ପୁରୀରେ ମଧ୍ୟ ବନ୍ଧୁକ କାରବାର; ୪ ବନ୍ଧୁକ ଜବତ, ୭ ଗିରଫ

ପୁରୀ : ପୁରୀ ଏବେ ଚୋରା ବନ୍ଧୁକ ବେପାରୀଙ୍କ ନୂଆ ଠିକଣା ହୋଇଛି। ଗତ ୫ ମାସ ମଧ୍ୟରେ ପୁଲିସ ୧୬ଟି ବନ୍ଧୁକ ଜବତ କରିଥିବା ବେଳେ ଗତ ୫୫ ଦିନ ମଧ୍ୟରେ ୮ଟି ବନ୍ଧୁ ଜବତ କରିବା ଘଟଣା ସହରରେ ଚୋରା ବନ୍ଧୁକ କାରବାର କେମିତି ଚାଲିଛି ସେ ଦିଗକଚୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଶ୍ରୀମନ୍ଦିର ସମ୍ମୁଖ ଗୁଳିକାଣ୍ଡ ଘଟଣାରେ ପୁଲିସ ଅଭିଯୁକ୍ତ ଚନ୍ଦନ ବାରିକ ଘରୁ ଚାରିଟି ବନ୍ଧୁକ ଜବତ କରିଥିବା ବେଳେ ପୁଲିସ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଣି ଆଉ ଚାରିଟି ବନ୍ଧୁକ ଜବତ କରିଛି। ଏହି ବନ୍ଧୁକଗୁଡ଼ିକ ତିନିଟି ଥାନା ଅଞ୍ଚଳରୁ ଜବତ କରାଯାଇଥିବା ଏସ୍‌ପି ଡା. କେ. ବିଶାଳ ସିଂହ କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଡା. ସିଂହ କହିଛନ୍ତି ଯେ ଚଳିତବର୍ଷ ପୁରୀ ପୁଲିସ ୧୬ଟି ବନ୍ଧୁକ ଜବତ କଲାଣି। ଆଜି ଏହି ଚାରିଟି ବନ୍ଧୁକ ସାତ ଜଣ ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କଠାରୁ ମିଳିଛି। ସଦର ଥାନାରେ ୧୬୬/୨୨ ଓ ୧୬୭/୨୨ ନମ୍ବରରେ ଦୁଇଟି ମାମଲା ରୁଜୁ କରି ପୁଲିସ ସଦର ଥାନା ଅନ୍ତର୍ଗତ ରେଣ୍ଢାଗଡ଼ର ରତିକାନ୍ତ ପରିଡ଼ା, ଚନ୍ଦନପୁର ଥାନା ଅନ୍ତର୍ଗତ ଶିରୁଳି ମହାବୀର ଅଞ୍ଚଳର ବିକ୍ରମ ପଣ୍ଡା ଓ ନୟାଗଡ଼ ଖଣ୍ଡାପଡ଼ା ଅନ୍ତର୍ଗତ ରାଣୀପଡ଼ାର ଅଶୋକ ସାହୁକୁ ଗିରଫ କରିଛି। ରତିକାନ୍ତ ନାମରେ ୭ଟି, ବିକ୍ରମ ଓ ଅଶୋକ ନାମରେ ଗୋଟିଏ ଲେଖାଏଁ ମାମଲା ରହିଛି। ସଦର ଥାନା ପୁଲିସ ଏହି ଦୁଇଟି ମାମଲାରେ ଗୋଟିଏ ୯ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ଦେଶୀ ବନ୍ଧୁକ, ତିନିଟି ଅଫୁଟା ଗୁଳି, ୨୩୫୦ ଟଙ୍କା ଜବତ କରିଛି।

ସେହିପରି ଟାଉନ ଥାନା ଅଞ୍ଚଳର କୁଶୁନି ଜାଗା ନିକଟରେ ବନ୍ଧୁକ ଦେଖାଇ ଦାଦାବଟି ଆଦାୟ କରୁଥିବା ନୂଆପାଟଣା ଗଳିର ରୁଦ୍ରପ୍ରସାଦ ରାଉତ(୨୮) ଓ ହାଡ଼ଗୋଡ଼ିଆସାହିର ହରିଶ୍ଚନ୍ଦ୍ର ପୃଷ୍ଟି(୨୭) ଧରାପଡ଼ିଛନ୍ତି। ରୁଦ୍ରପ୍ରସାଦ ପାଖରୁ ପୁଲିସ ଗୋଟିଏ ୭ ଏମ୍‌ଏମ୍‌ ବନ୍ଧୁକ ଓ ହରିଶ୍ଚନ୍ଦ୍ର ପାଖରୁ ଗୋଟିଏ ଲୁହା ରଡ଼ ମିଳିଥିଲା। ରୁଦ୍ରପ୍ରସାଦ ନାମରେ ପୂର୍ବରୁ ୫ଟି ମାମଲା ଓ ହରିଶ୍ଚନ୍ଦ୍ର ନାମରେ ଗୋଟିଏ ମାମଲା ରହିଛି। ଟାଉନ ଥାନା ପୁଲିସ ୧୭୩/୨୨ ନମ୍ବରରେ ଏକ ମାମଲା ଆଜି ରୁଜୁ କରି ରୁଦ୍ରପ୍ରସାଦ ଓ ହରିଶ୍ଚନ୍ଦ୍ରକୁ କୋର୍ଟଚାଲାଣ କରିଛି।

ସେହିପରି ବଳିଆପଣ୍ଡା ଥାନା ଅନ୍ତର୍ଗତ ଷ୍ଟଲିଂ ଛକରେ ବନ୍ଧୁକ ଦେଖାଇ ଦୁଇ ଜଣ ଦାଦାବଟି ଆଦାୟ କରୁଥିଲେ। ଏହି ସମୟରେ ବଳିଆପଣ୍ଡା ଥାନା ପୁଲିସ ସେଠାରେ ଚଢ଼ଉ କରି କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଖାକିମଠ ନୂଆସାହିର ଲୋକନାଥ ଦାସ(୨୯) ଓ ବଉଳମଠ ଲେନ୍‌ର ରଞ୍ଜିତ କୁମାର ମହାନ୍ତି(୨୭)କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବାଇକ୍‌ , ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଅଫୁଟା ଗୁଳି, ଦୁଇଟି ମୋବାଇଲ ଫୋନ୍‌ ଓ ୪୫୦ ଟଙ୍କା ଜବତ କରିଥିଲା। ଲୋକନାଥ ନାମରେ ପୂର୍ବରୁ ୬ଟି ମାମଲା ରହିଥିବା ବେଳେ ରଞ୍ଜିତ ନାମରେ ଗୋଟିଏ ମାମଲା ରହିଥିଲା। ପୁଲିସ ଏନେଇ ୭୧/୨୨ ନମ୍ବରରେ ଏକ ମାମଲା ରୁଜୁ କରି ଏହି ଦୁଇ ଜଣଙ୍କୁ କୋର୍ଟଚାଲାଣ କରିଛି। ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା, ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀଙ୍କ ସମେତ ତିନିଟି ଥାନାର ଆଇଆଇସିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର