ଗିରଫ ହେଲେ ଜିଏସ୍‌ଟି ଅଧିକାରୀ : ୧.୨୮ କୋଟି ଟଙ୍କାର ସମ୍ପତ୍ତି ଠାବ

ରାଉରକେଲା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଭିଜିଲାନ୍ସ ଟିମ୍ ରାଉରକେଲା ସହକାରୀ ବାଣିଜ୍ୟ କର ତଥା ଜିଏସଟି ଅଧିକାରୀ ଅଲେଖ ମହାନନ୍ଦଙ୍କୁ ଆଜି ଗିରଫ କରିଛନ୍ତି। ପରେ ତାଙ୍କୁ ସମ୍ବଲପୁର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ଭିଜିଲାନ୍ସ ଟିମ୍ ମହାନନ୍ଦଙ୍କ ମୋଟ ୧ କୋଟି ୨୮ ଲକ୍ଷ ୬୯ ହଜାର ଟଙ୍କାର ସମ୍ପତ୍ତି ଠାବ କରିଛି। ସୁନ୍ଦରଗଡ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଦ୍ବାରା ଜାରି ୱାରେଣ୍ଟ ବଳରେ ଗତକାଲି ରାଉରକେଲା ଭିଜିଲାନ୍ସ ଟିମ୍ ମହାନନ୍ଦଙ୍କ ଘରେ ଓ ଅଫିସ୍‌ରେ ଚଢ଼ଉ କରିଥିଲା। ରାଉରକେବଲା ଭିଜିଲାନ୍ସ ଏସ୍‌ପି ସୁବାସ ଚନ୍ଦ୍ର ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଡିଏସ୍‌ପି ବୀରେନ୍ଦ୍ର ନାୟକଙ୍କ ନେତୃତ୍ବରେ ଗଠିତ ୪ଟି ସ୍ବତନ୍ତ୍ର ଟିମ୍ ଦ୍ବାରା ଏକକାଳୀନ ଶ୍ରୀ ମହାନନ୍ଦଙ୍କ ଛେଣ୍ଡ କଲୋନି ଏଲ୍-୧୧୯ (ଫେଜ୍ -୧) ସ୍ଥିତ ବାସଗୃହ, ସୁନ୍ଦରଗଡ ମଙ୍ଗସପୁରରେ ଥିବା ପୈତୃକ ଘର, ଗୋପାଳପୁର ଥାନା ଅନ୍ତର୍ଗତ ଚକରପୁର ସ୍ଥିତ ଶ୍ବଶୁର ଘର ଏବଂ ଉଦିତନଗର ଜିଏସ୍‌ଟି ଅଫିସରେ ଚଢ଼ଉ କରାଯାଇଥିଲା।

ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲା। ଭିଜିଲାନ୍ସ ଟିମ୍ର ଅଧିକାରୀମାନେ ଉଦିତନଗରସ୍ଥିତ ଅଫିସରୁ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲେ। ଛେଣ୍ଡକଲୋନିସ୍ଥିତ ୩ ମହଲା ଘରୁ ଆଇ -୨୦ କାର୍, ସ୍କୁଟି, ମୋଟରବାଇକ୍, ୫ ଲକ୍ଷ ୯୫ ହଜାର ଟଙ୍କାର ଏଲ୍‌ଆଇସି ଜମା, ୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ୩୪୬ ଗ୍ରାମ ସୁନା ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଠାବ ହୋଇଥିଲା। ଏଥିସହ ସୁ୍ନ୍ଦରଗଡରେ ୩ ଡିସିମଲ୍ ପ୍ଲଟ ଓ ହେମଗିରି ବ୍ଲକ ଅନ୍ତର୍ଗତ ବଲବସ୍‌ପୁରରେ ୩୫ ଡିସିମିଲ୍ ପ୍ଲଟ ଠାବ କରିଥିଲେ।

ସମ୍ବନ୍ଧିତ ଖବର