ବୌଦ୍ଧ(ବାଲାଜୀ ବିଭୁରଂଜନ ତରାସିଆ): ବୌଦ୍ଧ ଜଲ୍ଲାରେ ଗତ ଦୁଇ ଦଶନ୍ଧି ହେଲା ବିଜେଡି ରାଜ୍ ଚାଲିଛି। ପଂଚାୟତ ସ୍ତରରୁ ଆରମ୍ଭ କରି ଲୋକସଭା ନିର୍ବାଚନ ଯାଏଁ ସବୁଠି ବିଜେଡି ତାର ପାତିଆରା ଜାହିର କରିଛି। ବିଗତ ୨୦ ବର୍ଷ ହେଲା ବୌଦ୍ଧ ନିର୍ବାଚନମଣ୍ଡଳୀରୁ ପ୍ରଦୀପ ଅମାତ୍ ବିଜୟୀ ହୋଇ ଆସୁଥିବା ବେଳେ ରାଜ୍ୟ ରାଜନୀତିରେ ଜଣେ ଆଗ ଧାଡ଼ିର ନେତା ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ରାଜ୍ୟ ସରକାରରେ କେତେବେଳ ମନ୍ତ୍ରୀ ତ ପୁଣି କେତେବେଳେ ବାଚସ୍ପତି ଭାବେ ଅଦଳ ବଦଳ କରି କ୍ଷମତାର କେନ୍ଦ୍ରରେ ରହି ଆସିଛନ୍ତି। ସେହିପରି କଣ୍ଟାମାଳ ନିର୍ବାଚନମଣ୍ଡଳୀ ହେବା ଦିନଠାରୁ ଏଠାରୁ ମଧ୍ୟ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ଆସୁଛନ୍ତି। ଏବେ ମହିଧର ରଣା ବିଧାୟକ ରହିଛନ୍ତି। ବୌଦ୍ଧ ଜିଲ୍ଲାରେ ଗତ ୨୦ ବର୍ଷ ଧରି ପ୍ରଦୀପ ବାବୁଙ୍କ କେହି ବିକଳ୍ପ ନାହିଁ ବୋଲି ରାଜନୀତି ସମୀକ୍ଷକମାନେ କହୁଥିଲେ ଏବେ ଆଉ ସେପରି ଅବସ୍ଥା ନାହିଁ।
ଗତ ପଂଚାୟତ ନିର୍ବାଚନ ପରେ ଏହି ଧାରଣା ଅନେକାଂଶରେ ବଦଳି ଯାଇଛି। ସାଧାରଣ ଭୋଟର କେବଳ ପ୍ରଦୀପ ବାବୁଙ୍କୁ ଚାହିଁ ଭୋଟ ଦେଇ ନାହାନ୍ତି ବରଂ ତାଙ୍କ ନିର୍ବାଚନମଣ୍ଡଳୀରେ ତାଙ୍କ ଠାରୁ ଭୋଟର ଆଶାତୀତ ଭାବେ ଦୂରେଇ ଯାଇ ଭିନ୍ନ ସ୍ୱାଦର ଫଳାଫଳ ଦେଇଛନ୍ତି। ବିଜେପିର ଅଭ୍ୟୁଦୟ ଓ ସମଗ୍ର ଦେଶରେ ବିଜେପିର ଯେଉଁ ଧାରା ଆରମ୍ଭ ହୋଇଛି ସେଥିରେ ବୌଦ୍ଧ ଜିଲ୍ଲା ବେଶ୍ ପ୍ରଭାବିତ ହୋଇଛି। ଏବେ ଜିଲ୍ଲାରେ ଏକ ବଡ଼ ଧରଣର ସମୀକରଣ ହେବାକୁ ଯାଉଛି। ଆସନ୍ତା ୨୯ ତାରିଖରେ ବୌଦ୍ଧର କଚେରୀ ପଡ଼ିଆରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଏଥିରେ ବିଜେଡି, କଂଗ୍ରେସ ଓ ଅନ୍ୟ ଦଳର ନେତାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ହୋଇଛି। ଏହି ମିଶ୍ରଣ ପର୍ବରେ କଂଗ୍ରେସର ପିସିିସି ସଭ୍ୟ ତଥା ଗତ ନିର୍ବାଚନରେ କଂଗ୍ରେସ ଦଳରୁ ବିଧାୟକ ପ୍ରାର୍ଥୀ ହୋଇଥିବା ସୁଶାନ୍ତ ପ୍ରଧାନ ଓ ତାଙ୍କ ଭାଇ ସରୋଜ ପ୍ରଧାନ ଯିଏ କି ବର୍ତ୍ତମାନ ତିଲେଶ୍ୱର ପଂଚାୟତ ସମିତି ସଭ୍ୟ ଅଛନ୍ତି କଂଗ୍ରେସ ତ୍ୟାଗ କରି ବିଜେପିରେ ଯୋଗ ବେଦେବେ ବୋଲି ଶୁଣାଯାଉଛି। ଏଥିପାଇଁ ଏକ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ବୌଦ୍ଧ ଜିଲ୍ଲାରେ ସୁଶାନ୍ତ ବାବୁ ହରଭଙ୍ଗା ବ୍ଲକ୍ରେ କଂଗ୍ରେସର ଗଡ଼କୁ ସମ୍ଭାଳିଥିଲେ। ଗତଥର ନିର୍ବାଚନରେ ସୁଶାନ୍ତ ବାବୁ ବିଜେଡିକୁ ଭଲ ଧକ୍କା ଦେଇଥିଲେ। ସେହିପରି ଜିଲ୍ଲାରେ ବିଜେପିକୁ ମଜବୁତ କରି ବିଜେଡିକୁ ଟକ୍କର ଦେବା ପାଇଁ କିଛି ବିଜେଡି ନେତା ସାମିଲ ଥିବା ମଧ୍ୟ ଚର୍ଚା ହେଉଛି। ହରଭଙ୍ଗା ଅଂଚଳରେ କିଛି କାଟତି ଥିବା ପୂର୍ବତନ ସାଂସଦ ଥିବା ଜଣେ ନେତାଙ୍କ ପ୍ରଚ୍ଛନ୍ନ ହାତ ଥାଇ ଏସବୁ ଗୋଟି ଚାଳନା କରାଯାଉଥିବା ମଧ୍ୟ ଆଲୋଚନା ହେଉଛି।
କ୍ଷେତ୍ର ପ୍ରସ୍ତୁତ ହେଲା ପରେ ସଂପୃକ୍ତ ନେତା ଜଣକ ନିଜେ ବିଜେପିରେ ସାମିଲ ହୋଇ ପ୍ରଦୀପ ବାବୁଙ୍କୁ କଡା ମୁକାବିଲା କରିବେ ବୋଲି ମଧ୍ୟ ତଥ୍ୟାଭିଜ୍ଞ ମହଲରୁ ଜଣାପଡୁଛି। ଅନେକ ଅସନ୍ତୁଷ୍ଟ ବିଜେଡି ନେତା ବିଜେପିମୁହାଁ ହୋଇଛନ୍ତି ଓ ସିଧା ସଳଖ ଧମେନ୍ଦ୍ର ପ୍ରଧାନଙ୍କ ସହ ଯୋଗସୂତ୍ରରେ ରହିଛନ୍ତି। ଏପରି ଅବସ୍ଥାରେ ବିଜେଡିରୁ କିଏ କିଏ ବିଜେପି ସହ ସମ୍ପର୍କରେ ରହିଛନ୍ତି ସେ ନେଇ ଘନ ଘନ ବୈଠକ ଚାଲିଛି। ଏପରି ଏକ ଗୋଳମାଳିଆ ପରିସ୍ଥିତିରେ ଗତ ନିର୍ବାଚନ ସମୟରେ ଯେଉଁମାନେ କଂଗ୍ରେସରୁ ବିଜେଡି ପଟକୁ ଢଳିଥିଲେ ସେମାନେ ପୁଣିଥରେ ସୁଯୋଗ ଉଣ୍ଡି କଂଗ୍ରେସର ଜିଲ୍ଲା ମୁଖିଆ ହେବା ପାଇଁ କସରତ ଆରମ୍ଭ କରି ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ସୁଶାନ୍ତ ବାବୁ ବିଜେପିକୁ ଗଲା ପରେ କଂଗ୍ରେସ ଟିକଟ ପାଇଁ ପୁଣି ଥରେ ନୂତନ ସମ୍ଭାବନା ଦେଖାଦେବ। ସେତିକି ବେଳେ ବିଜେଡିମୁହାଁ ହୋଇଥିବା କେତେକ ପୁରୁଣା କଂଗ୍ରେସ ନେତାଙ୍କ ଘର ବାହୁଡ଼ା ହେବା ମଧ୍ୟ କିଛି ବିଚିତ୍ର ନୁହେଁ। ପରିସ୍ଥିତି ଯାହା ବି ହେଉନା କାହିିଁକି ବୌଦ୍ଧର ରାଜନୈତିକ ଦୃଶ୍ୟପଟ ଏବେ ଏକ ଭିନ୍ନ ମୋଡ଼ ନେଉଥିବା ରାଜନୀତି ସମୀକ୍ଷକମାନେ ମତ ଦେଉଛନ୍ତି।
ଫୁଲୁଛି ବିଜେପି, ଛିଡୁଛି କଂଗ୍ରେସ, ବିଜେଡି ଟଳମଳ
/sambad/media/post_attachments/wp-content/uploads/2017/10/eiection.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)