ବାତ୍ୟା ‘ଗୁଲାବ’ର ପ୍ରଭାବ, ପଟାଙ୍ଗୀ ଓ ସେମିଳିଗୁଡାରେ ବ୍ୟାପକ କ୍ଷତି

୨୬ନମ୍ବର ଜାତୀୟ ରାଜପଥରେ ଚଳାଚଳ ବନ୍ଦ

କୋରାପୁଟ/ପଟାଙ୍ଗୀ: ବାତ୍ୟା ‘ଗୁଲାବ’ର ପ୍ରଭାବରେ ବ୍ୟାପକ ଭାବେ ପ୍ରଭାବିତ ହୋଇଛି କୋରାପୁଟ ଜିଲ୍ଲାର ସେମିଳିଗୁଡା ଓ ପଟାଙ୍ଗୀ ବ୍ଲକ। ପଟାଙ୍ଗୀର ରେଲେଗଡା ପଞ୍ଚାୟତ ସହ ୪ଟି ପଞ୍ଚାୟତରେ ବ୍ୟାପକ କ୍ଷତି ପହଞ୍ଚାଇଛି। ବାଦଲ ଫଟା ବର୍ଷା ସହ ଭୂ-ସ୍ଖଳନ ଫଳରେ ଆନ୍ଧ୍ର-ଓଡ଼ିଶାର ୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ବନ୍ଦ ରହିଛି। ସକାଳ ୭ଟାରୁ ୨୫ ଜଣିଆ ଏନଡିଆରଏଫ ଟିମ୍‌ ଏହାକୁ ସଫା କରିବାକୁ ଉଦ୍ୟମ କରୁଥିବାବେଳେ ସନ୍ଧ୍ୟା ୭ଟା ସୁଦ୍ଧା ଆହୁରି ୫୦ ମିଟର ରାସ୍ତା ସଫା କରିବାକୁ ବାକି ରହିଥିବା ଜଣାପଡିଛି। ତେବେ ଜିଲ୍ଲାର ୧୪ଟି ବ୍ଲକରେ ୬୮୦ ମିଲିମିଟର ବର୍ଷା ହୋଇଥିବାବେଳେ ପଟାଙ୍ଗୀରେ ସର୍ବାଧିକ୧୬୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଗତକାଲି ରାତି ପ୍ରାୟ ଏକଟାରୁ ବଦଲଫଟା ବର୍ଷା ସହ ୯୦ କିଲୋମିଟର ପ୍ରତି ଘଣ୍ଟାରେ ପବନ ବହିଥିଲା। ଫଳରେ ଶୁଙ୍କି ଘାଟିରୁ ରାଲେଗଡା ଘାଟି ଯାଏଁ ୬ଟି ସ୍ଥାନରେ ଭୂ-ସ୍ଖଳନ ହୋଇ ରାସ୍ତା ଉପରେ ମାଟି ଓ ପଥର ପଡିଯାଇଥିଲା ।

ଫଳରେ ଉଭୟ ପାର୍ଶ୍ବରେ ୧୦ କିଲୋମିଟର ଯାଏଁ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ସୁରକ୍ଷା‌ ଦୃଷ୍ଟିରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପକ୍ଷରୁ ଏହି ରାସ୍ତା ଦେଇ ଯିବାକୁ ବାରଣ କରାଯାଇଛି। ଭାଇଜାକ ଯିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ସେମିଳିଗୁଡା-ନନ୍ଦପୁର-ଆରକୁ ଦେଇ ଯିବାକୁ କୁହାଯାଇଥିବାବେଳେ ବିଜୟ ନଗରମ୍‌ ଯାଉଥିବା ବ୍ୟକ୍ତିବି‌ଶେଷ ଲକ୍ଷ୍ମୀପୁର-ବନ୍ଧୁଗାଁ-ପାର୍ବତୀପୁରମ ରୁଟରେ ଯିବାକୁ କୁହାଯାଇଛି। ଅନ୍ୟପକ୍ଷରେ ପଟାଙ୍ଗି ଓ ସେମିଳିଗୁଡା ବ୍ଲକରେ ଶହ ଶହ ଏକର ଚାଷ ଜମି ପାଣିରେ ବୁଡିଛି। ଅନେକ ସ୍ଥାନରେ ରାସ୍ତା ଧୋଇଯାଇଥିବାବେଳେ, କିଛି ମାଟି ଘର ମଧ୍ୟ ଭାଙ୍ଗି ଯାଇଛି । ପଟାଙ୍ଗି ବ୍ଲକର ସମସ୍ତ ନଦୀ ଓ ନାଳରେ ଜଳ ସ୍ତର ବୃଦ୍ଧିପାଇଛି । କୁନ୍ଦୁଲି ନିକଟ ପାହାଡିଆ ନଦୀରେ ବନ୍ୟା ଜଳ ଆସି ଶହ ଶହ ହେକ୍ଟର ଜମି ଏବେ ବି ଜଳମଗ୍ନ ରହିଥିବା ପରିବା ଚାଷ ବ୍ୟାପକ ଭାବେ କ୍ଷତି ହୋଇଛି। ଉଭୟ ସେମିଳିଗୁଡା ଓ ପଟାଙ୍ଗୀ ବ୍ଲକରେ ଚାଷ ହୋଉଥିବା ମକା, ଅଦା, ଟମାଟୋ,ଆଳୁ, ବାଇଗଣ ସହ ଅନ୍ୟ ପରିପରିବା ଚାଷ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି।

