କନ୍ଧ ସମ୍ପ୍ରଦାୟର ଅନନ୍ୟ ପର୍ବ ଗୁମମ୍‌ ପୂଜା; ଚାଷ ପାଇଁ ଶୁଭହେଲା ବିହନ ବା ଲିଙ୍ଗା

ଗୁମମ୍‌ରେ ପଡିଲା ମାଇ ଛେଳି ଓ ମାଇ କୁକୁଡା ବଳି

ବନ୍ଧୁଗାଁ (ମାଳି କେନ୍ଦ୍ରୁକା): ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ। ପ୍ରଭାବରେ ପ୍ରବଳ ବର୍ଷା କରାଇଥିବାରୁ ଚାଷବାସ ପାଇଁ ପ୍ରସ୍ତୁତ ହୋଇଛି ଚାଷୀକୂଳ। କେଉଁ ସମ୍ପ୍ରଦାୟରେ କାହାରର ବିଶ୍ବାସ କ’ଣ ରହିଛି। ହେଲେ ପ୍ରକୃତି ମାଁକୁ ସନ୍ତୁଷ୍ଟ କରି ଚାଷ ଆରମ୍ଭ କରିବା ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ଆଦିବାସୀ କୁଇ ବା କନ୍ଧ ଗୋଷ୍ଠୀ ମଧ୍ୟରେ। ମୌସୁମୀ ପ୍ରବେଶ ପରେ ବିହନ ପୋତିବା ପର୍ବ ହେଉଛି ଗୁମମ୍ ପର୍ବ। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକ୍ ଅନ୍ତର୍ଗତ ଏଡିଗୁମ୍ ବାଲସା ଗ୍ରାମ ଉପକଂଠ ଜମିରେ ତିନି ଗାଁ ଲୋକେ ଏକତ୍ରିତ ହୋଇ ପାଳିଛନ୍ତି ମାଁ ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଏହି ପର୍ବ।

ଗ୍ରାମର ସବୁ ଘରୁ ସାଇତା ବିହନ ଏବଂ ପୂଜା ସାମଗ୍ରୀକୁ ଏକ କୁଲା ବା ପାଛିଆରେ ନେଇ ବିଲ ନିକଟରେ ପହଁଚିଥିଲେ। ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ଏହି ପୂଜା ଆଜି ଶେଷ ହୋଇଥିଲା। ଗାଁ ଦିଶାରୀଙ୍କ ନିର୍ଧାରିତ ଦିନରେ ଏହି ପୂଜା ପାଳନ କରାଯାଇଛି। ପୂଜା ସାମଗ୍ରୀ ମଧ୍ୟରେ ନଡିଆ କଦଳୀ, ଦୀପଧୂପ ତ ରହିଥାଏ। ତେବେ ଧାନ, ମାଣ୍ଡିଆ, କାନ୍ଦୁଲ ଏବଂ ବିଭିନ୍ନ ଡଙ୍ଗର ଫସଲର ବିହନ ନେଇଥାନ୍ତି। ବର୍ଷା ପୂର୍ବରୁ ଗାଁରେ ଭଲ ଫସଲ ପାଇଁ ହୋଇଥାଏ ପ୍ରଥମ ବିହନ ପୂଜା। ଏଥିପାଇଁ ଗାଁର ଦିଶାରୀଙ୍କ ଦିନ ଓ ତିଥି ନିର୍ଦ୍ଧାରଣ କରିଥାନ୍ତି। ତାଙ୍କ ହିସାବରେ ଗାଁର ସବୁ ପରିବାରର ଜଣେ ଲେଖାଏଁ ସଦସ୍ୟ ବିହନ ଆଣି ପୂଜା କରିଥାନ୍ତି। ମାଟି ତିଆରି ଏକ ସ୍ବରୁପରେ ବିହନ ବା ଲିଂଗାକୁ ଧାରଣ କରି ଶୋଭାଯାତ୍ରାରେ ବିଲ ନିକଟକୁ ନିଆଯାଇଥାଏ।

ପୂଜା ହେବା ପରେ ଗୁରୁମାଇ ବିହନ ସବୁକୁ ଗାଁମୁଣ୍ଡର ପଥର ସ୍ବରୁପ ଗ୍ରାମଦେବୀ ବା ଗୁମମ୍ ଠାରେ ଏକତ୍ରିତ କରାଇଥାନ୍ତି। ସେଠାରେ ପ୍ରକୃତି ମାଁକୁ ସନ୍ତୁଷ୍ଟ କରିବା ପାଇଁ ଏକ ମାଇ ଛେଳିକୁ ବଳି ଦିଆାଯାଇଥାଏ। ଏହା ସହ ପ୍ରତି ପରିବାର ମାନସିକ ପୂରଣ ପାଇଁ ମାଇ କୁକୁଡା ବଳୀ ଦେଇଥାନ୍ତି। ପୂଜା ସରିବା ପରେ ବିହନ ସବୁ ପରିବାର ମଧ୍ୟରେ ବଣ୍ଟନ କରାଯାଇଥାଏ। ସେହି ବିହନକୁ ଅନ୍ୟ ବିହନ ସହ ମିଶାଇ ଚାଷ ଜମିରେ ବୁଣାଯାଏ। ଏହି ପରି ଗୁମମ୍ ପୂଜା ପରେ କୁଇ ଗୋଷ୍ଠୀ ଆଗାମୀ ବର୍ଷର ଚାଷ ଆରମ୍ଭ କରିଥାନ୍ତି। ଏଥଇପାଇଁ ଗତ ସପ୍ତାହରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ଗାଁର ପୂଜାରି ଏଥିପାଇଁ ଦୀନ ଧାର୍ଯ୍ୟ କରିବା ପରେ ଗାଁ ଲୋକଙ୍କୁ ସଭା କରି ଜଣାଇ ଦିଆଯାଇଥିଲା। ଶୁକ୍ରବାର ରାତିରୁ ଲକ୍ଷ୍ମୀ ଦେବୀଙ୍କଠାରୁ ପୂଜା ବାହାରିଥିଲା।

Sambad

ଶନିବାର ସକାଳୁ ଶତାଧିକ ଚାଷୀପରିବାର ଗାଁ ନିକଟ ବିଲରେ ସମ୍ମିଳିତ ହୋଇଥିଲେ। ସେଠାରେ ଦୀଘଁ ସମୟ ଧରି ପୂଜାପାଠ କରାଯାଇଥିଲା। ଗାଁର ମୁଖିଆ ଓ ପୂଜାରିଙ୍କ ନିବେଦନ କ୍ରମେ ତିନିଟି ଗାଁରୁ ୫୫ଟି ପରିବାର ବିଲରେ ପହଞ୍ଚିଥିଲେ। ପ୍ରତିନିଧିତ୍ବ କରିବାକୁ ପ୍ରତି ଘରୁ ଜଣେ ଲେଖାଏଁ କିଶୋରକିଶୋରୀ ଉପସ୍ଥିତ ରହି ବିଲରୁ ଗାଁ ଦେବତୀଙ୍କ ନିକଟରୁ ବିହନ ମୁଣ୍ଡାଇ ଆଣିଥିଲେ।

ଏହାପରେ ଗାଁ ମଝିରେ ରହିଥିବା ଗ୍ରାମଦେବୀଙ୍କ ପୀଠରେ ପୂଜାପାଠ କରାଯାଇଥିଲା। ସେଠାରେ ଛେଳି ଓ କୁକୁଡାକୁ ବଳି ଦିଆଯାଇଥିଲା। ଏହାସହ ନାଜଗୀତର ଆସର ଜମିଥିଲା। ଭଲ ଫସଲ କରିବା ପୂର୍ବରୁ ଏହା ଶେଷ ପର୍ବ। ଏହାପରେ ଜମି ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଉଥିବାରୁ ଭୋଜିଭାତ ମଧ୍ୟ ହୋଇଥିଲା। ଏଡିଗୁମ୍ ବାଲସାର ମୁଖିଆ ସୁବାରାଓ କେନ୍ଦ୍ରୁକା କହିଛନ୍ତି ଯେ ପ୍ରତିବର୍ଷ ଗାଁରେ ବର୍ଷା ପୂର୍ବରୁ ପୂଜା କରାଇଯାଏ। ଚଳିତବର୍ଷ କରୋନା ସମୟରେ ଏଡିଗୁମ୍‌ ବାଲସା, କାପଲଡା ଓ ହାତୀଘୋଡା ଗାଁର ଲୋକେ ଆଜି ଏଡିମୁଘବାଲସାରେ ଏକ୍ରତିତ ହୋଇଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର