କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣା, ତଦନ୍ତ ବାଟବଣା; କୁଆଡ଼େ ଗଲା ଗୁଣନିଧିଙ୍କ ବ୍ୟାଗ୍‌?

ଜାଣି ନାହାନ୍ତି ଅଧିକାରୀ, ବ୍ୟାଗରେ ଥିଲା ଫୋନ୍, ସୁଇସାଇଡ୍ ନୋଟ୍‌!

କିଶନନଗର: ଇଶାଣୀବ୍ରହ୍ମପୁର ସାଇଁ ପୋରୁଆଁ ଗ୍ରାମର ଗୁଣନିଧି ବିଶୋଇ କିଶନନଗର ଥାନା ପରିସରରେ ଆତ୍ମାହୁତି ଦେବା ଘଟଣାକୁ ୪୮ଘଣ୍ଟା ବିତିଗଲାଣି। ଏହି ଘଟଣାରେ ପ୍ରାଣ ହରାଇଥିବା ଗୁଣନିଧିଙ୍କ ବିରୁଦ୍ଧରେ ପୁଲିସ ୩୦୯ ଦଫାରେ ଏକ ମାମଲା (ନଂ-୧୦୮/୨୦୨୨) ରୁଜୁ କରି ତଦନ୍ତ ଚଳାଇଛି। ତେବେ ଏହି ଘଟଣାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିଗକୁ ପୁଲିସ ଏଡ଼ାଇ ଯାଉଥିବା ପରି ମନେ ହେଉଛି। ଗୁଣନିଧି ନ୍ୟାୟ ପାଇବା ପାଇଁ ବାରମ୍ବାର ଥାନାକୁ ଦୌଡ଼ି ଶେଷରେ ନିରାଶ ହୋଇ ଆତ୍ମାହୁତି ଦେବା ପରି ଚରମ ପଦକ୍ଷେପ ନେଲେ। ଗତ ୨୩ ତାରିଖ ଦିନ ୧୨ଟା ବେଳେ ସ୍ପଷ୍ଟ ଦିବାଲୋକରେ ଥାନା ପରିସରରେ ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ। ଥାନାରେ ସିସି କ୍ୟାମେରା ରହିଛି ଏବଂ ଆଇଆଇସି ଓ ଅନ୍ୟ କର୍ମଚାରୀ ମାନେ ବି ସେହି ସମୟରେ ଥାନାରେ ଉପସ୍ଥିତି ଥିଲେ। ହେଲେ ତାଙ୍କୁ ପୁଲିସ ଅଟକାଇଲା ନାହିଁ କି ପ୍ରଥମେ ଉଦ୍ଧାର କଲା ନାହିଁ। ସ୍ଥାନୀୟ ଲୋକେ ଗୁଣନିଧି ଜଳୁଥିବା ସମୟରେ ପହଞ୍ଚି ତାଙ୍କ ଉପରେ ପାଣି ଢାଳି ଲିଭାଇବାକୁ ଉଦ୍ୟମ କରିଥିଲେ। ସେତେବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଆଇଆଇସି ସସ୍ମିତା ରଣା ତାଙ୍କ ଦେହରେ ବିଦ୍ୟୁତ କରେଣ୍ଟ ଲାଗିଛି ବୋଲି କହି ପ୍ରଥମେ ଲୋକଙ୍କୁ ସେଠାକୁ ଆସିବାକୁ ବାରଣ କରିଥିଲେ। ଏହି ଘଟଣା ପରେ ଥାନା ପାଚେରୀରେ ଗୁଣନିଧି ଝୁଲାଇ ରଖିଥିବା ବ୍ୟାଗକୁ ନେଇ ସସ୍ମିତା ରଣା ଥାନା ପରିସର ଛାଡି ଚାଲି ଯାଇଥିଲେ। ସେହି ବ୍ୟାଗ ବିଷୟରେ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ କିଛି ଜଣାଇ ନଥିବା ଏସଡିପିଓ ବିମଲ କୁମାର ବାରିକ କହିଛନ୍ତି।

ଆତ୍ମାହୁତି ପାଇଁ ମାନସିକସ୍ତରରେ ପ୍ରସ୍ତୁତ ହୋଇ ସାଙ୍ଗରେ ପେଟ୍ରୋଲ ଧରି ଆସିଥିବା ଗୁଣନିଧି ନିଜର ଏହି ବ୍ୟାଗ ଭିତରେ ସୁଇସାଇଡ୍ ନୋଟ ରଖିଥିବା ଚର୍ଚ୍ଚା ହେଉଛି। ଏହି ବ୍ୟାଗରେ ଗୁଣନିଧିଙ୍କ ମୋବାଇଲ ଫୋନ ଓ ଅନ୍ୟ କାଗଜପତ୍ର ଓ ସାମଗ୍ରୀ ରହିଛି। ଥାନା ଆଇଆଇସି ଏହି ବ୍ୟାଗ୍‌କୁ ଗାଏବ କରିଦେବାକୁ ନେଇ ଅନେକ ପ୍ରକାର ସନ୍ଦେହ ସୃଷ୍ଟି ହୋଇଛି। ଥାନା ପରିସରରେ ଲାଗିଥିବା ସିସି କ୍ୟାମେରାରେ ଗୁଣନିଧି ଆତ୍ମାହୁତି ଦେବାର ସମସ୍ତ ଘଟଣା ରେକର୍ଡ ହୋଇଛି। ହେଲେ ଏହି ଫୁଟେଜ ବର୍ତ୍ତମାନ ପର୍ଯ୍ୟନ୍ତ ଯାଞ୍ଚ କରାଯାଇନାହିଁ। ଅନ୍ୟପଟେ ଗୁଣନିଧିଙ୍କ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ପୁଲିସ ପ୍ରାଥମିକତା ଦେଇ ପ୍ରକୃତ ଘଟଣା ଉପରୁ ନଜର ହଟାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ କଟକ ଜିଲ୍ଲା ଏସ୍‌ପି ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୩ ତାରିଖ ଦିନ ସୁପାରିସ କରିଥିଲେ ବି ଏଯାଏ ବିଧିବଦ୍ଧ ଭାବେ ପୁଲିସ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଗତକାଲି ଅଞ୍ଚଳବାସୀ ଆଇଆଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର