ପୁରୀରେ ଜିଏସ୍‌ଟି ଠକେଇ, ଷ୍ଟେସନରେ ତମ୍ବା ତାର ଚୋରାଚାଲାଣ

୨୧ ଲକ୍ଷ ଟଙ୍କାର ତମ୍ବା ତାର, ଗାଡ଼ି ଜବତ: ଜଣେ ଗିରଫ
ପୁରୀ : ଜିଏସ୍‌ଟି ଠକେଇ କରି ପୁରୀରୁ ଲକ୍ଷାଧିକ ଟଙ୍କାର ଚୋରା ତମ୍ବା ତାରକୁ ଚୋରାଚାଲାଣ କରାଯାଉଥିବା ବେଳେ ପୁରୀ ରେଳଷ୍ଟେସନରେ ଧରାପଡ଼ିଛି। ଆର୍‌ପିଏଫ୍‌ ପୁଲିସ ଏବଂ ଜିଆରପି ଥାନା ପୁଲିସ ମିଳିତ ଚଢ଼ଉ କରି ପ୍ରାୟ ୨୧
ଲକ୍ଷ ଟଙ୍କାର ୪୯ ବସ୍ତା ତମ୍ବା ତାରକୁ ଜବତ କରିଛି। ସେହିପରି ଏହି ତମ୍ବା ତାରକୁ ଚୋରା ଚାଲାଣ କରିବା ଅଭିଯୋଗରେ ପୁଲିସ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ନବକଳେବର ରୋଡ୍‌ରେ ରହୁଥିବା ସତ୍ୟବାଦୀ ଥାନା ଅନ୍ତର୍ଗତ କଳାପାହାଡ଼ ନିବାସୀ
ସଦାଶିବ ବେହେରା(୪୧)କୁ ଗିରଫ କରିଛି। ଏ ସଂକ୍ରାନ୍ତରେ ୪୭/୨୧ ନମ୍ବରରେ ଏକ ମାମଲା ରୁଜୁ କରି ପୁଲିସ ଆଜି ସଦାଶିବକୁ ଗିରଫ ପରେ କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଭୁବନେଶ୍ବର ବାଳକାଟି ଅଞ୍ଚଳର ଜଣେ
ବ୍ୟବସାୟୀ ଦୀର୍ଘ ଦିନ ଧରି ତମ୍ବା ତାରକୁ ଦିଲ୍ଲୀକୁ ଚୋରାଚାଲାଣ କରୁଥିଲା। ସେହିପରି ସେ ଗତ କାଲି ପ୍ରାୟ ୪୯ଟି ଅଖା ବସ୍ତାରେ ତମ୍ବା ତାର ପ୍ୟାକିଂ କରି ପୁରୀ ରେଳଷ୍ଟେସନକୁ ଓଡି-୧୩-କ୍ୟୁ-୪୧୪୧ ନମ୍ବର ବିଶିଷ୍ଟ ଟାଟା ଗାଡ଼ିରେ ବୋଝେଇ କରି ଆଣିଥିଲା। ଏଠାରେ ସେ ଏକ ଜାଲ୍‌ କାଗଜପତ୍ର କରି ଏହି ୪୯ଟି ବସ୍ତାକୁ ପାର୍ଶଲ ଅଫିସରେ ରଖିଥିଲା। ଗତ କାଲି ଏହି ତାର ବସ୍ତାକୁ ସେ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ୍‌ ଯୋଗେ ଦିଲ୍ଲୀକୁ ଚୋରାଚାଲାଣ କରିବା ପାଇଁ ଯୋଜନା କରିଥିଲା।
ମାତ୍ର ଏହି ଖବର ପାଇ ଜିଆର୍‌ପି ଥାନା ପୁଲିସ ଏବଂ ଆର୍‌ପିଏଫ୍‌ ଥାନା ପୁଲିସ ମିଳିତ ଭାବେ ସେଠାରେ ଚଢ଼ଉ କରି ଏହି ଜିନିଷର କାଗଜପତ୍ର ଯାଞ୍ଚ ପାଇଁ ମାଗିଥିଲେ। ମାତ୍ର ଏହାର କାଗଜପତ୍ର ସଦାଶିବ ଦେଖାଇପାରିନଥିଲା। ଏହି ତମ୍ବା ତାରର ଜିଏସ୍‌ଟି ବିଲ୍‌ ହୋଇନଥିବା ବେଳେ ୱେବିଲ୍‌ ମଧ୍ୟ ସେ ଦେଇ ପାରିନଥିଲା। ତେଣୁ ଏନେଇ ଜିଏସ୍‌ଟି ଅଫିସ କର୍ତ୍ତୃପକ୍ଷ ଆକଳନ କରି ଜଣାଇଥିଲେ ଯେ ସମ୍ପୃକ୍ତ ବ୍ୟବସାୟୀ ପ୍ରାୟ ୪ ଲକ୍ଷ ଟଙ୍କା ଜିଏସ୍‌ଟି ବାବଦକୁ ଠକେଇ କରୁଥିଲେ। ତେଣୁ
ଏନେଇ ଜିଆରପି ଥାନା ଅଧିକାରୀ କରନ ମାରାଣ୍ଡିଙ୍କ ଅଭିଯୋଗକ୍ରମେ ୪୭/୨୧ ନମ୍ବରରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ପୁଲିସ ସଦାଶିବକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ତେବେ ଏହି ମାମଲାର ପ୍ରକୃତ
ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ରହିଛି। ତେଣୁ ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ ଶିଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର