ଚିଟଫଣ୍ଡ ମାମଲା: ଭଞ୍ଜନଗରରେ ଗୁଜରାଟ ପୁଲିସର ୯ ଜଣିଆ ଟିମ୍ 

ଫେରାର୍ ଅଭିଯୁକ୍ତଙ୍କୁ ଧରିବାକୁ ଗୁଜୁରାଟ ପୁଲିସ୍ର ସ୍ବତନ୍ତ୍ର ଅଭିଯାନ,ବିଭିନ୍ନ ସ୍ଥାନରେ ଚଢ଼ଉ

ଭଞ୍ଜନଗର: ଗୁଜୁରାଟ ପୁଲିସର ବିଭିନ୍ନ ଥାନାରେ ଥିବା ମାମଲାରେ ଫେରାର୍ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବର୍ତ୍ତମାନ ସ୍ବତନ୍ତ୍ର ଅଭିଯାନ ଚାଲିଛି । ଏହି ପରିପ୍ରେକ୍ଷିରେ ଏକ ଟିମ୍ ସୁରତ ଠାରେ ବିଭିନ୍ନ ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଗସ୍ତରେ ରହିଥିବା ଜଣାପଡିଛି। ଚିଟ୍ଫଣ୍ଡ ଠକେଇ ମାମଲାରେ ଆଜି ଗୁଜୁରାଟର ସୁରତ ପୁଲିସର ଏକ ୯ ଜଣିଆ ଟିମ୍ ଭଞ୍ଜନଗରକୁ ଆସି ବିଭିନ୍ନ ସ୍ଥାନରେ ଚଢଉ କରିଛି। ସୁରତ ଇଲାକାର ନୱାସରୀ ଟାଉନ୍ ଥାନାରେ ହୋଇଥିବା କିଛି ଚିଟଫଣ୍ଡ ଠକେଇ ମାମଲାର ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଏକ ପୁଲିସ୍ ଟିମ୍ ଭଞ୍ଜନଗର ଆସିଥିବେଯ ପ୍ରକାଶ କରିଛନ୍ତି। ବିଶେଷ କରି ମାଇକ୍ରୋ ଫାଇନାନ୍ସ କମ୍ପାନି ମାଲିକ ଦୁର୍ଗା ମିଶ୍ର ଓ ତାଙ୍କର ଅନ୍ୟ ସହଯୋଗୀଙ୍କୁ ଖୋଜିବାକୁ ଏହି ଟିମ୍ ଭଞ୍ଜନଗର ଅସିଥିବା ଜଣାପଡିଛି। ଟିମ୍ ଦୁଇ ଭାଗରେ ବିଭିନ୍ନ ଦିଗପ୍ରତି ଯାଞ୍ଚ୍ କରିଥିବା ସହ ଭେଜିପୁଟ ନୁଆଁସାହି ସ୍ଥିତ ବାସଭବନରେ ଯାଞ୍ଚ ଓ ତନଘନା କରି ଫେରିଛନ୍ତି।

ଆଜି ଏହି ଟିମ୍ ସକାଳୁ ଭଞ୍ଜନଗର ଆସିଥିବା ବେଳେ ସାଧା ପୋଷାକରେ ବିଭିନ୍ନ ସ୍ଥାନରେ ଚିଟଫଣ୍ଡ ସଂସ୍ଥା ସହ ଜଡିତ କିଛି ବ୍ୟକ୍ତିଙ୍କୁ ପଚରାଉଚୁରା କରିଥିଲା। ପୁଲିସ୍ ଏସ୍ଆଇ ମନୋଜ ଚୌହାନଙ୍କ ନେତୃତ୍ବରେ ଏକ ପୁଲିସ୍ ଟିମ୍ ଆଜି ଦୁର୍ଗା ମିଶ୍ରଙ୍କ ଭେଜିପୁଟ୍ ନୂଆସାହି ଠାରେ ଥିବା ବାସଭବନରେ ଯାଞ୍ଚ କରିଥିଲେ। ସଂପୃକ୍ତ ଅଧିକାରୀ ମାନେ ସେହି ବାସଭବନରେ ରହୁଥିବା ଭଡାଦାର ମାନଙ୍କ ସହ କଥାବାର୍ତ୍ତା କରିବା ସହ ଘର ଦାୟିତ୍ବରେ ଥିବା କର୍ମଚାରୀ ମାନଙ୍କୁ ପଚରା ଉଚୁରା କରିଥିଲେ। ସଂପୃକ୍ତ କର୍ମଚାରୀ ମାନେକ ୨୦୧୫ ମସିହା ପରଠାରୁ ମାଲିକ ଆସିନଥିବା ପୁଲିସ୍ ଟିମ୍ ଆଗରେ କହିଥିବା ବିଶ୍ବସ୍ତ ସୁତ୍ରରୁ ଜଣାପଡିଛି। ଅନ୍ୟଏକ ଟିମ୍ ବେଲଗୁଣ୍ଠା ଥାନା ଅଧୀନ ନୂଆଗାଁ କୁରୁମ ପଢାଳ ଗ୍ରାମରେ ଥିବା ପୌତୃକ ବାସଭବନକୁ ଯାଇ ପଚରା ଉଚୁରା କରିଥିଲେ।

ସୁରତ ଟାଉନ୍ ଥାନା ଇଲାକାରେ ମାଇକ୍ରୋ ଫାଇନାନ୍ସ୍ କମ୍ପାନି ପକ୍ଷରୁ ଲିଜିଂ ଏବଂ ଫଣ୍ଡିଂ ନାମରେ ଏକ କମ୍ପାନି ଖୋଲି ଲୋକ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜମା ରଖିବା ସହ ଆଉ ଫେରସ୍ତ କରାଯାଇନଥିବା ଥାନାରେ କିଛି ବ୍ୟକ୍ତି ଅଭିଯୋୁଗ କରିଥିଲେ। ସେହି ଅଭିଯୋଗ ଆଧାରରେ ଏହି ପୁଲିସ୍ ଟିମ୍ ଠକେଇ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେ୍ଳେ ଏହାର ମାଲିକ ଦୁର୍ଗା ମିଶ୍ରଙ୍କ ସମେତ କାଳୀ ପ୍ରସାଦ ମିଶ୍ର,ଉପେତନ୍ଦ୍ର ନାଥ ମିଶ୍ର,ସଂପୃକ୍ତ କମ୍ପାନିର କିଛି କର୍ମଚାରୀ ମାନଙ୍କୁ ଖୋଜି ଏଠାରେ ପହଞ୍ଚିଥିଲେ। ଭଞ୍ଜନଗର ଠାରେ ତଦନ୍ତ କରିବା ପରେ ଏହି ଟିମ୍ ଭୂବନେଶ୍ବର ଯାଇ ସେଠାରେ ତଦନ୍ତ କରି ଏହି କମ୍ପାନିର ମାଲିକ ଓ କର୍ମଚାରୀ ମାନଙ୍କୁ ଖୋଜି ପଚରା ଉଚୁରା କରିବା ବୋଲି ଟିମ୍ ପ୍ରକାଶ କରିଛନ୍ତି। ଏହି ମାମଲାରେ ୬ ଜଣ ଅଭିଯୁକ୍ତ ରହିଥିବା ଗୁଜୁରାଟ୍ ପୁଲିସ୍ ପକ୍ଷରୁ କୁହାଯାଇଥିବା ବେଳେ ତଦନ୍ତ ନେଇ କୌଣସି ତଥ୍ୟ ଦେବାକୁ ପୁଲିସ୍ ମନା କରି ଦେଇଥିଲେ।

ତେବେ ସାରା ରାଜ୍ୟରେ ଚିଟ୍‌ଫଣ୍ଡ କେଳେଙ୍କାରୀକୁ ନେଇ ହଟ ଚମଟ ସୃଷ୍ଟି ହୋଇଥିବା ବେ ଳେ ଆଜି ପର୍ଯ୍ୟନ୍ତ ଜମାକାରୀ ମାନେ ସେମାନଙ୍କ ଜମା ଟଙ୍କା ଫେରି ପାଇବା ନେଇ ଚାହିଁ ରହିଛନ୍ତି। ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ପୂର୍ବରୁ ଦୁର୍ଗା ମିଶ୍ରଙ୍କୁ ଗିରଫ କରିଥିବା ବେଳେ ବର୍ତ୍ତମାନ ସେ ଜାମିନରେ ବାହାରେ ରହିଛନ୍ତି। ମାଇକ୍ରୋ ଫାଇନାନ୍ସ ସଂସ୍ଥା କେବଳ ଓଡ଼ିଶା ମଧ୍ୟରେ ସୀମିତ ନରହି ରାଜ୍ୟ ବାହାରେ ମଧ୍ୟ ଶତାଧିକ ଶାଖା ମେଲାଇ ଲୋକ ମାନଙ୍କ ଠାରୁ ଟଙ୍କା ଜମା ସଂଗ୍ରହ କରୁଥିଲେ। ଠିକଣା ସମୟରେ ଲୋକ ମାନଙ୍କ ଜମା ରାଶି ଜମାକାରୀ ମାନେ ପୁଲିସ୍ରେ ଅଭିଯୋଗ କରିଥିଲେ। ବିଭିନ୍ନ ରାଜ୍ୟରେ ଏହି କମ୍ପାନି ନାମରେ ମାମଲା ରୁଜୁ ହୋଇଥିବା ବେଳେ ଅନେକ ସମୟରେ ବହୁ ରାଜ୍ୟର ପୁଲିସ୍ ଓ କ୍ରାଇମବ୍ରାଞ୍ଚ୍ ଟିମ୍ ଭଞ୍ଜନଗର ଆସି ତଦନ୍ତ କରି ଫେରିଛନ୍ତି। ଗତ ବର୍ଷ ଛତିଶଗଡ ଏବଂ ମହାରାଷ୍ଟ୍ର କ୍ରାଇମ ବ୍ରାଞ୍ଚ୍ ଟିମ୍ ଆସି ଯାଞ୍ଚ କରିଥିବାି ବେଳେ ଆଜି ଗୁଜୁରାଟ ପୁଲିସ୍‌ର ଚଢଉ ପରେ ଥଣ୍ଡା ପଡିଥିବା ଚିଟ୍‌ଫଣ୍ଡ ମାମଲାର ତଦନ୍ତକୁ ନେଇ ଲୋକ ମାନଙ୍କ ମଧ୍ୟରେ ଉତ୍‌କଣ୍ଠା ବୃଦ୍ଧି ପାଇଛି।

 

ସମ୍ବନ୍ଧିତ ଖବର