୪ ଯବାନଙ୍କୁ ଗୁଳିମାରିବା ଘଟଣା: ମୃତ ଯବାନଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ମାଲକାନଗିରି: ଗତକାଲି ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଘଟିଥିବା ଅଭାବନୀୟ ଘଟଣାକ୍ରମରେ ୪ ଜଣ ଯବାନ ସାଥୀ ଯବାନଙ୍କ ଗୁଳିରେ ମୃତ୍ୟୁବରଣ କରିଥିଲେ। ଆଜି ସମସ୍ତ ଯବାନଙ୍କ ମରଶରୀରକୁ ମାରିଆଗୁଡା ସିଆରପିଏଫ କ୍ୟାମ୍ପରେ ରଖାଯିବା ସହ ଗାର୍ଡ ଅଫ ଅନର ଦିଆଯାଇଛି। ସମସ୍ତ ମୃତ ଯବାନଙ୍କ ମୃତ ଦେହକୁ ନିଜନିଜ ପୈତୃକ ଘରକୁ ପଠାଇ ଦିଆଯାଇଛି। ସିଆରପିଏଫ ତରଫରୁ ଆଗକୁ ଯେପରି ଯବାନ ସୁରକ୍ଷିତ ରହିବେ ଏବଂ ମାନସିକ ସ୍ତରରେ ଠିକ ରହିବେ ସେନେଇ ‘ଚୌପାଲ’ ଯୋଜନା ଆରମ୍ଭ କରାଯିବ ବୋଲି ଜଣାପଡିଛି। ଏହାଦ୍ବାରା ଯବାନ ମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ସହ ବିଭିନ୍ନ ସ୍ଥାନରେ ବୈଠକ କରାଯାଇ ଉତ୍ସାହିତ କରାଯିବ।

ଏଥିସହ ଉଚ୍ଚପଦାଧିକାରୀ ମାନେ ନିୟମିତ ସେମାନଙ୍କୁ ସାକ୍ଷାତ କରି ସେମାନଙ୍କର ସମସ୍ୟା ସଂପର୍କରେ ପଚାରି ବୁଝିବେ। ଏଥିସହ ବର୍ଷକୁ ୧୦୦ ଦିନର ଛୁଟି ମଧ୍ୟ ଦେବାକୁ ନେଇ ଯୋଜନା ଚାଲିଥିବା ଜଣାପଡିଛି। ଗତକାଲି ରିତେଶ ରଂଜନ ମାନସିକ ଭାରସାମ୍ୟ ହରାଇ ଏକେ-୪୭ ବନ୍ଧୁକରେ ଅତର୍କିତ ଗୁଳି ଚଳାଇଥିଲେ। ତାଙ୍କୁ ବନ୍ଧୁକ ସହ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଶକ୍ତ ଏବଂ ଅହରହ କାମ ଯୋଗୁଁ ଯବାନ ମାନସିକ ଅଶାନ୍ତିରେ ରହୁଛନ୍ତି। ତେଣୁ ସେମାନଙ୍କୁ ନିଜ ନିଜ ଅଂଚଳରେ କିପରି ତୟନାତ କରାଯିବ ସନେଇ ମଧ୍ୟ ଚିନ୍ତା କରାଯାଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର