ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ   

 ଲକ୍ଷ୍ମୀପ୍ରସାଦ : ବୌଦ୍ଧ ବ୍ଲକ ବଘିଆପଡା ଆଞ୍ଚଳିକ ସାଧନା କେନ୍ଦ୍ର ଆମଠାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ସୁମିତ୍ରା ମେହେରଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ଦାବି କରି ସ୍କୁଲ ଗେଟରେ ତାଲା ପକାଇ ଅଭିଭାବକମାନେ ଧାରଣାରେ ବସିଛନ୍ତି ।

ସୂଚନା ଅନୁଯାୟୀ ଆମଠାପଡା ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁମିତ୍ରା ମେହେର ଦୀର୍ଘ ବର୍ଷ ହେବ ରହି ଆସିଛନ୍ତି । ଯାହା ଫଳରେ ବିଭିନ୍ନ ବିଶୃଙ୍ଖଳା କରୁଥିବା ଅଭିଭାବକ ମାନେ ଅଭିଯୋଗ କରୁଛନ୍ତି । ଏନେଇ ବାରମ୍ବାର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନହେବାରୁ ସ୍କୁଲ ଗେଟରେ ତାଲା ପକାଇ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି ଦାବିରେ ଧାରଣାରେ ବସିଛନ୍ତି । ଗତ ଫେବୃୟାରୀ ମାସ ୨୬ ତାରିଖରେ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ଦାବିକରି ବିଦ୍ୟାଳୟ ଗେଟ ବନ୍ଦ କରି କୌଣସି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ପରିସରକୁ ଛାଡି ନଥିଲେ ।

ଖବର ପାଇ ବଘିଆପଡା ଆଞ୍ଚଳିକ ସାଧନା କେନ୍ଦ୍ରର ସଂଯୋଜକ ବିଜୟ କୁମାର ଭୋଇ ଲୋକଙ୍କ ସହ ଆଲୋଚନା କରି ବିଇଓଙ୍କୁ ଜଣାଇ ୧୦ ଦିନ ଭିତରେ ପଦକ୍ଷେପ ନେବେ ବୋଲି କହିଥିଲେ । କିନ୍ତୁ ୧୦ ଦିନ ବିତିଗଲା ପରେ ବି କିଛି ପଦକ୍ଷେପ ନ ନେବାରୁ ମଙ୍ଗଳବାର ଅଭିଭାବକ ମାନେ ଗେଟରେ ତାଲା ମାରି ଧାରଣାରେ ବସିଛନ୍ତି । ଦୀର୍ଘ ଦିନ ହେବ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସ୍କୁଲର ଅବ୍ୟବସ୍ଥା ଦେଖା ଯାଇଛି । ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ନ ହେଲାଯାଏଁ ଧାରଣାରେ ବସିବେ ବୋଲି ଅଭିଭାବକ ଦାବି କରିଛନ୍ତି । ମଙ୍ଗଳବାର ବୌଦ୍ଧ ଏବିଇଓ କମଳାକାନ୍ତ ଦଳ ବେହେରା ଖବର ପାଇ ବିଦ୍ୟାଳୟ ଠାରେ ପହଞ୍ଚି ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲେ । ଏଥିରେ ଶିକ୍ଷା ବିଭାଗ ଅଭିଭାବକ ମାନଙ୍କୁ ଲିଖିତ ପ୍ରତିଶ୍ରୁତି ନଦେଲା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର