ଯବାନଙ୍କ ଦ୍ବାରା ୨ଟି ନକଲି ଏକେ-୪୭ ବନ୍ଧୁକ ଜବତ

ଗ୍ରାମବାସୀ ଏବଂ ଠିକାଦାରକୁ ନକଲି ବନ୍ଧୁକ ଦେଖାଇ ଟାର୍ଗେଟ କରୁଥିଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ପୁଲିସ ୨ଟି ନକଲି ଏକେ-୪୭ ବନ୍ଧୁକ ଜବତ କରିବା ସହ ଏକ ବ୍ୟାଗକୁ ମଧ୍ୟ ଉଦ୍ଧାର କରିଛି। ଜିଲ୍ଲାର ବଚେଲି ଥାନା ଅନ୍ତର୍ଗତ ଦୁଗେଲି ଗ୍ରାମ ନିକଟସ୍ଥ ଜଂଗଲରେ ଏହି ବନ୍ଧୁକ ଓ ବ୍ୟାଗ ସହ ନକଲି ନକ୍ସଲ ପୋଷାକକୁ ପୁଲିସ ଜବତ କରିଛି।

ନକ୍ସଲ ନକ୍ସଲ ନିଜର ଟାର୍ଗେଟ ପୂରଣ ହେଲେ ସେହି ବନ୍ଧୁକ ଏବଂ ନିଜର ପୋଷାକ ଗୁଡିକକୁ ଜଂଗଲରେ ଏକ ଗାତରେ ଲୁଚାଇ ରଖୁଥିଲେ। ତେବେ ଦନ୍ତେଵାଡା ଏସପି ଅଭିଷେକ ପଲ୍ଲବ ଏନେଇ ସୂଚନା ପାଇବା ପରେ ନିଜେ ଦୁଗେଲି ଗ୍ରାମରେ ପହଞ୍ଚି ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଗ୍ରାମବାସୀଙ୍କୁ ନେଇ ଜଂଗଲରେ ନିଜ ଯାଇ ଗାତରେ ଲୁଚାଇ ରଖାଯାଇଥିବା ବନ୍ଧୁକ ଓ ବ୍ୟାଗକୁ ଉଦ୍ଧାର କରିଥିଲେ। ପ୍ରଥମେ ତ ଯବାନ ଗାତ ଭିତରେ ଥିବା ଏକ କଳା ବ୍ୟାଗକୁ ଦେଖି ଡରିଯାଇଥିଲେ।

ଯଦି ସେଥିରେ ବୋମା ଥାଏ ତେବେ ଉଠାଇବା ମାତ୍ରେ ବିସ୍ଫୋରଣ ହେବାର ଭୟ ରହିଥିଲା। କିନ୍ତୁ ଯବାନ ଏକ ଲମ୍ବା କାଠରେ ବ୍ୟାଗକୁ ଧିରେ ଧିରେ ଉଠାଇ ଆଣି ବାହାରେ ରଖିଥିଲେ। ପରେ ଗାତରେ ଲୁଚାଇ ରଖିଥିବା ଦୁଇଟି ଏକେ-୪୭ ବନ୍ଧୁକକୁ ବାହାରକୁ କାଢିଥିଲେ। ତେବେ ଯବାନ ବନ୍ଧୁକକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଦୁଇଟି ବନ୍ଧୁକ ସଂପୂର୍ଣ୍ଣ କାଠରେ ତିଆରି ହୋଇଥିଲେ। ଏକେ-୪୭ ଭଳି ସମାନ ଦେଖାଯାଉଥିଲା।

Sambad

ନକଲି ନକ୍ସଲମାନେ ରାତିରେ ଗ୍ରାମରେ ପଶି ସରପଞ୍ଚ, ଠିକାଦାର ଏବଂ ଧନୀକ ଶ୍ରେଣୀର ଲୋକଙ୍କୁ ଅପହରଣ କରିନେଇ ସେମାନଙ୍କ ଠାରୁ ମୋଟା ଅଂକର ଟଂକା ନେଇ ଛାଡୁଥିଲେ। ତେବେ ଏହି ଖବର ଦନ୍ତେଵାଡା ଏସପିଙ୍କ ନିକଟରେ ପହଞ୍ଚିବା ପରେ ସେ ନିଜେ ଏହାର ପର୍ଦାଫାସ କରିଥିଲେ। ବର୍ତ୍ତମାନ ଲକ୍ଡାଉନ ଚାଲୁଥିବାରୁ ନକ୍ସଲଙ୍କର ଆୟ ମଧ୍ୟ କମିଯାଇଛି। ନକ୍ସଲ ଠିକାଦାର ଏବଂ ବଡ ବଡ ସାହୁକାର ମାନଙ୍କୁ ଟାର୍ଗେଟ କରୁଥିଲେ। ଲକ୍ଡାଉନ ଯୋଗୁଁ ସବୁଆଡେ ପୁଲିସ ଛାଉଣି ରହିଥିବାରୁ ନକ୍ସଲ ଏଭଳି କାମ କରିଥାଇପାରନ୍ତି ବୋଲି ଅନୁମାନ କରାଯାଏ ବୋଲି ଏସ୍ପି‌ କହନ୍ତି। ତେବେ ଗ୍ରାମବାସୀ ଏହି ଲୋକଙ୍କୁ ଚିହ୍ନି ଥିବାରୁ ଏସ୍ପି‌ ସେମାନଙ୍କୁ ତୁରନ୍ତ ଗ୍ରାମବାସୀଙ୍କ ସହାୟତାରେ ଗିରଫ କରିବା ପାଇଁ ଅଭିଯାନ ଆରମ୍ଭ କରିଦେଇଛନ୍ତି। ତେବେ ରାତିରେ ବନ୍ଧୁକ ଅସଲି କି ନକଲି ଜାଣିହେବ ନାହିଁ। ତେଣୁ ଗ୍ରାମବାସୀ ଡରି ସେମାନଙ୍କୁ ଟଂକା ଏବଂ ଅନ୍ୟ ସାମଗ୍ରୀ ଦେଇଦେଉଥିଲେ।

ସମ୍ବନ୍ଧିତ ଖବର