ଛୁଇଁ ଦେଇ ଚାଲିଗଲା ବାତ୍ୟା ‘ଗୁଲାବ୍’: ଟଳିଲା ବିପଦ, ଘରକୁ ଫେରିଲେ ୪୨୫୫

ଜିଲ୍ଲାରେ ୧୮୭.୭ ମିମି ବର୍ଷା, ଭାଙ୍ଗିଲା ୧୫ରୁ ଉର୍ଧ୍ବ ଘର

ରାୟଗଡ଼ା: ବାତ୍ୟା ଗୁଲାବ୍ ଆନ୍ଧ୍ରପ୍ରଦେଶରେ ମାଡ଼ ହେବା ପରେ ରାୟଗଡ଼ା ଉପରୁ ବିପଦ ଟଳିଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୧୮୭.୭ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ପ୍ରଭାବରେ ୧୫ରୁ ଉର୍ଧ୍ବ ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଛି। ୩ ପ୍ରମୁଖ ନଦୀ ବଂଶଧାରା, ନାଗାବଳୀ, କଲ୍ୟାଣୀ ସତର୍କ ସଙ୍କେତ ତଳେ ପ୍ରବାହିତ ହେଉଥିବାରୁ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ୪୨୫୫ ଜଣଙ୍କୁ ଘରକୁ ପଠାଇ ଦିଆଯାଇଛି। କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ତହସିଲ ଅଞ୍ଚଳରେ ଆରମ୍ଭ ହୋଇଛି ସର୍ଭେ।

ବର୍ଷା ପବନ ଯୋଗୁ ଗୁଣପୁର ବ୍ଲକ ମରମା ପଞ୍ଚାୟତର ମଙ୍ଗଳାଗୁଡ଼ା ଗ୍ରାମରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। ଗ୍ରାମର ୧୦ରୁ ଉର୍ଧ୍ବ ଘରର ଟିଣ, ଛପର ଉଡ଼ିଯିବା ସହ ବିଦ୍ୟୁତ୍ ଖୁଣ୍ଟ୍ ଉପୁଡ଼ି ପଡ଼ିବା ଯୋଗୁ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଛି। ସେହିପରି ରାୟଗଡ଼ା ବ୍ଲକର କୁମ୍ଭିକୋଟାରେ ଗୋଟିଏ ଏବଂ ସାନ୍ଧୁବାଡ଼ି ଗ୍ରାମରେ ୩ଟି ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାର କୌଣସି ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ କିମ୍ବା ରାସ୍ତା ଓ ପୋଲ କ୍ଷତିଗ୍ରସ୍ତ ହେବାର ସୂଚନା ନାହିଁ। ବର୍ଷା ପରିମାଣ କମିଯିବା ପରେ ଆଜି ସକାଳୁ ଜିଲ୍ଲାର ୮୫ ବାତ୍ୟା ଆଶ୍ରୟସ୍ଥଳୀକୁ ବନ୍ଦ କରି ଦିଆଯିବା ସହ ୪୨୫୫ ଲୋକଙ୍କୁ ଘରକୁ ପଠାଇ ଦିଆଯାଇଛି। ଜିଲ୍ଲାର ଗୁଣପୁର, ମୁନିଗୁଡ଼ାରେ ୨୮ ମିମି ଲେଖାଁଏ, ବିଷମକଟକରେ ୨୬.୬ ମିମି, ରାମନାଗୁଡ଼ାରେ ୧୮.୮ ମିମି, କୋଲନରାରେ ୧୭.୭ ମିମି, କଲ୍ୟାଣସିଂହପୁରରେ ୧୫.୮ ମିମି, ରାୟଗଡ଼ାରେ ୧୪.୪ ମିମି ବର୍ଷା ହୋଇଛି। ପଦ୍ମପୁର, ଚନ୍ଦ୍ରପୁର, କାଶୀପୁରରେ ବର୍ଷା ପ୍ରଭାବହୀନ ରହିଛି। ରବିବାର ରାତି ୧୦ଟାରୁ ସୋମବାର ସକାଳ ୬ଟା ମଧ୍ୟରେ ଜିଲ୍ଲାରେ ୧୨.୯ ମିମି ଏବଂ ସକାଳ ୮ଟାରୁ ୧୨ଟା ମଧ୍ୟରେ ୬.୨ ମିମି ବର୍ଷା ରେକର୍ଡ କରାଯାଇଛି।

