୮ ମାସ ହେଲା ଦରମା ନାହିଁ: ଗୁହାରି କରି ଥକିଲେଣି, ଦୁର୍ଦ୍ଦିନରେ ଜିଆରଏସ୍ ପରିବାର

ବାଇକ୍ ତେଲ ଓ ଗୃହ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ରାଶି ବି ଅଟକିଛି, ବିଡ଼ିଓ, ପିଡି ଡିଆରଡିଏଙ୍କୁ ଅବଗତ ପରେ ବି ମିଳୁନି ସୁଫଳ

ରାୟଗଡ଼ା: ମାସେ କି ଦୁଇ ମାସ ନୁହଁ, ୮ ମାସ ହେଲା ମିଳିନି ଦରମା। ପେଟ୍ରୋଲ୍ ବାବଦ ମାସିକ ୫୦୦ ଟଙ୍କା ବି ଅଟକିଛି। ଆବାସ ଯୋଜନା ସମ୍ପୂର୍ଣ୍ଣ ପ୍ରୋତ୍ସାହନ ରାଶି ଆକାଶ କଇଁଆ ଚିଲିକା ମାଛ ଭଳି କେବଳ ବୈଠକରେ ଆଲୋଚନା ହେଉଛି। ଚାକିରି କରିବା ଦିନଠୁ ଜଣଙ୍କୁ ବି ମିଳିନି। ବିନା ଦରମାରେ କାମ କରି ଦୁର୍ଦ୍ଦିନରେ ଦିନ କାଟୁଥିବା ଏହି କର୍ମଚାରୀ କୌଣସି ବେସରକାରୀ ସଂସ୍ଥାର ନୁହଁ। ଖୋଦ୍ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ଗ୍ରାମ ରୋଜଗାର ସେବକ (ଜିଆରଏସ୍)। ଗ୍ରାମାଞ୍ଚଳ ଲୋକଙ୍କୁ ଶ୍ରମ ଭିତ୍ତିକ କାର୍ଯ୍ୟ ପ୍ରଦାନ, ଏନଆରଇଜିଏସର ସଫଳ ରୂପାୟନ, ଆବାସ ଯୋଜନା ସମ୍ପୂର୍ଣ୍ଣୀକରଣ କ୍ଷେତ୍ରରେ ଏମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଅଥଚ ଅନୁଦାନ ଅଭାବ, ପାଣ୍ଠି ଆସିନଥିବା ଦର୍ଶାଇ ୮ ମାସ ହେଲା ଜିଆରଏସଙ୍କ ଦରମାକୁ ଚାପିଛନ୍ତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ। ଫଳରେ ଘର ଚଳାଇବାଠୁ ଆରମ୍ଭ କରି ପିଲାଙ୍କ ପାଠପଢ଼ା, ଅଭିଭାବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କ୍ଷେତ୍ରରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜିଆରଏସ୍। ବିଡ଼ିଓ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକଙ୍କୁ ବାରମ୍ବାର ଗୁହାରି କରି ଥକିବା ପରେ ଏବେ ଭାଗ୍ୟକୁ ନିନ୍ଦି ପଡି ରହିଛନ୍ତି ରାୟଗଡ଼ା ବ୍ଲକର ୧୭ ଗ୍ରାମ ରୋଜଗାର ସେବକ।

ରାୟଗଡ଼ା ବ୍ଲକର ୨୮ ପଞ୍ଚାୟତରେ ନିୟୋଜିତ ଅଛନ୍ତି ୧୭ ଜିଆରଏସ୍। ଖାଲି ପଡିଥିବା ୧୧ ପଦବି ପୂରଣ ହେଉନଥିବାରୁ ଅତିରିକ୍ତ କାର୍ଯ୍ୟଭାର ନେଇ ଦାୟିତ୍ବ ତୁଲାଇ ସଠିକ୍ ସମୟରେ ସରକାରଙ୍କ ଲକ୍ଷ୍ୟ ପୂରଣ କରୁଛନ୍ତି। ମାସିକ ୮ ହଜାର ୮୮୦ ଟଙ୍କା ଦରମାରେ କାମ କରୁଥିବା ଜିଆରଏସ୍ ପ୍ରତି ସପ୍ତାହରେ ସମୀକ୍ଷା ବୈଠକରେ ଯୋଗଦେବାକୁ ୧୦ରୁ ୪୦ କିମି ଦୂରତା ପର୍ଯ୍ୟନ୍ତ ଥିବା ପଞ୍ଚାୟତରୁ ଆସୁଛନ୍ତି। ଗାଁକୁ ଗାଁ ବୁଲି ନିୟମିତ ସ୍ଥିତି ପରଖୁ ଥିବାରୁ ଅଧିକାଂଶ ପ୍ରକଳ୍ପର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ନିର୍ମାଣ କ୍ଷେତ୍ରରେ ରାୟଗଡ଼ା ବ୍ଲକ୍ ଜିଲ୍ଲାସ୍ତରରେ ଚତୁର୍ଥ ସ୍ଥାନରେ ରହିଛି।

