୍ରାମ୍ ଗୋଳାଇ ଅପରାହ୍ଣରେ ସିଞ୍ଚନ କଲେ ଏହି ପୋକ ଦମନ କରିହେବ। ଇମିଡାକ୍ଲୋପ୍ରିଡ କୃଷି କାର୍ଯ୍ୟାଳୟରେ ରିହାତି ଦରରେ ଯୋଗାଇ ଦିଆଯାଉଥିବା ଭିଏଡବ୍ଲ୍ୟୁ ପ୍ରତିମା ଦାସ କହିଛନ୍ତି। ସେହିପରି ଚିନା ବାଦାମ ଫସଲରେ ଲାଗିଥିବା ପତ୍ରଖିଆ ପୋକ ରାତିରେ ବାହାରି ପତ୍ର ଖାଇଥାନ୍ତି ବୋଲି କୃଷି ଅଧିକାରୀ ଶ୍ରୀ ସାହୁ କହିଛନ୍ତି। ତେଣୁ ପ୍ରୋଫେନୋଫସ୍‌ ୧ଲିଟର ପାଣିରେ ୨ ମିଲି ଗୋଳାଇ ଅପରାହ୍‌ଣରେ ସିଞ୍ଚନ କଲେ ପତ୍ରଖିଆ ପୋକ ଦମନ କରିହେବ ବୋଲି କୃଷି ଅଧିକାରୀ କହିଛନ୍ତି।