ରାୟଗଡ଼ା: ଗୁମ୍ମା ଘାଟିରେ ହୋଇଥିବା ବସ୍ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ। କିପରି ଏବଂ କେଉଁ ପରିସ୍ଥିତିରେ ବସ୍ ଦୁର୍ଘଟଣାଗ୍ରସ୍ତ ହେଲା ତାହାର ମିଳିତ ତଦନ୍ତ କରିବାକୁ ପୁଲିସ୍ ଓ ପରିବହନ ବିଭାଗକୁ ନିର୍ଦେଶ ହୋଇଛି।

Advertisment

ବସରେ ଯାତ୍ରା କରୁଥିବା ଶ୍ରମିକମାନେ ଶ୍ରମ ଆଇନ ଅନୁସାରେ ପଞ୍ଜିକୃତ ହୋଇଛନ୍ତି କି ନାହିଁ, ଏବଂ କେଉଁ କଂପାନିକୁ ଯାଉଥିଲେ ତାର ସବିଶେଷ ତଦନ୍ତ କରିବାକୁ ଶ୍ରମ କମିଶନରଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ଦୁର୍ଘଟଣାର ଶିକାର ହୋଇଥିବା ବସର ଇନସ୍ୟୁରାନସ୍, ଫିଟିନେସ୍ ଥିଲା କି ନାହିଁ ସେ ନେଇ ତଦନ୍ତ କରିବେ ଜିଲ୍ଲା ପରିବହନ ଅଧିକାରୀ।

ବସର କ୍ଷମତା ଅନୁଯାୟୀ ୪୬ ଶ୍ରମିକ ଥିବା ବେଳେ ବସଟି ମଙ୍ଗଳବାର ରାତିରେ ବିହାରରୁ ବାହାରିବା ପରେ ଗତକାଲି ଓଡ଼ିଶାରେ ପହଞ୍ଚିଥିଲା। ପ୍ରଥମେ ସୁନ୍ଦରଗଡ ପରେ ରାଉରକେଲା, ବୌଦ୍ଧରୁ ଶ୍ରମିକଙ୍କୁ ଉଠାଇବା ପରେ କଳାହାଣ୍ଡି, ରାୟଗଡ଼ା, ବିଶାଖାପାଟଣା ଦେଇ ତାମିଲନାଡୁରେ ପହଞ୍ଚିଥାନ୍ତା। ଆଜି କାଶୀପୁର ଦେଇ ରାୟଗଡ଼ା ଅଭିମୁଖେ ବସଟି ଆସୁଥିବା ବେଳେ ଦୁର୍ଘଟଣା ଘଟିଛି। ଘଟଣା ପରେ ଅତିରିକ୍ତ ଜିଲ୍ଲାପାଳ ଆହତ ଓ ଗୁରୁତରଙ୍କୁ ମେଡ଼ିକାଲରେ ସାକ୍ଷାତ କରିଛନ୍ତି।

ଗତ ୪ ଦିନ ତଳେ ଗଞ୍ଜାମ ଜିଲ୍ଲାର ଶ୍ରମିକଙ୍କୁ ନେଇ ସୁରଟ ଅଭିମୁଖେ ଏକ ବସ୍ ଯାଉଥିବା ବେଳେ ରାୟପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ପୁଣି ଆଜି ରାୟଗଡ଼ା ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।