କୋଟିଆ ପଞ୍ଚାୟତ ସଦର ମହକୁମାରୁ ଫାଟୁସେନେରି ରାସ୍ତାର ମାଡକର ପୋଲ ଉପରେ ୨୦ଫୁଟ ଉଚ୍ଚତାରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ କୋଟିଆ ସହ ୮ ଟି ଗ୍ରାମକୁ ଯୋଗାଯୋଗ ଠପ ହୋଇ ପଡିଛି। ସେହିପରି ସମ୍ବାଇ-ଝାଙ୍କରଗୁଡା ରାସ୍ତାର ପୋଲ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଏହିଠାରେ ଗମନାଗମନ ଠପ୍‌ ହୋଇଛି। ପ୍ରବଳ ବର୍ଷାଯୋଗୁଁ ପଟାଙ୍ଗି ବ୍ଲକର ଗାଲିଗବଦର ଜଳ ପ୍ରପାତ ପର୍ଯ୍ୟଟନ କେନ୍ଦ୍ର ରାସ୍ତାରେ ୧ଫୁଟ ଉଚାରେ ପଟୁ ମାଟି ଜମି ରହିଛି। ପାହାଡ ତଳେ ଥିବା ଶୁଙ୍କି ରାଲେଗଡା ଛକର ୮ଟି ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେହିପରି ସୁଳିଆମାରି ବ୍ରିଜ ଉପରେ ବନ୍ୟା ଜଳ ପ୍ରଭାବିତ ହେଉଥିବାରୁ ଉପରଚିଣ୍ଡିରୀ, ତଳ ଚିଣ୍ଡିରି, ନାରିଙ୍ଗୀପଦର, ଖଜୁରୀ ପଦର, ଗିଚାମଞ୍ଜରୀ, ଚିନ୍ତାଲମଞ୍ଜରୀ, ବଡମଞ୍ଜରୀ, ଉପରକାଣ୍ଟି କୁ ଯୋଗାଯୋଗ ବିଚ୍ଛିର୍ଣ୍ଣ ହୋଇଛି। ଜିଲ୍ଲାର ପଟାଙ୍ଗିରେ ସର୍ବାଧିକ ୧୬୮ ମିମି ବର୍ଷା ହୋଇଥିବାବେଳେ ନନ୍ଦପୁର ରେ ୭୫.୫ ମିମି ,ଲମତାପୁଟରେ ୭୪.୨ ମିମି, ସେମିଳିଗୁଡାରେ ୭୩ ମିମି ,ନାରାୟଣପାଟଣାରେ ୬୬ ମିମି,କୋରାପୁଟରେ ୪୭.୮ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଜିଲ୍ଲାର ସମସ୍ତ ୧୪ ଟି ବ୍ଲକରେ ବର୍ଷା ହୋଇଛି. ରାଲେଗଡା ପଞ୍ଚାୟତରେ ୫ଟି ଘର ଭାଙ୍ଗିଛି ,ତାନସିଲ ରେ ୧ଟି , କେତନପାଡୁରେ ୨ଟି ,ମଡାୱ୍ବାଲସାରେ ୨ ଘରର ଛାତ ଉଡି ଘର ଭାଙ୍ଗି ଯାଇଛି। ଗତକାଲି ଠାରୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଦ୍ୟୁତ ନଥିବାବେଳେ ବିଦ୍ୟୁତ ସରବରାହ ସ୍ବାଭାବିକ କରାଯାଇଛି।

ସେହିଭଳି ୨୬ ନଂ ଜାତୀୟ ରାଜପଥର କୁନ୍ଦୁଲି ଓ ମାଳିପୁଟ ନିକଟରେ ପଡିଥିବା ଗଛକୁ ରାସ୍ତାରୁ ହଟାଯାଇଛି । କୋଟିଆକୁ ଯୋଡୁଥିବା ରାସ୍ତା ପଡି ଅବରୋଧ ହୋଇଥିବାବେଳେ ଅଗ୍ନିଶମ ବିଭାଗ ପହଞ୍ଚି ରାସ୍ତା ସଫା କରିଛି। କୋରାପୁଟ ଜିଲ୍ଲାପାଳ ଅବଦାଲ ଏମ. ଅଖତର କହିଛନ୍ତି ଯେ ଗତକା‌ଲି ରାତି ଗୋଟାଏ ପରେ ବାତ୍ୟା ଗୁଲାବ ପଟାଙ୍ଗୀରେ କ୍ଷୟକ୍ଷତି କରିଛି। ସଫଳ ଭାବେ ଆମେ ଗୁଲାବକୁ ମୁକାବିଲା କରିଛୁ। ଭୂ-ସ୍ଖଳନ ଯୋଗୁଁ ଜିଲ୍ଲାରେ ୭୮୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବାବେଳେ କୌଣସି ଲୋକଙ୍କ ଜୀବନ ହାନି ହୋଇନାହିଁ। ୨୬ ନମ୍ବର ଜାତୀୟ ରାଜପଥ ବ୍ୟାପକ ଭାବେ କ୍ଷତି ହୋଇଥିବାବେଳେ ଏହାକୁ ପୁନଃରୁଦ୍ଧାର କରାଯିବାକୁ ଟିମ୍‌ ନି‌ୟୋଜିତ ରହିଛନ୍ତି। ମୁଖ୍ୟତଃ ସେମିଳିଗୁଡା ଓ ପଟାଙ୍ଗୀ ସହ ଅନ୍ୟ ବ୍ଲକରେ ଫସଲ ନଷ୍ଟ ହୋଇଥିବା ଖବର ଆସୁଛି। କ୍ଷୟକ୍ଷତି ଆକଳନ କରାଯାଇ ରାଜ୍ୟସ୍ତରକୁ ପଠାଯିବ। ସରକାରଙ୍କ ନିଷ୍ପତ୍ତି ଅନୁସାରେ ବାସହରା, ଫସଲହରା ସହ କ୍ଷତି ସହିଥିବା ପରିବାରଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର