ଟଙ୍କା ହେରଫେର ଅଭିଯୋଗରେ ଗୁମା ନିର୍ବାହୀ ଅଧିକାରୀ ନିଲମ୍ବିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦରମହକୁମା ଗୁମ୍ମା ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଏସ୍‌ ରାବଣା ଆମ୍ମା ଟଙ୍କା ହେରଫେର କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ତାଙ୍କ ନାମରେ ସେରଙ୍ଗ ଥାନାରେ ଏକ ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ଗୁମ୍ମା ବିଡ଼ିଓ ନଟବର ଗରଡ଼ା ବ୍ଲକ କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପାରଳାଖେମୁଣ୍ଡି ଷ୍ଟେଟବ୍ୟାଙ୍କ ଆଣ୍ଟି ମନି ଲେଣ୍ଡରିଂ ବିଭାଗରୁ ଗୁମ୍ମା ଷ୍ଟେଟବ୍ୟାଙ୍କ ଶାଖାକୁ କିଛିଦିନ ତଳେ ଏକ ପତ୍ର ମାଧ୍ୟମରେ ଟଙ୍କା ହେରଫେର ହୋଇଥିବା ଜଣାପଡିଥିଲା। ଏହା ପରେ ଗୁମ୍ମା ଶାଖା ପରିଚାଳକ ବ୍ଲକ କାର୍ଯ୍ୟଳୟକୁ ଆସି ବିଡ଼ିଓ ଶ୍ରୀ ଗରଡାଙ୍କୁ ଜଣାଇଥିଲେ। ଏହା ପରେ ଗୁମ୍ମା ବ୍ଲକର ଏକ ଟିମ ଗଠନ କରି ଉକ୍ତ ବିଷୟରେ ତଦନ୍ତ କରିଥିଲେ। ଗୁମ୍ମା ଗ୍ରାମପଞ୍ଚାୟତକୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସିଥିବା ୬ ଗୋଟି ସରକାରୀ ଆକାଉଣ୍ଟରୁ ୨୯ଟି ଚେକ ବ୍ୟବହାର କରି ୪୦ ଲକ୍ଷ ୫ ହଜାର ୭ ଶହ ଟଙ୍କା ହେରଫେର ହୋଇଥିବା ତଦନ୍ତରୁ ଜଣା ପଡ଼ିଥିବା ବିଡ଼ିଓ ସୂଚନା ଦେଇଛନ୍ତି।

ଏହି ଟଙ୍କା ଗୁଡିକ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ରାଜ୍ୟର ଲୋକମାନଙ୍କ ଆକାଉଣ୍ଟ ଯାଇଥିବା ଜଣାପଡ଼ିଛି। ଏହି ଚେକ ଗୁଡିକରେ ଗୁମ୍ମା ସରପଞ୍ଚ ଜୀକନିୟ ରଇତ ଦସ୍ତଖତ ରହିଥିବା ବେଳେ ସେ ଏହି ଦସ୍ତଖତ ଗୁଡିକ ଜାଲ ବୋଲି କହି ଘଟଣା ସମ୍ପର୍କରେ ବ୍ଲକ କାର୍ଯ୍ୟଳୟ ରୁ୨୬/୧୧/୨୦ ତାରିଖ ଏକ ପତ୍ର ମାଧ୍ୟମରେ ଜାଣିବାକୁ ପାଇଲି ଏବଂ ସଙ୍ଗେ ସଙ୍ଗେ ଏହି ବିଷୟରେ ମୁଁ ବ୍ୟକ୍ତିଗତ ଭାବେ ଅନୁସନ୍ଧାନ କରି ଏହି ଟଙ୍କା ହେରଫେର ଘଟଣାରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ବିଡ଼ିଓଙ୍କୁ ଜଣାଇଥିଲି। ଉକ୍ତ ପିଇଓ ବିଷୟରେ ମୁଁ ବହୁ ଥର ବିଡ଼ିଓଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛି ବୋଲି ସରପଞ୍ଚ ସଫେଇ ଦେଇଛନ୍ତି। ଏହି ବିଷୟରେ ଗୁମ୍ମାରେ ଆଲୋଚନା ଶିରନାମା ପଲଟିଥିବା ଦେଖାଦେଇଛି ଯେ ଖୋଦ ଗୁମ୍ମା ପଞ୍ଚାୟତରେ ଏଭଳି ଘଟଣା ଯଦି ଘଟିଛି ତାହା ହେଲେ ଅନ୍ୟ ଦୁର୍ଗମ ଅଂଚଳରେ ମଧ୍ୟ ହୋଇ ନ ଥିବ କିଏ କହି ପାରିବ ଏବଂ ଗୁମ୍ମା ଷ୍ଟେଟବ୍ୟାଙ୍କ ମ୍ୟାନେଜର ଏକ ସରକାରୀ କାର୍ଯ୍ୟାଳୟରୁ ଏତେ ଗୁଡିକ ଟଙ୍କା ହେରଫେର ହେଲା କେମିତି ଜାଣିପାରିଲେ ନାହିଁ। ଯଦି ପାରଳାଖେମୁଣ୍ଡି ଶାଖାରୁ ପତ୍ର ଆସିନଥାନ୍ତା କେହି ଜାଣିପାରି ନ ଥାନ୍ତେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର