ବିନା ଫାଇଲରେ ପୋଖରୀରେ ଗାର୍ଡୱାଲ କାମ

ସୁନ୍ଦରଗଡ଼: ମନରେଗାର ପୁରୁଣା ପାଚେରିକୁ ଦେଖାଇ ଓମବାଡସିର ବିଲ୍ କରି କନିଷ୍ଠଯନ୍ତ୍ରୀ ୧.୨୦ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗକୁ ନେଇ ଚର୍ଚ୍ଚାରେ ଥିବା ହେମଗିର ବ୍ଲକ୍ ସୁମୁରା ପଞ୍ଚାୟତ ନାମରେ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଅଭିଯୋଗ। ଗତ ଜୁନ ପ୍ରଥମ ସପ୍ତାହରୁ ବିନା ଫାଇଲରେ ସାରଙ୍ଗିଝରିଆ ଗାଁର ଏକ ପୋଖରୀ ଗାର୍ଡୱାଲ କାମ ଚାଲିଛି।

ପଞ୍ଚାୟତର ଅନୁମୋଦିତ ବାର୍ଷିକ ଉନ୍ନୟନ ପ୍ରସ୍ତାବ (ଏକ୍ସନପ୍ଲାନ୍)ରେ ମଧ୍ୟ  ନଥିବା ଏହି ପ୍ରକଳ୍ପ କେଉଁ ଅନୁଦାନ ବା କେଉଁ ଯୋଜନାରେ, କେତେ ଅଟକଳରେ କରାଯାଉଛି, ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ଏପରିକି ସରପଞ୍ଚ ଚନ୍ଦ୍ରକାନ୍ତି ନାଏକ ମଧ୍ୟ ଏ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଉକ୍ତ କାମ ପାଇଁ ପଞ୍ଚାୟତରେ କୌଣସି ଫାଇଲ ଖୋଲା ଯାଇ ନଥିବା ସେ କହିଛନ୍ତି। ଯାହା ସମସ୍ତଙ୍କୁ ଚକିତ କରିଛି। ତେବେ  ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ପରାମର୍ଶକ୍ରମେ ଗାଁର ଜଣେ ଠିକାଦାର କାମ କରୁଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟପରିଆ ଓ ସୁମରା ପଞ୍ଚାୟତ ଦାୟିତ୍ବରେ ଥିଲେ। ଏବେ ତାଙ୍କୁ ସୁମରାରୁ ହଟାଇ କେବଳ ଟପରିଆରେ ଅବସ୍ଥାପିତ କରାଯାଇଛି। ସେ ଏଠାରେ ଦାୟିତ୍ବରେ ଥିବା ବେଳେ ଏ ନିର୍ମାେଣ ଆରମ୍ଭ ହୋଇଥିବା ପ୍ରକାଶ ପାଇଛି।

ତେବେ ଉନ୍ନୟନ ମାର୍ଗଦର୍ଶିକା ଅନୁସାରେ, କୌଣସି ଉନ୍ନୟନ ପ୍ରକଳ୍ପ  କାର୍ଯ୍ୟ ଆରମ୍ଭ ପୂର୍ବରୁ ତାହା ପଞ୍ଚାୟତର ବାର୍ଷିକ ଉନ୍ନୟନ ପ୍ରସ୍ତାବ (ଏକ୍ସନପ୍ଲାନ୍)ରେ ଅନୁମୋଦିତ ହୋଇଥିବା ଓ ବୈଷୟିକ ଅଟକଳ ପ୍ରସ୍ତୁତ ସହ ଫାଇଲ ଖୋଲଯାଇଥିବା ଆବଶ୍ୟକ। ନହେଲେ ତାକୁ ବେଆଇନ ଓ ସରକାରୀ ନିୟମର ଉଲ୍ଲଂଘନ ଦର୍ଶାଇ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ରହିଛି। ଏ ସମ୍ପର୍କରେ ହେମଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର