ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଢ଼ିଆରୀ ବିଦ୍ୟାପୀଠ ଅଫିସ୍ ଗୃହରୁ ପ୍ଲାଷ୍ଟର ଖସି ଜଣେ ଶିକ୍ଷୟତ୍ରୀ ଓ ସିଆରସିସିଙ୍କ ମୁଣ୍ଡ ଫାଟିବା ଘଟଣାକୁ ନେଇ ଆଜି ଅଭିଭାବକଙ୍କ ମହଲରେ ଆଲୋଡନ ସୃଷ୍ଟି ହୋଇଛି | ଆଜି ସ୍ଥାନୀୟ ଅଭିଭାବକ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦୀର୍ଘ ସମୟ ଧରି ଧାରଣାରେ ବସିବା ଦେଖିବାକୁ ମିଳିଥିଲା | ୫-ଟି ବିଦ୍ୟାଳୟ ରୁପାନ୍ତରିତ କାର୍ଯ୍ୟ ନିମ୍ନମାନର ହୋଇଥିବାବେଳେ ମରାମତି ହୋଇଥିବା ସ୍କୁଲ କୋଠରୀ ସୁରକ୍ଷିତ ନାହିଁ ବୋଲି ଅଭିଭାବକ କହିଛନ୍ତି | ସେହିପରି ଏହି କାର୍ଯ୍ୟ କରିଥିବା ଠିକାଦାର, କନିଷ୍ଠ ଯନ୍ତ୍ରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ଦାବି କରିଛନ୍ତି | ସୂଚନାଯୋଗ୍ୟ ଯେ ତାଳଦା ପଞ୍ଚାୟତ ଏଡ଼ବାଂଶ ପଢ଼ିଆରୀ ବିଦ୍ୟାପୀଠରେ ଗତକାଲି କ୍ଲଷ୍ଟର ସ୍ତରୀୟ ଏକ ମିଟିଂ ଥିଲାବେଳେ ମଧ୍ୟାହ୍ନ ଭୋଜନ ପରେ ସିଆରସିସି ତ୍ରିଲୋଚନ ବେହେରା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡାକିଥିଲେ | ଶ୍ରୀ ବେହେରା ଓ ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ଅଫିସରେ ବସିଥିଲେ |

Advertisment

ଏହି ସମୟରେ ଅଫିସ୍ ଘର ସିଲିଂରୁ ହଠାତ୍ ପ୍ଲାଷ୍ଟର ଖସି ସିଆରସିସି ଓ ଶିକ୍ଷୟିତ୍ରୀଙ୍କର ମୁଣ୍ଡ ଫାଟି ଗୁରୁତର ହେବା ପରେ ସେମାନେ ଏବେ ଚିକିତ୍ସିତ ହେଉଛନ୍ତି | ଅଭିଭାବକମାନେ କହିଛନ୍ତି ଯେ ସ୍କୁଲରେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ଘଟଣା ଘଟିବା ପାଇଁ ଦାୟୀ କିଏ ? ଯଦି କାହାର କିଛି ହୋଇଯାଇଥାନ୍ତା ସେଥିପାଇଁ ଦାୟୀ କିଏ ରହିଥାନ୍ତା ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି | ସବୁଠାରୁ ବଡ଼କଥା ହେଲା କାମ ନସରି ଭରଚୁଆଲରେ ଏହାକୁ ତରବରିଆ ଭାବେ ଉଦଘାଟନ କରାଯାଇଥିବାର ଖବର ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇ ବେଶ ଚର୍ଚ୍ଚାରେ ରହିଥିଲା | ତଥାପି ନିମ୍ନମାନର କାର୍ଯ୍ୟକୁ ନେଇ କେହି ଶୁଣିନଥିଲେ ବରଂ ଯେନତେନ ଭାବେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଅଫିସର ଓ ଠିକାଦାର ବିଲ୍ ପାଇଯାଇଥିଲେ | କିନ୍ତୁ ଉଦଘାଟନର ପ୍ରାୟ ୬ ମାସ ପରେ ଅଫିସ୍ କାର୍ଯ୍ୟାଳୟରୁ ପ୍ଲାଷ୍ଟର ଖସିବା ଘଟଣାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଆଜି ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିରହିଛନ୍ତି |