ଜିଏସ୍‌ଟି ପ୍ରତ୍ୟାହାର ଓ ବୋନସ୍‌ ଦାବି

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆନ୍ଦୋଳନ

ପାଟଣାଗଡ଼: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆହ୍ବାନକ୍ରମେ ବୁଧବାର ପାଟଣାଗଡ଼ ଡିଭିଜନ ପକ୍ଷରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରାଯାଇଥିଲା। ସ୍ଥାନୀୟ ଉପଜିଲ୍ଲାପାଳ ଓ ଡିଏଫ୍‌ଓ ଅଫିସ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୪ ଦଫା ସମ୍ବଳିତ ଦାବିପତ୍ର ଦେଇଥିଲେ।

ସ୍ଥାନୀୟ ମାରୱାଡ଼ି ଧର୍ମଶାଳାଠାରୁ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀମାନେ ଶୋଭାଯାତ୍ରାରେ ବାହାରି ପ୍ରଥମେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚିଥିଲେ। ଉପଜିଲ୍ଲାପାଳ ନଥିବାରୁ ସେଠାରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ଅଫିସ ଫାଟକକୁ ଠେଲାପେଲା କରିଥିଲେ। ପରେ ତହସିଲଦାର ଲକ୍ଷ୍ମଣ ମାଝୀ ପହଞ୍ଚି ସେମାନଙ୍କୁ ବୁଝାସୁଝା କରି ଦାବିପତ୍ର ଗ୍ରହଣ କରିଥିଲେ। ସେଠାରୁ ଆନ୍ଦୋଳନକାରୀମାନେ କେନ୍ଦୁପତ୍ର ଡିଭିଜନାଲ ଅଫିସରେ ପହଞ୍ଚିଥିଲେ। ସେଠାରେ ଡିଭିଜନନ ସମ୍ପାଦକ ଶିବାନ୍ଦ ପରିଚ୍ଛାଙ୍କ ‌ସଭାପତିତ୍ବରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ସଞ୍ଜିତ ମହାନ୍ତି ଯୋଗଦେଇ ଉଦ୍‌ବ‌ୋଧନ ଦେଇଥିଲେ। ସେଠାରେ ଡିଏଫ୍‌ଓଙ୍କୁ ଦାବିପତ୍ର ଦିଆଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ କର୍ମଚାରୀଙ୍କୁ ବୋନସ ପ୍ରଦାନ, କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର, ତୋଳାଳି ଓ କର୍ମଚାରୀଙ୍କ ଝିଅ ବାହାଘର ପାଇଁ ୫୦ ହଜାର ଟଙ୍କା ସହାୟତା, ଋତୁକାଳୀନ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି, ଅବସରକଳୀନ ବୟସ ୬୦ରୁ ୬୨କୁ ବୃଦ୍ଧି ଆଦି ରହିଛି। ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ମକାରୁ ପଣ୍ଡା, ମନୋଜ ସାହୁ, ଦଲ ଛତର, ନୀଳମଣି ବୁଡ଼େକ, ଧ୍ରୁବ ଚାନ୍ଦ, ଚିତ୍ତରଞ୍ଜନ ବେହେରା, ନିତ୍ୟା ପଟେଲ, କାଶୀ ସାହୁ, ଶିବ ପଟ୍ଟନାୟକ, ଲଳିତ ପଧାନ, ଜଗଦୀଶ ବନଛୋର, ରାଜାରାମ ଦଣ୍ଡସେନା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର