ଗୁଲାବ୍ ଆସିଲା ଛୁଇଁ ଦେଇଗଲା, କ୍ଷତି କଲାନି ବାତ୍ୟା: ପ୍ରଭାବରେ ତୁହାକୁ ତୁହା ବର୍ଷା

ଭଞ୍ଜନଗର: ବାତ୍ୟା ଗୁଲାବ୍ ପ୍ରଭାବରେ ତୁହାକୁ ତୁହା ବର୍ଷା ହୋଇଛି। କେଉଁଠି ପ୍ରବଳ ବର୍ଷିଛି ତ ଅନ୍ୟ କେଉଁଠି ଅଳ୍ପ ବର୍ଷା ହୋଇଛି। ଗତ ବିଳମ୍ବିତ ରାତିରେ ପବନ ସହ ପ୍ରବଳ ବର୍ଷା ହୋଇଥିବାବେଳେ ସକାଳ ସମୟରେ ଏହାର ପରିମାଣ କମ୍ ହୋଇଯାଇଥିଲା। ଭଞ୍ଜନଗର ଉପଖଣ୍ଡ ମଧ୍ୟରେ ପବନ ସାଙ୍ଗକୁ ବର୍ଷା ମଧ୍ୟ ହୋଇଛି। ଯେଉଁଭଳି ଭାବରେ କ୍ଷୟକ୍ଷତି ହେବା ନେଇ ଆଶଙ୍କା କରାଯାଉଥିଲ ସେଭଳି କ୍ଷୟକ୍ଷତି ହୋଇନାହିଁ। ‘ଗୁଲାବ୍’ ପାଇଁ ଲୋକେ ଆତଙ୍କିତ ରହିଥିବା ବେଳେ ଭୟରେ କାଲିଠାରୁ ହିଁ ଘରୁ ବାହାରି ନାହାନ୍ତି। ପ୍ରଶାସନ ପକ୍ଷରୁ ସଫଳ ମୁକାବିଲା କରାଯାଇଥିବା ବେଳେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଲୋକେ ଆଶ୍ବସ୍ତି ହୋଇଛନ୍ତି। ଗତକାଲି ସକାଳୁଠାରୁ ଆକାଶରେ କଳା ବାଦଲ ଛାଇଯାଇଥିଲା। ଏହାପରେ କୋହଲା ପାଗ ହୋଇ ଯାଇଥିଲା। ଝିପି ଝିପ ବର୍ଷା ହେଉଥିବା ବେଳେ ଆଶିଂକ ଭାବେ ପବନ ବୋହୁଥିଲା। ହଠାତ ମଧ୍ୟ ରାତ୍ରିରୁ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହାପରେ ବର୍ଷାର ପରିମାଣ ବଢ଼ିବାରେ ଲାଗଥିଲା। ଆଜି ଭୋରରୁ ମଧ୍ୟ ବର୍ଷା ଲାଗି ରହିଥିଲା। ଅଧ ଘଣ୍ଟାଏ ବର୍ଷା ହେବା ପରେ ବନ୍ଦ ହୋଇ ଯାଉଥିଲା ପୁଣି ବର୍ଷା ହେଉଥିଲା। ଭଞ୍ଜନଗରରେ ଦିନ ତମାମ ଏଭଳି ଅବସ୍ଥା ଲାଗି ରହିଥିଲା। ଲୋକଙ୍କ ମନରେ ଭୟ ରହିଥିବା ବେଳେ ସନ୍ଧ୍ୟା ସମୟରେ ତାହା କମିବାର ଦେଖିବାକୁ ମିଳିଥିଲା। ବାତ୍ୟା ଦ୍ବାରା ବର୍ଷା ଓ ପବନ ଲାଗି ରହିଥିଲେ ମଧ୍ୟ ସେହିପରି ଭାବେ କୌଣସି କ୍ଷୟକ୍ଷତି ହୋଇନଥିଲା।

ବାତ୍ୟା ଗୁଲାବ୍ ପୂର୍ବରୁ ପ୍ରଶାସନ, ପୁଲିସ ଓ ଅଗ୍ନିଶମ ବାହିନୀ ସଜାଗ ହୋଇ ରହିଥିଲେ। ଖାଦ୍ୟ ଠାରୁ ଆରମ୍ଭ କରି ଆସ୍କା ଲାଇଟ, ଗଛକଟା କଟର, ଡଙ୍ଗା ଆଦିକୁ ନେଇ ପ୍ରସ୍ତୁତ ହୋଇଥିଲେ। ପବନରେ ବିଦ୍ୟୁତ କାଟ ହେଲେ ବିଦ୍ୟୁତ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସଜାଡିବାରେ ଲାଗିଥିଲେ। ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗର୍ଭବତୀ ମହିଳାଙ୍କୁ ମେଡିକାଲକୁ ସ୍ଥାନାନ୍ତର ମଧ୍ୟ କରାଯାଇଛି। ତେବେ ବର୍ଷାର ପରିମାଣ ମଧ୍ୟ ବଢିଥିବା ଦେଖିବାକୁ ମିଳିଛି। ଜଳସେଚନ ବିଭାଗର ବିଭିନ୍ନ ସ୍ଥାନରେ ଥିବା ଗଜ୍ରେ କରାଯାଇଥିବା ରେକର୍ଡ ଅନୁଯାୟୀ, ଗତକାଲି ଠାରୁ ଆଜି ସଂନ୍ଧ୍ୟା ୬ ଟା ସୁଦ୍ଧା ଭଞ୍ଜନଗର ଠାରେ ୨୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଶୋରିଷମୂଳି ଠାରେ ୨୮ ମିମି. ମାଧବରିଡା ଠାରେ ୪୮ ମିମି. ଖଣ୍ଡରାବଳି ଠାରେ ୨୯ ମିମି.,ଜାନିବିଲି ଠାରେ ୭୦ ମିମି.,ସୋରଡ଼ା ୫୩ ମିମି., ଆସିକା ୧୦୦ ମିମି.,ଡହ ଡ୍ୟାମ୍ ଠାରେ ୩୬ ମିମି, ବାଘୁଆ ଠାରେ ୨୮ ମିମି. ବର୍ଷା ରେର୍କଡ କରାଯାଇଥିଲା। ‘ଗୁଲାବ’ ଆସିବା ପୂର୍ବରୁ ଗତକାଲି ଠାରୁ ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଖାଦ୍ୟ ପ୍ରଦାନ କରାଯାଇଛି।

ସକାଳୁ ଚୂଡା ଦିଆ ଯାଇଥିବା ବେଳେ ଦିନ ସମୟରେ ସେମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ବର୍ଷାର ଓ ପବନର ପ୍ରକୋପ କମିବା ପରେ ଆଶ୍ରୟସ୍ଥଳୀରୁ ନିଜ ଘରକୁ ଫେରିବା ନେଇ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପ୍ରକାଶ କରିଛନ୍ତି। ବର୍ଷା ଓ ପବନ ହୋଇଥିଲେ ସୁଦ୍ଧା ଭଞ୍ଜନଗର ଉପଖଣ୍ଡରେ କୌଣସି ଅପ୍ରତିକର ପରିସ୍ଥିତି ହୋଇନଥିବା ସୂଚନା ରହିଥିବା ନେଇ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ପ୍ରକାଶ କରିଛନ୍ତି। ଏଥିପୂର୍ବରୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ହୋଇଥିବା ମଧ୍ୟ କହିଥିଲେ।

ସମ୍ବନ୍ଧିତ ଖବର