ଗୁଣ୍ଡିଚାଘାଗି ଜଳପ୍ରପାତରେ ଜମୁଛି ଜଳକ୍ରୀଡ଼ା, ବଣଭୋଜି

ଘଟଗାଁ(ଆନନ୍ଦ ଚନ୍ଦ୍ର ସିଂହ): କରୋନା ପାଇଁ ଖାଁ ଖାଁ ଲାଗୁଥିବା କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଣ୍ଡିଚାଘାଗି ଜଳପ୍ରପାତରେ ଏବେ ପର୍ଯ୍ୟଟକଙ୍କ ଭିଡ଼। କଟକଣା କୋହଳ ପରେ ପ୍ରତିଦିନ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଜଳପ୍ରପାତରେ ଜଳକ୍ରୀଡ଼ା ସାଙ୍ଗକୁ ଜମୁଛି ବଣଭୋଜିର ଆସର। କିଛିଦିନ ପାଇଁ ନିରବୀ ଯାଇଥିବା ଏହି ସ୍ଥାନ ଏବେ ପୁଣି ଚଳଚଞ୍ଚଳ ହୋଇଉଠିଛି।

ଘଟଗାଁର ମା’ ତାରିଣୀ ପୀଠରୁ ୧୦ କିମି ଦୂରରେ ରହିଛି ଗୁଣ୍ଡିଚାଘାଗି ଜଳପ୍ରପାତ। ଏଠାରେ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ବିଶେଷ କରି ପର୍ଯ୍ୟଟନ ଋତୁରେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ଅକ୍ଟୋବର ମାସରୁ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ବେଳେ ଏଥର କରୋନା ପାଇଁ ଏଠାକୁ ଲୋକେ ବୁଲାବୁଲି କରିବାକୁ ଆସୁ ନଥିଲେ। କଟକଣା କୋହଳ ହେବା ପରେ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଅଟେଇ ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ବହି ଯାଉଛି ମୂଷଳ ନଦୀ। ଏଥିରୁ ସୃଷ୍ଟି ହୋଇଛି ୬୦ ଫୁଟ ଉଚ୍ଚତା ବିଶିଷ୍ଟ ଜଳପ୍ରପାତ ଗୁଣ୍ଡିଚାଘାଗି। ବର୍ଷାଦିନେ ଏହାର ଘୋ ଘୋ ଗର୍ଜନ ୧ କିମି ପର୍ଯ୍ୟନ୍ତ ଶୁଭିଥାଏ। ବର୍ଷସାରା ତିନିଟା ଧାରାରେ ପାଣି ବହିଯାଉଥାଏ। ଏହା ଦେଖିବାକୁ ଗୁଣ୍ଡୁଚିମୂଷା ପିଠିର ତିନିଟି ଗାର ପରି ହୋଇଥିବାରୁ ଏହି ସ୍ଥାନର ନାମ ଗୁଣ୍ଡିଚାଘାଗି ରଖାଯାଇଛି।

୧୯୯୦ ମସିହା ପରେ ଏହି ଜଳପ୍ରପାତ ଧୀରେଧୀରେ ଲୋକଲୋଚନକୁ ଆସିଲା। ଗମନାଗମନ ପାଇଁ ରାସ୍ତାଘାଟ ଏବଂ ପ୍ରଚାରପ୍ରସାର ପାଇଁ ବଣଚକୁଳିଆ ଗ୍ରାମର ଲୋକଙ୍କୁ ନେଇ ଗୁଣ୍ଡିଚାଘାଗି ଉନ୍ନୟନ ସମାଜ ଗଠନ କରାଯାଇଛି। ଏହାର ଉଦ୍ୟମରେ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରୁ ଗୁଣ୍ଡିଚାଘାଗି ମହୋତ୍ସବ ଆୟୋଜିତ ହୋଇଥାଏ। ଏହି ପର୍ଯ୍ୟଟନସ୍ଥଳୀରେ ଅନେକ ଉନ୍ନତୀକରଣ କାର୍ଯ୍ୟ କରାଯାଇଛି। ସୁରକ୍ଷିତ ଜଳକ୍ରୀଡ଼ା ପାଇଁ ପାହାଚ ତିଆରି କରାଯିବା ସହ ଏହାର ପରିସରକୁ ସୁରକ୍ଷାବାଡ଼ାରେ ଘେରାଉ କରାଯାଇଛି। ଜଳପ୍ରପାତର ଦୁଇପାର୍ଶ୍ବକୁ ସଂଯୋଗ କରିବା ପାଇଁ ଆରଡି ବିଭାଗ ପକ୍ଷର ଝୁଲାପୋଲ ନିର୍ମାଣ ହୋଇଛି। ୱାଚଟାୱାର ମଧ୍ୟ ନିର୍ମାଣ ହୋଇଛି। ବଣଭୋଜି କରିବା ପାଇଁ ଏକାଧିକ ପିଣ୍ଡି, ଗାଡ଼ି ପାର୍କିଂ ବ୍ୟବସ୍ଥା, କମ୍ୟୁନିଟି ଘର, ପିଚୁ ରାସ୍ତା ଓ ଦୁଇ ଦୁଇଟି ନଳକୂପ ବସାଯାଇଛି। ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏଠାରେ ଅନେକ ଛୋଟବଡ଼ ଦୋକାନ ମଧ୍ୟ ଖୋଲିଛି।

କରୋନା କଟକଣା କୋହଳ ହେବା ପରେ ଡିସେମ୍ବର ପ୍ରଥମ ସପ୍ତାହରୁ ଏଠାକୁ ପର୍ଯ୍ୟଟକ ଆସିବା ବଢ଼ିଛି। ରବିବାର ଓ ଛୁଟିଦିନମାନଙ୍କରେ ଅଧିକ ସଂଖ୍ୟାରେ ଲୋକେ ବୁଲିବା ପାଇଁ ଆସୁଛନ୍ତି। ବଣଭୋଜି କରିବା ସହ ୱାଚ୍ଟାୱାର ଉପରେ ଚଢ଼ି ଫଟୋ ଉଠାଉଛନ୍ତି। ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ଏଠାରେ ବ୍ୟବସାୟ କରୁଥିବା ବିଭିନ୍ନ ଦୋକାନୀଙ୍କ କାରବାର ବଢ଼ିଛି। ଏହି ପର୍ଯ୍ୟଟନସ୍ଥଳକୁ ବିଦ୍ୟୁତ୍ ସଂଯୋଗ କରି ଆଲୋକୀକରଣ କରିବା, ଶୌଚାଳୟ, ଫୁଲବଗିଚା ଓ ଏଠାରେ ଏକ ଶିଶୁ ପାର୍କ ନିର୍ମାଣ କରାଗଲେ ଏହି ସ୍ଥାନର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇବ ବୋଲି ପର୍ଯ୍ୟଟକମାନେ କହିଛନ୍ତି।

ସମ୍ବନ୍ଧିତ ଖବର