ସେହିପରି ଏନଆରଇଜିଏସ୍ ମଷ୍ଟର ରୋଲ୍, ଡିମାଣ୍ଡ ନୋଟିସ୍, ପ୍ରକଳ୍ପ ସମ୍ପୂର୍ଣ୍ଣୀକରଣ କ୍ଷେତ୍ରରେ ମଧ୍ୟ ସ୍ଥିତି ବେଶ୍ ଭଲ। କିନ୍ତୁ ଦୁର୍ଭାଗ୍ୟର କଥା ଗ୍ରାମାଞ୍ଚଳରେ ସରକାରୀ ଯୋଜନାକୁ ଦିଗ ଦେଖାଉଥିବା ଏହି କର୍ମଚାରୀ ୨୦୨୧ ଅକ୍ଟୋବର ମାସରୁ ଦରମା ପାଇନାହାନ୍ତି। ତେଲ, ପ୍ରୋତ୍ସାହନ ବାବଦକୁ ମିଳିବାକୁ ଥିବା ଅନୁଦାନ ମଧ୍ୟ ଅଟକିଛି। ଏନଆରଇଜିଏସ୍ ଯୋଜନାରେ ଖର୍ଚ୍ଚ ହେଉଥିବା ମୋଟ ଅନୁଦାନ ରାଶିର ୬ ପ୍ରତିଶତ ଅର୍ଥ ଦରମା ବାବଦରେ ମନରେଗା ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ), କମ୍ପ୍ୟୁଟର ପୋଗ୍ରାମର (ସିପି), ଗ୍ରାମ ରୋଜଗାର ସେବକ (ଜିଆରଏସ୍) ପାଇବାର ନିୟମ ରହିଛି। ହେଲେ ଅନୁଦାନ ଅଭାବ ଯୋଗୁ ଏହି କର୍ମଚାରୀ ୮ ମାସ ହେଲା ବିନା ଦରମାରେ ପରିବାର ପ୍ରତିପୋଷଣ କରୁଛନ୍ତି। ଗତ ୬ ମାସରୁ ଅଧିକ ସମୟ ହେଲା ମନରେଗା ଯୋଜନାରେ ରାୟଗଡ଼ା ବ୍ଲକକୁ ଟଙ୍କାଟିଏ ଅନୁଦାନ ଆସିନଥିବା ଜଣା ପଡିଛି। ଯେଉଁଥି ପାଇଁ ଶ୍ରମିକଙ୍କ ମଜୁରି ବକେୟାଠୁ ଆରମ୍ଭ କରି ‌ମ୍ୟାଟେରିଆଲସ୍ ପେମେଣ୍ଟ ମଧ୍ୟ ହୋଇପାରିନି। ରାୟଗଡ଼ା ବ୍ଲକ୍ ଭଳି ଜିଲ୍ଲାର ଅଧା ବ୍ଲକରେ ଜିଆରଏସଙ୍କ ଅବସ୍ଥା ସମାନ୍। କିନ୍ତୁ କିଛି ବ୍ଲକରେ ବିଡ଼ିଓଙ୍କ ସହୃଦୟତା କାରଣରୁ ବ୍ଲକ୍ ନିଜସ୍ବ ପାଣ୍ଠିରୁ ଜିଆରଏସଙ୍କ ଦରମା ପ୍ରଦାନ କରାଯାଇଛି।

ରାୟଗଡ଼ା ବ୍ଲକରେ ବିଭାଗୀୟ ଅଧିକାରୀଙ୍କ କଠୋରତା କାରଣରୁ ଜିଆରଏସ୍ ଦରମା ପାଇପାରିନାହାଁନ୍ତି। ୨ ମାସ ତଳେ ଏନଆରଇଜିଏସ୍ ଯୋଜନ‌ାରେ ପଡି ରହିଥିବା ବହୁ ପୁରୁଣା ୧୯ ଲକ୍ଷ ଟଙ୍କାର ପାଣ୍ଠିକୁ ରାଜ୍ୟ ସରକାରଙ୍କୁ ଫେରାଇ ଦେଇଥିଲେ ବ୍ଲକ୍ କର୍ତ୍ତୃପକ୍ଷ। ଦୀର୍ଘଦିନ ଧରି ପଡି ରହିଥିବା ଏହି ଟଙ୍କା ଏପିଓ, ସିପି, ଜିଆରଏସଙ୍କ ଦରମା ବାବଦରେ ଖର୍ଚ୍ଚ ହୋଇପାରନ୍ତା। କିନ୍ତୁ ବ୍ଲକ୍ କର୍ତ୍ତୃପକ୍ଷ ତାହା ନ କରି ରାଜ୍ୟ ସରକାରଙ୍କୁ ଫେରାଇ ଦେଇଛନ୍ତି। ଏ ସମ୍ପର୍କରେ ରାୟଗଡ଼ା ବିଡ଼ିଓ ଲକ୍ଷ୍ମୀନାରାୟଣ ସାବତ ପ୍ରତିକ୍ରିୟା ରଖି କହିଛନ୍ତି, ସରକାରଙ୍କ ସ୍ପଷ୍ଟ ନିର୍ଦେଶ ଥିଲା ଅନୁଦାନ ଫେରାଇବାକୁ। ଅନୁଦାନ ଫେରିଯିବା ପରେ ଆକାଉଣ୍ଟ୍ ଶୂନ୍ ହୋଇ ପଡିଥିବାରୁ ମନରେଗା ଏପିଓ, ଜିଆରଏସ୍, ସିପିଙ୍କ ଦରମା ହୋଇପାରିନି।

ସମ୍ବନ୍ଧିତ ଖବର