ବଂଶଧାରା ସତର୍କ ସଙ୍କେତ ତଳେ ୮୧.୭୫ ମିଟରରେ ନାଗାବଳୀ ଜେକେପୁରରେ ୨୧୨.୮ ମିଟର, କଲ୍ୟାଣସିଂହପୁରରେ ସତର୍କ ସଙ୍କେତ ଉପରେ ୩୪୪.୭୨ ମିଟରରେ ପ୍ରବାହିତ ହେଉଛି। ହରଭଙ୍ଗୀ, ବଡ଼ନାଳ ଡ୍ୟାମ୍ ଜଳସ୍ତର ସ୍ଥିର ଥିବା ବେଳେ ଗୋଟା ଓ ତୋଟାପଲ୍ଲୀ ବ୍ୟାରେଜରୁ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଗଜପତି ଜିଲ୍ଲାର କାଶୀନଗରରେ ୪୩ ମିମି ବର୍ଷା ହୋଇଥିବା ବେଳେ ବଂଶଧାରା ଉପରମୁଣ୍ଡ ଗୁଣପୁର, ମୁନିଗୁଡ଼ାରେ ବର୍ଷା ଯୋଗୁ ଛୋଟ ଛୋଟ ନାଳ ପାଣି ମିଶି ବଂଶଧାରା ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି। ବଂଶଧାରା ତଳମୁଣ୍ଡରେ ଥିବା ଗୋଟା ବ୍ୟାରେଜକୁ ଘଣ୍ଟାକୁ ୨୦୭୭୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାରୁ ବ୍ୟାରେଜର ସମସ୍ତ ୨୨ଟି ଗେଟ୍ ଖୋଲି ଦିଆଯାଇ ସମାନ ପରିମାଣର ବନ୍ୟା ଜଳ ନିଷ୍କାସନ କରାଯାଉଛି। ବନ୍ୟା ଜଳ ପରିଚାଳନା ପାଇଁ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଗଜପତି ଜିଲ୍ଲାପାଳଙ୍କ ସହ ମିଶି ଗୋଟା ବ୍ୟାରେଜରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସେହିପରି ନାଗାବଳୀ ତଳମୁଣ୍ଡରେ ଥିବା ତୋଟାପଲ୍ଲୀ ବ୍ୟାରେଜରୁ ମଧ୍ୟ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ହରଭଙ୍ଗୀ ଡ୍ୟାମ୍ ସାଇଟରେ ୩ ମିମି ଏବଂ ଅବବାହିକା ଅଞ୍ଚଳରେ ଥିବା ପଦାଗାଁରେ ୪ ମିମି ବର୍ଷା ହୋଇଛି। ଫଳରେ ଖୋଲାଥିବା ଡ୍ୟାମର ୩ଟି ଗେଟକୁ ବନ୍ଦ କରି ଦିଆଯାଇଛି। ବଡ଼ନାଳ ଡ୍ୟାମ୍ ସାଇଟରେ କିଛି ବର୍ଷା ହୋଇନଥିଲେ ମଧ୍ୟ ଡ୍ୟାମକୁ ଘଣ୍ଟାକୁ ୬.୦୩୧ କ୍ୟୁମେକ ଜଳ ପ୍ରବେଶ କରୁଥିବା ବେଳେ ୦.୪୭୫ କ୍ୟୁମେକ ଜଳ ନିଷ୍କାସନ ହେଉଛି। ବାତ୍ୟା ଗୁଲାବ୍ ଛୁଇଁ ଦେଇ ଚାଲିଯିବା ପରେ ବନ୍ୟା ଆଶଙ୍କା ଟଳି ଯାଇଥିଲେ ମଧ୍ୟ ଗୁଣପୁର, ରାୟଗଡ଼ା, କଲ୍ୟାଣସିଂହପୁରରେ ଏନଡିଆରଏଫ୍, ଓଡ଼୍ରାଫ୍ ଟିମ୍ ପୂର୍ବବତ୍ ମୁତୟନ ହୋଇ ରହିଛନ୍ତି।

ସମ୍ବନ୍ଧିତ ଖବର