ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଜାର ଉପରେ ଥିବା ବାବା କମ୍ୟୁନିକେସନ ଟ୍ରେନ ଟିକେଟ କାଉଣ୍ଟର ଉପରେ ରେଲେୱ ପୁଲିସ, ସାଇବର ସେଲ ଓ ବିଭାଗର କ୍ରାଇମବ୍ରାଂଚ ଶାଖା ପକ୍ଷରୁ ମିଳିତ ଚଢାଉ କରାଯାଇଛି। ଟ୍ରେନ ଟିକେଟ କାଉଣ୍ଟରରେ ଥିବା ଲାପଟପକୁ ତନଖି କରାଯିବା ପରେ ଫେକ ଆଇଡିରେ ଟ୍ରେନ ଟିକେଟ ବୁକିଂ କରାଯାଉଥିବାର ପ୍ରମାଣ ମିଳିଛି। ଲାପଟପ, ମୋବାଇଲ ଓ ୫ଟି ଟ୍ରେନ ଟିକେଟ ଜବତ କରାଯିବା ସହ ଟିକେଟ କାଉଂଟରର ମାଲିକ ବଳଭଦ୍ରପୁରର ଶ୍ରୀକାନ୍ତ କୁଣ୍ଡଙ୍କୁ ଗିରଫ କରାଯାଇଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପାରାଦ୍ୱୀପ ଆରପିଏଫର ସବଇନିସପେକ୍ଟର ସୁବାଷ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି।
ରାଜନଗରରେ ଖୋଲାଯାଇଥିବା ଟ୍ରେନ ଟିକେଟ ବୁକିଂ କାଉଣ୍ଟରରେ ନକଲି ଆଇଡିରେ ତତ୍କାଳ ଟ୍ରେନ ଟିକେଟ ବୁକିଂ କରାଯାଉଥିବା ନେଇ ଦିଲ୍ଲୀ ରେଲେୱେ ବୋର୍ଡ ପକ୍ଷରୁ ଇଷ୍ଟକୋଷ୍ଟ ରେଲେୱକୁ ସୂଚନା ଦିଆଯାଇଥିଲା। ଦିଲ୍ଲୀ ରେଲେୱେ ବୋର୍ଡର ସୂଚନା ଆଧାରରେ ଆଜି ପାରାଦ୍ୱୀପ ଆରପିଏଫର ସବଇନିସପେକ୍ଟର ସୁବାଷ ଚନ୍ଦ୍ର ବିଶ୍ୱାଳ, ଏଏସଆଇ ଟି.କେ. ମହାରଣା, କ୍ରାଇମବ୍ରାଂଚ ଖୋର୍ଦ୍ଧାର ଏଏସଆଇ ସି.ଆର.ସାମନ୍ତରାୟ ଓ ଇଷ୍ଟକୋଷ୍ଟ ରେଲେୱେ ହେଡକ୍ୱାର୍ଟର ସାଇବର ସେଲ ପକ୍ଷରୁ ଆଜି ମିଳିତ ଭାବେ ଚଢାଉ କରାଯାଇଥିଲା।
ରାଜନଗର ବଜାରରେ ଥିବା ବାବା କମ୍ୟୁନିକେସନ ଉପରେ ୩ଟି ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ଏଠାରେ ଥିବା ଲାପଟପକୁ ଜବତ କରାଯାଇ ତନଖି କରାଯାଇଥିଲା। ଲାପଟପରେ ଫେକ ଆଇଡିରେ ତତ୍କାଳ ଟିକେଟ ବିକ୍ରିର ପ୍ରମାଣ ମିଳିଥିଲା ଓ ୫ଟି ପୁରୁଣା ଟିକେଟ ମିଳିଥିଲା କମ୍ୟୁନିକେସନର ମାଲିକଙ୍କୁ ଶ୍ରୀ କୁଣ୍ଡଙ୍କୁ ଗିରଫ କରାଯିବା ସହ ତାଙ୍କ ଲାପଟପ, ସେ ବ୍ୟବହାର କରୁଥିବା ମୋବାଇଲ ଓ ୫ଟି ଟିକେଟକୁ ଜବତ କରାଯାଇଛି। ଶ୍ରୀ କୁଣ୍ଡଙ୍କୁ ପାରାଦ୍ୱୀପ ଆରପିଏଫ ଥାନାକୁ ନିଆଯାଇଛି। ରେଲେୱେ ଆକ୍ଟ ୧୪୩ରେ ମାମଲା ରୁଜୁ କରାଯାଇଛି।